ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଜାତୀୟ କୋଭିଡ୍‌ ଟିକାକରଣ ଯୋଜନାର ସଂଶୋଧିତ ମାର୍ଗଦର୍ଶିକା ପ୍ରକାଶ କରିଛନ୍ତି। ଆସନ୍ତା ୨୧ ତାରିଖରୁ ଏହି ସଂଶୋଧିତ ନୀତି ଲାଗୁ ହେବ ବୋଲି କୁହାଯାଇଥିବା ବେଳେ ଆବଶ୍ୟକ ଅନୁଯାୟୀ ବେଳକୁ ବେଳ ସେଥିରେ ପୁଣି ସଂଶୋଧନ ଅଣାଯିବ। ଅନ୍ୟପକ୍ଷରେ ସରକାର ଆଜି ୪୪ କୋଟି ଟିକା ଡୋଜ୍ କିଣିବା ପାଇଁ ସେରମ୍ ଏବଂ ଭାରତ ବାୟୋଟକ୍‌କୁ ଅର୍ଡର ଦେଇଛନ୍ତି। ଏଥିରେ କୋଭିସିଲ୍‌ଡର ୨୫ କୋଟି ମାତ୍ରା ରହିଥିବା ବେଳେ କୋଭାକ୍ସିନର ୧୯ କୋଟି ମାତ୍ରା ରହିଛି। ଅଗଷ୍ଟରୁ ଡିସେମ୍ବର ୨୦୨୧ ସୁଦ୍ଧା ଏହି ଟିକା କେନ୍ଦ୍ର ସରକାର ସଂପୃକ୍ତ ନିର୍ମତାମାନଙ୍କଠାରୁ ହାସଲ କରିବେ। ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କେନ୍ଦ୍ର ମାଗଣାରେ ଟିକା ଦେବ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ ୪୪ କୋଟି ଟିକା ପାଇଁ ଅର୍ଡର କରାଯାଇଛି।

ସଂଶୋଧିତ ଟିକା ନୀତି ଅନୁଯାୟୀ, ଦେଶର କମ୍ପାନିମାନେ ଦେଶ ଭିତରେ ପ୍ରସ୍ତୁତ କରୁଥିବା ଟିକାର ୭୫ ପ୍ରତିଶତ କେନ୍ଦ୍ର ସରକାର ସଂଗ୍ରହ କରି ରାଜ୍ୟମାନଙ୍କୁ ମାଗଣାରେ ବାଣ୍ଟିବେ। ଅବଶିଷ୍ଟ ୨୫ ଭାଗ ଘରୋଇ ହସପିଟାଲ କିଣିପାରିବେ। ବିଭିନ୍ନ ରାଜ୍ୟର ଲୋକସଂଖ୍ୟା, ସଂପୃକ୍ତ ରାଜ୍ୟ ଉପରେ ପଡୁଥିବା ରୋଗର ବୋଝ ଓ ଟିକାକରଣରେ ଦେଖାଦେଇଥିବା ଅଗ୍ରଗତିକୁ ଭିତ୍ତି କରି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ତଦନୁଯାୟୀ ଟିକା ଯୋଗାଇବେ। ତେବେ ରାଜ୍ୟମାନଙ୍କୁ ଆଗୁଆ ଯୋଗାଣ ହେବାକୁ ଥିବା ଟିକାର ପରିମାଣ ସମ୍ପର୍କରେ ଅବଗତ କରାଯିବ। ସୁତରାଂ ସେମାନେ ତଦନୁସାରେ ବିଭିନ୍ନ ଜିଲ୍ଲାର ଟିକାକେନ୍ଦ୍ରମାନଙ୍କୁ ସଜାଗ ରଖି କେଉଁଠି କେତେ ପରିମାଣର ଟିକା ଉପଲବ୍‌ଧ ତାହା ଆଗୁଆ ଘୋଷଣା କରିବେ।

ରାଜ୍ୟ ସରକାରମାନେ ବିଭିନ୍ନ ସରକାରୀ ଟିକା କେନ୍ଦ୍ର ଜରିଆରେ ସବୁ ବର୍ଗର ନାଗରିକଙ୍କୁ ପ୍ରାଥମିକତା ଭିତ୍ତିରେ ମାଗଣାରେ ଟିକା ପ୍ରଦାନ କରିବେ। ସେଥିରେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ତା’ପରେ ସମ୍ମୁଖ ଭାଗ କୋଭିଡ୍‌ ଯୋଦ୍ଧା, ତା’ପରେ ୪୫ ବର୍ଷରୁ ଅଧିକ ବୟସର ନାଗରିକ, ତା’ ପଛକୁ ଯେଉଁମାନଙ୍କର ଦ୍ବିତୀୟ ମାତ୍ରା ଟିକା ନେବାର ସମୟ ହୋଇଯାଇଥିବ ଏବଂ ଶେଷରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ଉଲ୍ଲେଖ ରହିଛି। ତେବେ ୧୮ ବର୍ଷରୁ ଅଧିକ ବୟସର ନାଗରିକଙ୍କ ମଧ୍ୟରେ କାହାକୁ ଅଗ୍ରାଧିକାର ଦିଆଯିବ ତାହା ନିଜେ ରାଜ୍ୟମାନେ ଟିକା ଯୋଗାଣକୁ ଦୃଷ୍ଟିରେ ରଖି ନିର୍ଣ୍ଣୟ କରିପାରିବେ ବୋଲି କୁହାଯାଇଛି। ଯଦିଓ ସମସ୍ତେ ମାଗଣା ଟିକା ପାଇବାକୁ ଯୋଗ୍ୟ, ତେବେ ଯେଉଁମାନେ ଟିକା ଖର୍ଚ୍ଚ ଦେବାକୁ ଆଗ୍ରହୀ ସେମାନେ ଘରୋଇ କେନ୍ଦ୍ରମାନଙ୍କୁ ଯିବାକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି। ସେହିପରି କୌଣସି ରାଜ୍ୟରେ ଅଯଥାରେ ନଷ୍ଟ ହେଉଥିବା ଟିକାର ପରିମାଣ ସେମାନଙ୍କ ଟିକା ଯୋଗାଣ ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ମଧ୍ୟ ନିର୍ଦ୍ଦେଶାବଳିରେ ଉଲ୍ଲେଖ ରହିଛି। ଟିକା ଯେଭଳି ନଷ୍ଟ ନହେବ ସେଥିପାଇଁ ରାଜ୍ୟମାନେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

The post ଟିକାକରଣ ପାଇଁ ନୂଆ ମାର୍ଗଦର୍ଶିକା: ଆବଶ୍ୟକତା ଅନୁଯାୟୀ ରାଜ୍ୟଙ୍କୁ ଦିଆଯିବ ଟିକା, ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିବ first appeared on Sambad.

from କରୋନା | Sambad https://ift.tt/34ZtFBc