
ରାଉରକେଲା: ଜଣେ ବୟୋଜ୍ୟେଷ୍ଠା ମହିଳା କରୋନା ସଂକ୍ରମିତ ହୋଇ ପ୍ରାୟ ୪୦ ଦିନ ପୂର୍ବେ ମୃତ୍ୟୁବରଣ କରିସାରିଲେଣି। ତେବେ ଗତକାଲି ତାଙ୍କ ମୋବାଇଲ୍କୁ ସ୍ବାବ୍ ସଂଗୃହିତ ହୋଇଥିବା ମେସେଜ୍ ଆସିଛି। ସେହିଭଳି ପ୍ରାୟ ୨ ମାସ ପୂର୍ବେ ଟେଷ୍ଟ୍ କରିଥିବା ଜଣେ ଯୁବକଙ୍କ ପାଖକୁ ଆଜି ମେସେଜ୍ ଆସିଛି। କୋଭିଡ୍ ଟେଷ୍ଟ୍ ଓ ତଦ୍ଜନିତ ବିଭ୍ରାନ୍ତିକୁ ନେଇ ଆରମ୍ଭରୁ ବିବାଦ ଲାଗି ରହିଥିବାବେଳେ ଏହି ମାମଲାରେ ପୁଣି ଥରେ ସମଗ୍ର ମାମଲାକୁ ଚର୍ଚ୍ଚାକୁ ନେଇଆସିଛି।

ଛେଣ୍ଡ୍ ନିବାସୀ ସୁବାସିନୀ ମହାପାତ୍ର(୭୬)ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ଗତ ମେ’ ୧୩ ତାରିଖରେ ସ୍ଥାନୀୟ ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍)ରେ ଭର୍ତ୍ତି କରାଯାଇଥିଲା। ମେ’ ୧୫ ତାରିଖ ଦିନ ୧ଟାରେ ସ୍ବାବ୍ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ଉକ୍ତ ଦିନ ସଂଧ୍ୟାରେ ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ କୋଭିଡ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୧୭ ତାରିଖ ସଂଧ୍ୟା ପ୍ରାୟ ୫ଟା ତାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ସ୍ବାବ୍ ସଂଗ୍ରହ କରାଯାଇଥିବା ନେଇ ଅବଶ୍ୟ ତାଙ୍କ ମୋବାଇଲ୍କୁ ମେସେଜ ଆସିଥିଲା। ତେବେ ଗତକାଲି ପୁଣିଥରେ ତାଙ୍କ ପାଖକୁ ମେସେଜ୍ ଆସିଛି।
ସ୍ବାବ୍ ସଂଗୃହିତ ହୋଇସାରିଥିବାବେଳେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ଠିକ୍ ସେହିଭଳି ଏଭଳି ବିଭ୍ରାନ୍ତିକର ମେସେଜ୍ ଆସିଛି କୋଏଲନଗର ନିବାସୀ ପ୍ରକାଶ ମହାକୁଳଙ୍କ ପାଖକୁ। ଶ୍ରୀ ମହାକୁଳ ଗତ ମେ’ ୫ ତାରିଖରେ ଆଣ୍ଟିଜେନ ଟେଷ୍ଟ୍ କରିଥିବାବେଳେ ରିପୋର୍ଟ ତାଙ୍କର ନେଗେଟିଭ୍ ଆସିଥିଲା। ଏହା ପରଠାରୁ ସେ ଆଉ ଟେଷ୍ଟ୍ କରିନାହାନ୍ତି। କିନ୍ତୁ ଆଜି ଅପରାହ୍ନରେ ତାଙ୍କ ପାଖକୁ ଏନେଇ ମେସେଜ୍ ଆସିଛି। ତାଙ୍କୁ ମଧ୍ୟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଦୁଇ ମାମଲା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
The post ମୃତ୍ୟୁପରେ ବି ଆସୁଛି କୋଭିଡ୍ ସୂଚନା, ବୟୋଜ୍ୟେଷ୍ଠାଙ୍କ ମୃତ୍ୟୁକୁ ୪୦ ଦିନ ବିତିଲାଣି first appeared on Sambad.from କରୋନା | Sambad https://ift.tt/35RVCvm
0 Comments