
ନୂଆଦିଲ୍ଲୀ: ଦେଶରେ ମହାମାରୀ କୋଭିଡ୍-୧୯ର ଦ୍ବିତୀୟ ଲହର ସଂକ୍ରମଣ ତଳମୁହାଁ ହୋଇ ଲଗାତାର ସପ୍ତମ ଦିନ ପାଇଁ ରବିବାର ଲକ୍ଷେର ଯଥେଷ୍ଟ ତଳେ ରହିଛି। ଏପରିକି ଗତକାଲି ଅପେକ୍ଷା ୧୦ ହଜାର କମି ଆସି ୭୦ ହଜାର ପାଖକୁ ଖସି ଆସିଛି ଯାହା ଗତ ଏପ୍ରିଲ ପହିଲା ଠାରୁ ଗତ ୭୫ ଦିନ ଭିତରେ ସର୍ବନିମ୍ନ ଦୈନିକ ସଂକ୍ରମଣ ବୋଲି ଜଣାଯାଇଛି। ସେହିପରି ରବିବାର ମଧ୍ୟ ମହାରାଷ୍ଟ୍ରରେ ବକେୟା ମୃତକ ତାଲିକା ସଂଶୋଧନ ଜାରି ରହିବା କାରଣରୁ ଦୈନିକ ମୃତକଙ୍କ ସଂଖ୍ୟା ୪ ହଜାର ପାଖରେ ପହଞ୍ଚିଛି। ତେବେ କ୍ରମାଗତ ଭାବେ ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟକ ରୋଗୀ ଆରୋଗ୍ୟଲାଭ କରିବା ସହ ସକ୍ରିୟ ମାମଲା ୧୦ ଲକ୍ଷର ଯଥେଷ୍ଟ ତଳକୁ ଖସି ଆସିବା ଆଶ୍ବସ୍ତିର ବିଷୟ ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସୋମବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୭୦,୪୨୧ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୯୫,୧୦,୪୧୦ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁରେ ମଧ୍ୟ ପୂର୍ବପରି ସର୍ବାଧିକ ୧୪,୦୧୬ ଜଣ ସଂକ୍ରମିତ ଠାବ ହୋଇଥିବା ବେଳେ ତାହା ପଛକୁ କେରଳରେ ୧୧,୫୮୪ ଜଣ, ମହାରାଷ୍ଟ୍ରରେ ୧୦,୪୪୨ ଜଣ, କର୍ଣ୍ଣାଟକରେ ୭,୮୧୦ ଜଣ ଓ ଆନ୍ଧ୍ରପ୍ରଦେଶରେ ୬,୭୭୦ ଜଣ ସଂକ୍ରମିତ ବାହାରିଛନ୍ତି। କେବଳ ଏହି ୫ଟି ରାଜ୍ୟରେ ହିଁ ଦେଶର ୭୧.୮୮ ପ୍ରତିଶତ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ୨୪ ଘଣ୍ଟା ଭିତରେ ଦେଶରେ ୩,୯୨୧ଜଣ କୋଭିଡ୍ ପୀଡ଼ିତ ଆଖି ବୁଜିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୩,୭୪,୩୦୫ରେ ପହଞ୍ଚିଛି। ରବିବାରର ଏହି ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୨,୭୭୧ ଜଣ, ତାମିଲନାଡୁରେ ୨୬୭ଜଣ, କେରଳରେ ୨୦୬ ଜଣ, କର୍ଣ୍ଣାଟକରେ ୧୨୫ଜଣ ଓ ପଶ୍ଚିମବଙ୍ଗରେ ୮୪ ଜଣ ରହିଛନ୍ତି।
ସେହିପରି ଲଗାତାର ୩୨ ଦିନ ପାଇଁ ରବିବାର ମଧ୍ୟ ନୂତନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସଂଖ୍ୟକ କୋଭିଡ୍ ପୀଡ଼ିତ ଆରୋଗ୍ୟ ଲାଭ କରିଛନ୍ତି। ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୧୯,୫୦୧ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୮୧,୬୨,୯୪୭ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଥିବା ଜଣାଯାଇଛି। ଏଥି ସହିତ ଗତ ୨୪ ଘଣ୍ଟା ଭିତରେ ଦେଶରେ ସକ୍ରିୟ ମାମଲା ୫୪,୦୦୧ ଖସି ଆସି ୯,୭୩,୧୫୮ରେ ପହଞ୍ଚିଛି। କ୍ରମାଗତ ଅଷ୍ଟମ ଦିନ ପାଇଁ ସକ୍ରିୟ ହାର ୫ ପ୍ରତିଶତ ତଳେ(୩.୩%) ରହିଛି। ସେହିପରି ଆରୋଗ୍ୟ ହାର ମଧ୍ୟ ୯୫.୪୩ ପ୍ରତିଶତ ପରି ଉଚ୍ଚ ସ୍ତରରେ ପହଞ୍ଚିଛି। ଅପରପକ୍ଷେ, ରବିବାର ଯୋଗୁଁ ଗତ ୨୪ ଘଣ୍ଟା ଭିତରେ ଖୁବ୍ କମ୍ ସଂଖ୍ୟକ ପାଖାପାଖି ୧୫ ଲକ୍ଷ ନାଗରିକଙ୍କର ଟିକାକରଣ କରାଯାଇଥିବା ବେଳେ ଅଦ୍ୟାବଧି ମୋଟ ୨୫.୪୮ କୋଟି ଦେଶବାସୀଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯାଇଛି। ସେଥିରୁ ୨୦ କୋଟିରୁ ଅଧିକ ହିତାଧିକାରୀ ପ୍ରଥମ ମାତ୍ରା ଟିକା ନେଇଥିବା ଜଣାଯାଇଛି।
The post ମାର୍ଚ୍ଚ ପରେ ସର୍ବନିମ୍ନ ସଂକ୍ରମଣ: ୭୦ ହଜାରକୁ ଖସିଲା ମାମଲା, ମୃତ୍ୟୁ ୪ ହଜାର ପାଖରେ first appeared on Sambad.from କରୋନା | Sambad https://ift.tt/3cJ3MKl
0 Comments