ଝାରସୁଗୁଡ଼ା: ଶେ‌ଷରେ ‌ଚୋରି ଘଟଣାର ସତ୍ୟତା ଲୋକଲୋଚନକୁ ଆସିଲା। ହସ୍ପିଟାଲ୍‌ରେ ମୃତ୍ୟୁ ହେବା ପରେ ଶବ ଦେହରୁ ଲୁଟି ନେଉଥିଲେ ସୁନା ମାଳି। ଝାରସୁଗୁଡ଼ା କୋଭିଡ୍‌ ହସ୍‌ପିଟାଲ୍‌ରେ ଘଟିଥିବା ଏହି ଘଟଣାକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ‘ସମ୍ବାଦ’ ଏହା ଉପରେ ବାରମ୍ବାର ଖବର ପରିବେଷଣ କରୁଥିଲା। ମଙ୍ଗଳବାର ଚୋରଙ୍କଠାରୁ ପୁଲିସ ସୁନା ମାଳି ଉଦ୍ଧାର କରିବାରେ ସଫଳ ହୋଇଛି।

ଏପ୍ରିଲ ୩୦ ତାରିଖ ଦିନ ଲଖନପୁର ଅଞ୍ଚଳର ଜଣେ କରୋନା ସଂକ୍ରମିତଙ୍କ ଝାରସୁଗୁଡ଼ା କୋଭିଡ୍‌ ହସ୍‌ପିଟାଲ୍‌ରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ଆକ୍ରାନ୍ତ ବ୍ୟକ୍ତି ତାଙ୍କୁ କିଛି କର୍ମଚାରୀଙ୍କ ପ୍ରତି ସନ୍ଦେହ ହେଉଥିବା କହିଥିଲେ। ସେମାନେ ସେ ପିନ୍ଧିଥିବା ସୁନାମାଳି ଉପରେ ନଜର ପକାଇ ତାକୁ ନେଇ ଯିବାକୁ ଉଦ୍ୟମ କରୁଥିବା ସଂପର୍କରେ ସେ ତାଙ୍କ ପୁଅକୁ ସୂଚନା ମଧ୍ୟ ଦେଇଥିଲେ। ମୃତ୍ୟୁପରେ ତାଙ୍କ ସୁନାମାଳି, ମୋବାଇଲ ଓ କିଛି ଟଙ୍କା ମିଳି ନଥିଲା। ଏ ନେଇ ତାଙ୍କ ପୁଅ ପ୍ରଶାନ୍ତ ବିଶ୍ବାଳ ଅଭିଯୋଗ କରିଥିଲେ।

ସୁନା ମାଳି ପାଇଁ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି ଚିକିତ୍ସାରେ କୌଣସି ତ୍ରୁଟି ନଥିଲା ବୋଲି ଜିଲ୍ଲାପାଳ  ପୂର୍ବରୁ ଟୁଇଟ୍‌ କରି ଜଣାଇଥିବା ବେଳେ  ସୁନାମାଳି ଚୋରିର ତଦନ୍ତ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଏ ନେଇ ସେଠାରେ  କାମ କରୁଥିବା ୩ ସୁଇପରଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲେ। ୩/୪ ଦିନ ପୁଲିସକୁ ବିଭ୍ରାନ୍ତ କରିଥିବା ଏହି ଅଭିଯୁକ୍ତମାନେ ଶେଷରେ ସୁନାମାଳି ଚୋରି କରିଥିବା ସ୍ବୀକାର କରିଥିଲେ। ‌ସୁଇପର୍‌ ଥିବା ଠେଲକୋଲି ବାବୁଖିଣ୍ଡାର ଜୁଗୁନୁ ବାଗ, ଓସଏସ୍‌ଏପିଠାରେ ରହୁଥିବା ତାର୍‌ଜନ ସୁନା, ମଙ୍ଗଲବଜାରର ରୋହିତ୍‌ ସନ୍ଧ୍ରିଆ ସେଦିନ ମୃତକଙ୍କ ବେକରୁ ସୁନା ମାଳି ଲୁଟି ନେଇଥିଲେ। ତାକୁ ମଙ୍ଗଲବଜାରଠାରେ କମଲ ସୁନାକୁ ୨୦ ହଜାର ଟଙ୍କାରେ ବିକ୍ରି କରିଥିଲେ। କମଲ ଏହି ସୁନାକୁ ନେଇ ମଣପୁରମ ଗୋଲଡ୍ ନାମକ ଏକ ସଂସ୍ଥାରେ ୩୮ ହଜାର ଟଙ୍କାରେ ବନ୍ଧକ ରଖିଥିଲା। ପୁଲିସ ୧୩.୮ ଗ୍ରାମର ସୁନା ମାଳିକୁ ଜବତ କରି ଉପରୋକ୍ତ ତିନି ଜଣଙ୍କୁ ଗିରଫ କରିଥିବା ଆଇଆଇସି ସାବିତ୍ରୀ ବଳ ସୂଚନା ଦେଇଛନ୍ତି।

The post ଝାରସୁଗୁଡ଼ା କୋଭିଡ୍‌ ହସ୍‌ପିଟାଲ୍‌: ଶବ ଦେହରୁ ସୁନାମାଳି ଲୁଟ୍‌, ୪ ଗିରଫ first appeared on Sambad.

from କରୋନା | Sambad https://ift.tt/2TcKoyh