
ନୂଆଦିଲ୍ଲୀ: କୋଭିଡ୍-୧୯ ମୁକାବିଲା ପାଇଁ ଦେଶରେ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବାବଦରେ ସମୀକ୍ଷା କରିଛନ୍ତି। ଆଜି ସୁଦ୍ଧା ୩୧ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି ଏବଂ ଆଗାମୀ ଦିନରେ ରାଜ୍ୟମାନଙ୍କୁ ଟିକା ଯୋଗାଇବା ସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିବ ବୋଲି ଜଣାପଡ଼ିଛି। କାର୍ଯକ୍ରମକୁ ଅଧିକ ସଫଳତାର ସହ ସଂଚାଳନ କରିବାକୁ ଏନ୍ଜିଓମାନଙ୍କ ସହାୟତା ନେବାକୁ ପ୍ରଧାନମନ୍ତ୍ରୀ ଏହି ବୈଠକରେ ପରାମର୍ଶ ଦେଇଛନ୍ତି। ଏନ୍ଜିଓ ଏବଂ ଅନ୍ୟ ସଂଗଠନମାନଙ୍କର ସହାୟତା ଲକ୍ଷ୍ୟ ହାସଲ ଦିଗରେ ଅଧିକ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ। ଦେଶର ୧୨୮ଟି ଜିଲ୍ଲାରେ ୪୫ ବର୍ଷରୁ ଅଧିକ ଆୟୁବର୍ଗର ୫୦ ପ୍ରତିଶତରୁ ଅଧିକ ଲୋକ ଟିକା ନେଇସାରିଥିବାରୁ ପ୍ରଧାନମନ୍ତ୍ରୀ ଏଥିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି।
କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତିରେ ଦେଶରେ ଉତ୍ପାଦିତ କୋଭିଡ୍ ଟିକାର ୭୫ ପ୍ରତିଶତ କ୍ରୟ କେନ୍ଦ୍ର କରିବ ଏବଂ ବଳକା ୨୫ ପ୍ରତିଶତ ଘରୋଇ ହସ୍ପିଟାଲମାନେ କ୍ରୟ କରିପାରିବେ। ଟିକା କ୍ରୟ, ଯୋଗାଣ ବାବଦ ଅଗ୍ରଗତି ନେଇ ଆଜି ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ରାଜ୍ୟର ଟିକାକରଣ ସ୍ଥିତି ଏବଂ ଟିକା ଯୋଗାଣ ବାବଦରେ ବୈଠକରେ ବିସ୍ତୃତ ତଥ୍ୟ ରଖାଯାଇଥିଲା। କୋୱିନ୍ ଆପ୍କୁ ନେଇ ଅଧିକ ସଚେତନତା ସୃଷ୍ଟି ଟିକାକରଣ ଲକ୍ଷ୍ୟ ହାସଲ ଦିଗରେ ନିର୍ଣ୍ଣାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
The post ଟିକାକରଣ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଏନ୍ଜିଓଙ୍କ ସହାୟତା ନେବାକୁ କହିଲେ first appeared on Sambad.from କରୋନା | Sambad https://ift.tt/3vZnOXZ
0 Comments