
ନୂଆଦିଲ୍ଲୀ : ଦେଶରେ କରୋନାଭାଇରସ୍ ସଂକ୍ରମଣ ମାମଲାରେ ଦ୍ରୃତ ହ୍ରାସ ଏବେ ଆଶ୍ବସ୍ତି ଆଣିଛି। ଦ୍ବିତୀୟ ଲହର ଶୀର୍ଷ ଛୁଇଁବା ବେଳକୁ ସର୍ବାଧିକ ଦୈନିକ ସଂକ୍ରମଣ ମାମଲା ୪.୧୪ ଲକ୍ଷ ଥିବାବେଳେ ଏବେ ଏଥିରେ ୬୮ ପ୍ରତିଶତ ହ୍ରାସ ହୋଇଛି ଏବଂ ଏହା ୧.୩୨ ଲକ୍ଷରେ ପହଞ୍ଚିଛି। ୭ ମେ’ରେ ଦ୍ବିତୀୟ ଲହର ଭାରତରେ ଶୀର୍ଷ ଛୁଇଁଥିଲା। ଏବେ ଯେଉଁ ନୂଆ ସଂକ୍ରମଣ ମାମଲା ଆସୁଛି ସେଥିରୁ ୬୬ ପ୍ରତିଶତ ମାମଲା କେବଳ ୫ଟି ରାଜ୍ୟରେ ରହିଛି। ବଳକା ମାମଲା ଆଉ ୩୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ଆସୁଛି। ସେହିଭଳି, ଦେଶରେ ଦୈନିକ ମ୍ୟତ୍ୟୁହାର ବି ହ୍ରାସ ପାଇଛି।
ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଯେଉଁ ଜିଲ୍ଲାମାନଙ୍କରେ ପ୍ରତିଦିନ ଅତି କମ୍ରେ ୧୦୦ ମାମଲା ସାମ୍ନାକୁ ଆସୁଥିଲା ସେଠାରେ ମଧ୍ୟ ସଂକ୍ରମଣ ଯଥେଷ୍ଟ କମିଯାଇଛି। ୨୫୭ଟି ଜିଲ୍ଲା ଏଭଳି ରହିଛି ଯେଉଁଠି ସଂକ୍ରମଣ ମାମଲା ଦୈନିକ ୧୦୦ରୁ ଅଧିକ ରହୁଛି। ୩୭୭ ଜିଲ୍ଲାରେ ଦୈନିକ ପଜିଟିଭିଟ ହାର ୫ ପ୍ରତିଶତରୁ କମ୍ ରହିଛି। ନିତି ଆୟୋଗ (ସ୍ବାସ୍ଥ୍ୟ) ସଦସ୍ୟ ଡାକ୍ତର ଭି.କେ.ପଲ୍ କହିଛନ୍ତି ଯେ ଦେଶରେ କୋଭିଡ୍ ଟିକାର ପ୍ରଥମ ମାତ୍ରା ଦେବାରେ ଭାରତ ଆମେରିକାକୁ ମଧ୍ୟ ପଛରେ ପକାଇ ଦେଇଛି। ଭାରତରେ କରୋନା ଟିକାର ପ୍ରଥମ ମାତ୍ରା ୧୭.୨ କୋଟି ଲୋକ ନେଇଛନ୍ତି। ଆମେରିକାରେ ଏହି ସଂଖ୍ୟା ୧୬.୯ କୋଟି ରହିଛି । ୬୦ରୁ ଅଧିକ ବୟସର ଲୋକଙ୍କ ମଧ୍ୟରୁ ୪୩ ପ୍ରତିଶତ କରୋନା ଟିକାର ପ୍ରଥମ ମାତ୍ରା ନେଇସାରିଛନ୍ତି। ଭାରତରେ କୋଭାକ୍ସିନ ଏବଂ ଜାଇଡସ୍ର ଟିକା ପିଲାଙ୍କୁ ଦେବାପାଇଁ ଆବଶ୍ୟକ ପରୀକ୍ଷଣ ଆରମ୍ଭ ହୋଇଯାଇଛି।
ସେହିଭଳି, ଦେଶରେ ଦୈନିକ ସଂକ୍ରମଣ ଗତ ମଙ୍ଗଳବାରଠାରୁ ୧.୩ ଲକ୍ଷ ପାଖାପାଖି ରହୁଛି। ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମଣରେ ପ୍ରାୟ ୨ ହଜାର ହ୍ରାସ ଘଟିବା ସହ ଦୈନିକ ମୃତ୍ୟୁ ମଧ୍ୟ କମ୍ ରହିଛି ଯାହା ଗତ ୩୬ ଦିନ ଭିତରେ ସର୍ବନିମ୍ନ ହୋଇଥିବା ଜଣାଯାଇଛି। ତେବେ ବିଗତ ତିନି ସପ୍ତାହ ଧରି ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ଆରୋଗ୍ୟ ଲାଭ କରିବା ପ୍ରକ୍ରିୟା ଜାରି ରହିବା ସହ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଘଟି ୧୬ ଲକ୍ଷ ପାଖକୁ ଖସି ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୩୨,୩୬୪ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୮୫,୭୪,୩୫୦ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୨୪,୪୦୫ ଜଣ ସଂକ୍ରମିତଙ୍କୁ ଠାବ କରାଯାଇଥିବାବେଳେ ତାହା ପଛକୁ କେରଳରେ ୧୮,୮୫୩ ଜଣ, କର୍ଣ୍ଣାଟକରେ ୧୮,୩୨୪ ଜଣ, ମହାରାଷ୍ଟ୍ରରେ ୧୫,୨୨୯ ଜଣ ଓ ଆନ୍ଧ୍ରପ୍ରଦେଶରେ ୧୧,୪୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୫ଟି ରାଜ୍ୟରେ କେବଳ ୬୬.୬୬ ପ୍ରତିଶତ ନୂତନ ସଂକ୍ରମିତ ବାହାରିଛନ୍ତି।
ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୨,୭୧୩ ଜଣ କୋଭିଡ୍ ପୀଡ଼ିତ ଆଖି ବୁଜିଥିବା ଜଣାଯାଇଛି। ଏଥି ସହିତ ଅଦ୍ୟାବଧି ଦେଶରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୩,୪୦,୭୦୨ରେ ପହଞ୍ଚିଛି।
The post ଶୀର୍ଷ ଅତିକ୍ରମ ପରେ ଦେଶରେ କରୋନାଭାଇରସ୍ ସଂକ୍ରମଣ ୬୮% କମିଛି first appeared on Sambad.from କରୋନା | Sambad https://ift.tt/3cC6hhJ
0 Comments