
ନୂଆଦିଲ୍ଲୀ: ଆମେ ଦାୟିତ୍ବହୀନ ଆଚରଣ ବନ୍ଦ କଲେ କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିହେବ ବୋଲି ‘ନୀତି ଆୟୋଗ’ର ସଦସ୍ୟ ଡାକ୍ତର ଭି.କେ. ପଲ୍ ମଙ୍ଗଳବାର ଦିନ କହିଛନ୍ତି। ଭାରତରେ କୋଭିଡ୍-୧୯ର ଦ୍ବିତୀୟ ପ୍ରବାହ ଥମି ଆସୁଥିବା ବେଳେ ନୂଆ ‘ଭେରିଆଣ୍ଟ’ ଯୋଗୁଁ ତୃତୀୟ ପ୍ରବାହ ଆସିପାରେ ବୋଲି ସୃଷ୍ଟି ହୋଇଥିବା ଆଶଙ୍କା ମର୍ମରେ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ମଙ୍ଗଳବାର ଦିନ ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବେପରୁଆ ନ ହେବା ଲାଗି ଡାକ୍ତର ପଲ୍ ସର୍ବସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି, ଏମିତି କେତେକ ଦେଶ ଅଛି, ଯେଉଁଠି ଦ୍ବିତୀୟ ପ୍ରବାହ ଆସିନାହିଁ। ଆମେ ଯଦି ରୀତିମତେ ଚଳିବା ଏବଂ ଦାୟିତ୍ବହୀନ କାର୍ଯ୍ୟକଳାପରେ ମାତିବା ନାହିଁ; ସଂକ୍ରମଣ ଘଟିବ ନାହିଁ। ଏଇଟା ହେଉଛି ରୋଗ ନିୟନ୍ତ୍ରଣ ସଂକ୍ରାନ୍ତ ସରଳ ନିୟମ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍-ସଙ୍ଗତ ଆଚରଣ ମାନିବା ଏବଂ ଟିକା ନେବାଦ୍ବାରା ସଂକ୍ରମଣ ପ୍ରବାହ ନିୟନ୍ତ୍ରଣ କରି ହେବା ଏବଂ ଆବଶ୍ୟକ ସ୍ଥଳେ ଏଡ଼ାଇ ମଧ୍ୟ ହେବ।
ନୂତନ ସଂକ୍ରମଣ ପ୍ରବାହ କିଭଳି ବଢୁଛି ବୋଲି ପଚାରା ଯିବାରୁ ଡାକ୍ତର ପଲ୍ କହିଲେ, ସଂକ୍ରମଣର ନୂତନ ପ୍ରବାହ ନିମନ୍ତେ ୪ଟି କାରଣ ରହିଛି।
ପ୍ରଥମଟି ହେଉଛି ଭୂତାଣୁର ଆଚରଣ। ଅର୍ଥାତ୍ ବିସ୍ତାର ଲାଭ କରିବା ପାଇଁ ଭୂତାଣୁର ସାମର୍ଥ୍ୟ ଏବଂ ଦକ୍ଷତା ରହିଛି।
ଦ୍ବିତୀୟଟି ହେଉଛି ଆତିଥ୍ୟ-ଗ୍ରହୀତା: ବଞ୍ଚି ରହିବା ପାଇଁ ଭୂତାଣୁ ଆତିଥ୍ୟ-ଗ୍ରହୀତା ସନ୍ଧାନ କରେ। ଅନ୍ୟ ଅର୍ଥରେ କହିବାକୁ ଗଲେ ପରାଙ୍ଗପୁଷ୍ଟ ହୋଇଥିବାରୁ ବଞ୍ଚି ରହିବା ପାଇଁ ଭୂତାଣୁ ଅନ୍ୟ ପ୍ରାଣୀ ଉପରେ ନିର୍ଭର କରେ। ତେଣୁ, ଆମେ ଯଦି ଟିକା ନେଇ ଅଥବା ପୂର୍ବ ସଂକ୍ରମଣ ସୁରକ୍ଷିତ ନ ରହିବା, ତେବେ ଆମେ ମଧ୍ୟ ଭୂତାଣୁ ପାଇଁ ଆତିଥ୍ୟ-ଗ୍ରହୀତା ପାଲଟିଯିବା।
ତୃତୀୟଟି ହେଉଛି ବ୍ୟାପ୍ତିଶୀଳତା। ଗୁଣସୂତ୍ର-କ୍ରମ ପରିବର୍ତ୍ତନ କ୍ଷେତ୍ରରେ ଭୂତାଣୁ ଖୁବ୍ ସକ୍ରିୟ ହୋଇ ଅଧିକ ବ୍ୟାପ୍ତିଶୀଳ ହୋଇପାରେ। ପୂର୍ବରୁ ୩ଜଣ ଆତିଥ୍ୟଦାତାଙ୍କୁ ଆକ୍ରାନ୍ତ କରୁଥିବା ସେହି ଏକା ଭୂତାଣୁର ଗୁଣସୂତ୍ର-କ୍ରମ ପରିବର୍ତ୍ତନ ଘଟିଲେ ତାହା ୧୩ଜଣଙ୍କୁ ଆକ୍ରାନ୍ତ କରିପାରେ। ଭୂତାଣୁର ଗୁଣସୂତ୍ର-କ୍ରମ ପରିବର୍ତ୍ତନ ସମ୍ଭାବନା କଥା ଆଗତୁରା କହିହେବ ନାହିଁ। ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ଭୂତାଣୁର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ମଧ୍ୟ କରି ହେବନାହିଁ।
ଚତୁର୍ଥଟି ହେଉଛି ସୁଯୋଗ। ଅର୍ଥାତ୍ ବିସ୍ତାର ଲାଭ କରିବା ପାଇଁ ଭୂତାଣୁକୁ ସୁଯୋଗ ଦେବ। ମହାମାରୀ ସମୟରେ ଯଦି ଆମେ ଏକତ୍ର ବସିବା, ଭୋଜନ କରିବା, ଗହଳି କରିବା, ମାସ୍କ୍ ପରିଧାନ ନ କରି ଆବଦ୍ଧ ପରିସରରେ ବସିବା ତେବେ, ସଂକ୍ରମଣ ବୃଦ୍ଧି ପାଇଁ ଭୂତାଣୁ ସୁଯୋଗ ପାଇବ।
ଉପରୋକ୍ତ ସମସ୍ୟାର ଦୁଇଟି କାରଣ ସମ୍ପୂର୍ଣ୍ଣରୂପେ ଆମ ନିୟନ୍ତ୍ରଣାଧୀନ ବୋଲି ଡାକ୍ତର ପଲ୍ କହିଛନ୍ତି। ତାହା ହେଉଛି:- ଆତିଥ୍ୟ ଓ ସୁଯୋଗ ପ୍ରଦାନ। କିନ୍ତୁ, ଅନ୍ୟ ଦୁଇଟି କାରଣ ଆମ ନିୟନ୍ତ୍ରଣ ବାହାରେ ବୋଲି ସେ କହିଛନ୍ତି।
The post ଦାୟିତ୍ବହୀନ ଆଚରଣ ବନ୍ଦ କଲେ ସଂକ୍ରମଣ ଏବଂ ନୂତନ ପ୍ରବାହ ରୋକି ହେବ: ଡାକ୍ତର ଭି.କେ. ପଲ୍ first appeared on Sambad.from କରୋନା | Sambad https://ift.tt/3xByu02
0 Comments