ଭୁବନେଶ୍ବର : ମାସାଧିକ କାଳ କରୋନା ଭଳି ଅଦୃଶ୍ୟ ଶତ୍ରୁ ସହ ଲଢ଼ି ଶେଷରେ ବିଜୟୀ ହୋଇଛନ୍ତି ୨୦ବର୍ଷର ଯୁବକ। ଦୀର୍ଘ ଦିନ ଧରି ଭେଣ୍ଟିଲେଟର୍‌ରେ ରହିବା ପରେ ଧୀରେଧୀରେ ସୁସ୍ଥ ହେବା ସହିତ କୋଭିଡ୍‌ମୁକ୍ତ ହୋଇପାରିଛନ୍ତି ରାୟଗଡ଼ାର ମୁନିଗୁଡ଼ା ଅଞ୍ଚଳର ପ୍ରତୀକ୍ଷ କାଦାମ୍ବାଲୁ।

ପ୍ରତୀକ୍ଷ ଯୁକ୍ତ ୩ ଶେଷ ବର୍ଷର ଛାତ୍ର। କରୋନାରେ ସଂକ୍ରମିତ ହେବା ପରେ ଗତ ଏପ୍ରିଲ ୩୦ତାରିଖରେ ସମ୍ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ସେତେବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିଲା। ତୁରନ୍ତ ତାଙ୍କୁ ଆଇସିୟୁରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ହେଲେ ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ଭର୍ତି କରାଯାଇଥିଲା। ଏ ସମୟରେ ତାଙ୍କ ଶରୀରର ଟ୍ରାକିଓଷ୍ଟୁମି ମଧ୍ୟ କରାଯାଇଥିଲା। ‌ହେଲେ ସମ୍ କୋଭିଡ୍‌ ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପ୍ରତୀକ୍ଷ ବିପଦମୁକ୍ତ ହୋଇଥିଲେ।

ଭେଣ୍ଟିଲେଟର୍‌ରୁ ବାହାରିବା ସହ କିଛି ଦିନ ଭିତରେ ଆଇସିୟୁରୁ ମଧ୍ୟ ବାହାରିଥିଲେ। ପରେ ସାଧାରଣ ୱାର୍ଡରେ ତାଙ୍କର ଚିକିତ୍ସା କରାଯାଇଥିଲା। ପ୍ରତୀକ୍ଷଙ୍କ ଚିକିତ୍ସା ଜାରି ରହିଥିବା ସମୟରେ ତାଙ୍କ ପରିବାର ସହିତ ନିୟମିତ ଯୋଗାଯୋଗରେ ଥିଲେ ସମ୍ କୋଭିଡ ହସ୍ପିଟାଲର ହେଲ୍‌ପ-ଡେସ୍କ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଖବର ଦେବା ସହିତ ଭିଡିଓ କଲ କରି ପ୍ରତୀକ୍ଷ କିଭଳି ଅଛନ୍ତି ତାହାର ଦୃଶ୍ୟ ମଧ୍ୟ ପରିବାରକୁ ଦେଖାଉଥିଲେ। ମାସକର ଚିକିତ୍ସା ପରେ ସେ ଏବେ ନିଜ ଘର ମୁନିଗୁଡ଼ାକୁ ଫେରି ଯାଇଛନ୍ତି। ଏନେଇ ହସ୍ପିଟାଲର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ତାଙ୍କ ସଂପର୍କୀୟ ଭାଇ ସୁଧୀର ସାହୁ କୃତଜ୍ଞତା ଜଣାଇଛନ୍ତି।

The post ମାସାଧିକ କାଳ କରୋନା ସହ ଲଢ଼ି ସୁସ୍ଥ ହେଲେ ୨୦ବର୍ଷର ଯୁବକ first appeared on Sambad.

from କରୋନା | Sambad https://ift.tt/34MQ1WP