ରାଉରକେଲା: ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ଉଦିତ୍‌ନଗର ସ୍ଥିତ ମ୍ୟୁନିସିପାଲ୍ କଲେଜ ପରିସରରେ ଏକ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦେଶରେ ଉଚ୍ଚତର ଶିକ୍ଷା ନେଉଥିବା ଛାତ୍ରଛାତ୍ରୀ, ଚାକିରି କରୁଥିବା ବ୍ୟକ୍ତି ତଥା ଅନ୍ତର୍ଜାତତୀୟ କ୍ରୀଡ଼ାରେ ଭାଗନେଉଥିବା କ୍ରୀଡ଼ାବିତ୍‌ମାନଙ୍କୁ ଟିକା ଦିଆଯାଇଥିଲା। ଏଥିରେ ମୋଟ ୩୩ ଜଣ ହିତାଧିକାରୀ ଟିକା ନେଇଥିଲେ। ଭିସା, ପାସ୍‌ପୋର୍ଟ ତଥା ପାଠ ପଢୁଥିବା ଶିକ୍ଷାନୁଷ୍ଠାନ କିମ୍ବା ଚାକିରି କରୁଥିବା ଅନୁଷ୍ଠାନର କାଗଜପତ୍ର ଦେଖାଇ ହିତାଧିକାରୀମାନେ ଟିକା ନେଇଥିଲେ।

ହିତାଧିକାରୀମାନେ ଟିକା ପାଇଁ କେନ୍ଦ୍ରକୁ ଆସି ସିଧାସଳଖ ପଞ୍ଜିକରଣ କରିବାର ବ୍ୟବସ୍ଥା ହୋଇଥିଲା। ଆର୍‌ଏମ୍‌ସି କମିଶନର ଦିବ୍ୟଜ୍ୟୋତି ପରିଡ଼ା ଟିକାଦାନ କେନ୍ଦ୍ର ପରିଦର୍ଶନ କରିବା ସହ ବ୍ୟବସ୍ଥା ତଦାରଖ କରିଥିଲେ। ଏହାସହ ଟିକା ନେବାକୁ ଆସିଥିବା ହିତାଧିକାରୀମାନଙ୍କ ଆଲୋଚନା କରିଥିଲେ। ଟିକାଦାନ କେନ୍ଦ୍ରରେ କୋଭିଡ୍ ନିୟମ ପାଳନ ପୂର୍ବକ ସେମାନେ ଟିକା ନେଇଥିଲେ।

ଏନେଇ କମିସନର ଶ୍ରୀ ପରୀଡ଼ା କହିଛନ୍ତି, ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ, କର୍ମଜୀବୀ ଓ ଖେଳାଳିମାନଙ୍କ ସୁବିଧା ପାଇଁ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି। ଯେଉଁମାନେ ପୂର୍ବରୁ କେବେ ବି ଟିକା ନେଇନଥିଲେ, ସେମାନଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିଲା। ଏହାସହ ଯେଉଁମାନେ ପ୍ରଥମ ଡୋଜ୍ ନେବାର ୨୮ ଦିନରୁ ଅଧିକ ସମୟ ହୋଇଯାଇଥିଲା, ସେମାନଙ୍କୁ ମଧ୍ୟ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଥିବା କମିଶନର କହିଛନ୍ତି।

The post ଟିକା ନେଲେ ବିଦେଶ ଯାଉଥିବା ଛାତ୍ରଛାତ୍ରୀ first appeared on Sambad.

from କରୋନା | Sambad https://ift.tt/35fEAXQ