
ନୂଆଦିଲ୍ଲୀ : ଭାରତ ବାୟୋଟେକ୍ର କୋଭାକ୍ସିନ୍ ଟିକା କିଣିବାକୁ ବ୍ରାଜିଲ୍ ସରକାର କରିଥିବା ଚୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହେବାପରେ ବ୍ରାଜିଲ୍ ସରକାର ଏହି ଚୁକ୍ତି ବାତିଲ କରିଦେଇଛନ୍ତି। ତେବେ ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେବାରୁ ଭାରତ ବାୟୋଟେକ୍ ଏନେଇ ସ୍ପଷ୍ଟୀକରଣ ଦେଇଛି। ଭାରତ ବାୟାଟେକ୍ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି, ଜୁନ୍ ୨୯ ସୁଦ୍ଧା ଟିକା ନିର୍ମାଣକାରୀ ସଂସ୍ଥା ପକ୍ଷରୁ ବ୍ରାଜିଲ ସରକାରଙ୍କଠାରୁ କୌଣସି ଆଡଭାନ୍ସ ପେମେଣ୍ଟ୍ ଗ୍ରହଣ କରାଯାଇନି। ଭାରତ ବାହାରେ କୋଭାକ୍ସିନ୍ ଟିକାର ବିକ୍ରି ଦର ପ୍ରତି ଡୋଜ୍ ପିଛା ୧୫-୨୦ ଡଲାର ଧାର୍ଯ୍ୟ କରାଯାଇଛି। ବ୍ରାଜିଲ୍ ପାଇଁ ମଧ୍ୟ କୋଭାକ୍ସିନ୍ ଟିକାର ମୂଲ୍ୟ ଡୋଜ୍ ପିଛା ୧୫ ଡଲାର ସୂଚାଇ ଦିଆଯାଇଥିଲା ବୋଲି ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି। ତେବେ ୨,୪୦୦ କୋଟି ଟଙ୍କାର ଚୁକ୍ତି ବ୍ରାଜିଲ୍ରେ ଜେଆର୍ ବଲସୋନାରୋ ସରକାରଙ୍କ ବିରୋଧରେ ଅସନ୍ତୋଷ ବଢ଼ାଇଛି।
ବ୍ରାଜିଲ୍ରେ ଏହି ଟିକାକୁ ସ୍ବିକୃତୀ ମିଳିନଥିବା ବେଳେ ସରକାର ଉଚ୍ଚ ମୂଲ୍ୟରେ ପ୍ରାୟ ୨ କୋଟି ଡୋଜ୍ କୋଭାକ୍ସିନ୍ କିଣିବାକୁ ଭାରତ ବାୟୋଟେକ୍ ସହ ଚୁକ୍ତି କରିଛନ୍ତି ବୋଲି ଅଭିଯୋଗ ହୋଇଛି। ବ୍ରାଜିଲ୍ ସ୍ବାସ୍ଥ୍ୟମନ୍ତ୍ରୀ ଲୁଇସ୍ ରିକାର୍ଡୋ ମିରାଣ୍ଡା ଏହି ଚୁକ୍ତି ବାତିଲ କରିବାପାଇଁ ଘୋଷଣା କରିଛନ୍ତି। ସେ କହିଛନ୍ତି, ଫାଇଜର୍ ଟିକା କମ୍ ମୂଲ୍ୟରେ ମିଳିଥିବା ବେଳେ ସରକାର ଅଧିକ ମୂଲ୍ୟ ଦେଇ କୋଭାକ୍ସିନ୍ ଡୋଜ୍ କିଣିବାକୁ ଚୁକ୍ତି କରିଛନ୍ତି। ତେବେ ବଲ୍ସୋନାରୋ କହିଛନ୍ତି, କୌଣସି ଟଙ୍କା ଦିଆଯାଇନଥିବାରୁ ଏବଂ ଟିକା ଗ୍ରହଣ ହୋଇନଥିବାରୁ ଏଥିରେ କୌଣସି ଦୁର୍ନୀତି କିମ୍ବା ହେରଫେର ହୋଇନାହିଁ। ତେବେ ଚୁକ୍ତିକୁ ନେଇ ଅଭିଯୋଗ ହେବାପରେ ଗତ ଏପ୍ରିଲ୍ରୁ ଏନେଇ ତଦନ୍ତ ଚାଲିଛି।
The post କୋଭାକ୍ସିନ୍ ଚୁକ୍ତି ବାତିଲ କଲା ବ୍ରାଜିଲ୍: ସ୍ପଷ୍ଟୀକରଣ ରଖିଲା ଭାରତ ବାୟୋଟେକ୍ କୌଣସି ଆଡଭାନ୍ସ ପେମେଣ୍ଟ୍ ହୋଇନି first appeared on Sambad.from କରୋନା | Sambad https://ift.tt/3647hr4
0 Comments