
ନୂଆଦିଲ୍ଲୀ : କରୋନା ସମୟରେ ଦେଶର ୭୫ଟି ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ (ପିଭିଟିଜି)ଙ୍କ ମାନବ ଅଧିକାର ସୁରକ୍ଷାକୁ ନେଇ ଜାତୀୟ ମାନବ ଅଧିକାର କମିସନ୍ (ଏନଏଚଆର୍ସି) ତତ୍ପରତା ପ୍ରକାଶ କରିଛି। ବିଶେଷକରି ଏହି ଗୋଷ୍ଠୀର ଲୋକଙ୍କ ମଧ୍ୟରେ କରୋନା ବ୍ୟାପୁଥିବାରୁ ଏନ୍ଏଚ୍ଆର୍ସି ଏଭଳି ତତ୍ପର ହୋଇଛି।
ଆୟୋଗ ପକ୍ଷରୁ କୁହାଯାଇଛି ଏହି ବର୍ଗର ବ୍ୟକ୍ତିମାନେ ବଞ୍ଚି ରହିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଏମାନେ ଯଦି କରୋନାରେ ସଂକ୍ରମିତ ହୁଅନ୍ତି ତା’ହେଲେ ସେମାନେ ତିଷ୍ଠି ରହିବେ ନାହିଁ। ମାନବ ସମାଜ ଏବଂ ବିବିଧତା ଉପରେ ଏହା ଏକ ବଡ଼ କ୍ଷତି ହେବ। ଏହାକୁ ଦୃଷ୍ଟିରେ ରଖି ଆୟୋଗ ପକ୍ଷରୁ ସେମାନଙ୍କ ମାନବ ଅଧିକାରକୁ ଅକ୍ଷୁଣ୍ଣ ରଖିବା ଲାଗି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶାବଳି କାର୍ଯ୍ୟକାରୀ କରିବା ପାଇଁ କରୋନା ମହାମାରୀ ଶେଷ ହେବା ପର୍ଯ୍ୟନ୍ତ ଆଦିବାସୀ ବ୍ୟାପାର ବିଭାଗ ସଚିବ, ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ, କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସକ ପ୍ରତିମାସରେ ରିପୋର୍ଟ ପ୍ରଦାନ କରିବେ। ଉକ୍ତ ନିର୍ଦ୍ଦେଶାବଳିକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନୋଡାଲ ଅଫିସରଭାବେ ନିଯୁକ୍ତ କରାଯିବ।
ଆୟୋଗ ପକ୍ଷରୁ କରାଯାଇଥିବା ନିର୍ଦ୍ଦେଶାବଳି ମଧ୍ୟରେ ଏହି ବର୍ଗର ଲୋକଙ୍କର ଘରେ ଆରଟିପିସିଆର ଟେଷ୍ଟ କରି ତାହାର ରିପୋର୍ଟ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପହଞ୍ଚାଇବେ। ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍ ପଠାଇ ୬୦ ଦିନ ଭିତରେ ଟିକା ଦିଆଯିବ। ସେମାନଙ୍କ ନିକଟରେ କୋଭିଡ-୧୯ ମେଡିକାଲ କିଟ୍ ପହଞ୍ଚାଇବା ସହିତ ସେମାନଙ୍କ ଅଞ୍ଚଳରେ ସ୍ଥାନୀୟ ଭାଷାରେ ସଚେତନତା କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି। ଲୋକଙ୍କ ପରିବର୍ତ୍ତେ ଡ୍ରୋନ ମାଧ୍ୟମରେ ମେଡିକାଲ କିଟ୍ ପହଞ୍ଚାଇବା ପାଇଁ କୁହାଯାଇଛି। ଏସବୁ ଲୋକ ବାସ କରୁଥିବା ଅଞ୍ଚଳରେ ଉତ୍ସର୍ଗୀକୃତ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ ନିୟୋଜିତ କରିବା, ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ବାରା ଏହି ଲୋକଙ୍କ କରୋନା ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବା, ଏମାନେ ବାସ କରୁଥିବା ଅଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଡ଼ା ନଜର ରଖିବା, ସେମାନଙ୍କ ଘରେ ରାସନ, ଖାଦ୍ୟ ଆଦି ପହଞ୍ଚାଇବା, ମହାମାରୀ ସମୟରେ ସେମାନେ ଜୀବିକା ହରାଇଥିବାରୁ ସେମାନଙ୍କୁ ଆୟ ଗ୍ୟାରେଣ୍ଟି ବାବଦରେ ଡିବିଟିରେ ଟଙ୍କା ହସ୍ତାନ୍ତର କରିବା ପାଇଁ କୁହାଯାଇଛି। ଏ ବାବଦରେ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ରାଜ୍ୟ ଓ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି।
The post ଅସୁରକ୍ଷିତ ଆଦିବାସୀଙ୍କୁ କରୋନାରୁ ସୁରକ୍ଷା ପାଇଁ ତତ୍ପରତା first appeared on Sambad.from କରୋନା | Sambad https://ift.tt/352XscB
0 Comments