ସପ୍ତାହକରେ ରେକର୍ଡ ୪ କୋଟି ଲୋକଙ୍କୁ ଟିକା, ଡିସେମ୍ବରରେ ଟାର୍ଗେଟ୍‌ ହାସଲ ଅଭିଯାନ ତ୍ବରାନ୍ବିତ

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଦେଶରେ ରେକର୍ଡ ପ୍ରାୟ ୪ କୋଟି ଲୋକଙ୍କର ଟିକାକରଣ କରାଯାଇଛି। ଜୁନ୍‌ ୨୧ରେ ଦେଶରେ କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଲାଗୁ ହେବା‌ପରେ ଦୈନିକ ଟିକାକରଣ ବଢ଼ିଛି। ଜୁନ୍ ୧୯ରୁ ୨୫ ମଧ୍ୟରେ ଦେଶରେ ୩.୯୮ କୋଟି ଲୋକଙ୍କୁ ଟିକା ଦିଆଯାଇଛି। ଏହାପୂର୍ବରୁ ଏପ୍ରିଲ ୩ରୁ ୯ ମଧ୍ୟରେ ଦେଶରେ ସର୍ବାଧିକ ୨.୪୭ କୋଟି ଡୋଜ୍‌ ଦିଆଯାଇଥିଲା। ତେବେ ଜୁନ୍‌ ୧୨ରୁ ୧୮ ମଧ୍ୟରେ ୨.୧୨ କୋଟି ଡୋଜ୍‌ ଦିଆଯାଇଥିଲା। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହର ଟିକାକରଣ ଦ୍ବିଗୁଣା ହୋଇଛି। ସେହିପରି ମେ’ ୧୫-୨୧ ମଧ୍ୟ‌ରେ ଦେଶରେ ସବୁଠୁ କମ୍‌ ତଥା ୯୨ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିଲା। ଜୁଲାଇ ମାସରେ ପ୍ରାୟ ୨୦ କୋଟି ଏବଂ ଅଗଷ୍ଟ ମାସରୁ ପ୍ରାୟ ୩୦ କୋଟି ଲୋକଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରହିଛି। ଡିସେମ୍ବର ସୁଦ୍ଧା ଦେଶ ଟିକାକରଣ ଟାର୍ଗେଟ୍‌ ହାସଲ କରିବା ପାଇଁ ଅଭିଯାନ ତ୍ବରାନ୍ବିତ ହୋଇଛି। ୯୪ କୋଟି ଲୋକ ଡି‌ସେମ୍ବର ସୁଦ୍ଧା ଟିକା ନେବାପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଚଳିତ ସପ୍ତାହରେ ଦିଆଯାଇଥିବା ୩.୯୮ କୋଟି ଟିକାରୁ ପ୍ରାୟ ୭୦ ପ୍ରତିଶତ ତଥା ୨.୭୪ କୋଟି ‌ଡୋଜ୍‌ ୧୮-୪୪ ବର୍ଷ ବୟସ ବର୍ଗଙ୍କୁ ଦିଆଯାଇଛି। ଏଥିମଧ୍ୟରୁ ପ୍ର‌ାୟ ୮୯ ପ୍ରତିଶତ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି ବୋଲି ଜଣାପଡ଼ିଛି। ଟିକା ଦେବା କ୍ଷେତ୍ରରେ ସରକାର ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକାକରଣ ଏବଂ‌ ସେକେଣ୍ଡ୍‌ ଡୋଜ୍‌ ଉପରେ ଗୁରୁତ୍ବ ଦେଇଥିଲେ ମଧ୍ୟ ୧୮-୪୪ ବର୍ଷ ମଧ୍ୟରେ ହିଁ ବେଶୀ ଚାହିଦା ରହୁଛି। ଆସନ୍ତା ଜୁଲାଇରୁ ପ୍ରତି ସପ୍ତାହରେ ୫ କୋଟି ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଉତ୍ତରପ୍ରଦେଶ ଦୈନିକ ୧୦ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛି। ରାଜସ୍ଥାନ ମଧ୍ୟ ଦୈନିକ ୧୫ ଲକ୍ଷ ଲୋକଙ୍କୁ ଟିକା ଦେବାପାଇଁ ଲକ୍ଷ୍ୟ ରଖିଛି। ଚଳିତ ସପ୍ତାହରେ ଉତ୍ତରପ୍ରଦେଶରେ ସର୍ବାଧିକ ୪୫ ଲକ୍ଷ ଲୋକଙ୍କ ଟିକାକରଣ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୩୭ ଲକ୍ଷ, କର୍ଣ୍ଣାଟକରେ ୩୧ ଲକ୍ଷ, ରାଜସ୍ଥାନରେ ୨୮ ଲକ୍ଷ, ଗୁଜରାଟରେ ୨୬ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଟିକାକରଣରେ ଉତ୍ତରପ୍ରଦେଶ ଆସନ୍ତା ସପ୍ତାହରେ ମହାରାଷ୍ଟ୍ରକୁ ଟପିଯିବ। ଉତ୍ତରପ୍ରଦେଶରେ ଏଯାବତ୍‌ ୨.୯୯ ‌କୋଟି ଡୋଜ୍‌ ଦିଆଯାଇଥିବା ବେଳେ ମହାରାଷ୍ଟ୍ରରେ ୩.୦୩ କୋଟି ଡୋଜ୍‌ ଦିଆଯାଇଛି। ଉତ୍ତରପ୍ରଦେଶ ଦୈନିକ ୭-୮ ଲକ୍ଷ ଟିକା ଡୋଜ୍‌ ଦେଉଥିବାବେଳେ ମହାରାଷ୍ଟ୍ର ଦୈନିକ ୫ ଲକ୍ଷ ଡୋଜ୍‌ ଦେଉଛି।

The post ସପ୍ତାହକରେ ରେକର୍ଡ ୪ କୋଟି ଲୋକଙ୍କୁ ଟିକା, ଡିସେମ୍ବରରେ ଟାର୍ଗେଟ୍‌ ହାସଲ ଅଭିଯାନ ତ୍ବରାନ୍ବିତ first appeared on Sambad.

from କରୋନା | Sambad https://ift.tt/3ddfOMn

Post a Comment

0 Comments