ନୂଆଦିଲ୍ଲୀ : କରୋନା ବିରୋଧରେ ସୁରକ୍ଷା ଦେବାରେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକା ୭୭.୮ ପ୍ରତିଶତ ଫଳପ୍ରଦ। ଭାରତରେ ୨୫,୮୦୦ ଅଂଶଗ୍ରହଣକାରୀଙ୍କ କ୍ଷେତ୍ରରେ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହୋଇଥିଲା। ପରୀକ୍ଷଣ ତଥ୍ୟରୁ ଏହା ଜଣାପଡ଼ିଛି ଯେ, କୋଭାକ୍ସିନ୍‌ ଟିକା କରୋନା ବିରୋଧରେ ସୁରକ୍ଷା ଦେବାରେ ୭୭.୮ ପ୍ରତିଶତ ଫଳପ୍ରଦ। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଏବଂ ଫଳାଫଳକୁ ଭଲଭାବେ ଅନୁଧ୍ୟାନ କରାଯାଇଛି ଏବଂ ଏହାକୁ ଡିସିଜିଆଇର ଏସ୍‌ଇସି (ସବ୍‌ଜେକ୍ଟ ଏକ୍ସପର୍ଟ କମିଟି)ର ସ୍ବିକୃତି ପାଇଁ ପଠାଯାଇଛି। ଗତ ସପ୍ତାହାନ୍ତରେ ଡିସିଜିଆଇରେ ଏହି ତଥ୍ୟ ଉସସ୍ଥାପନ କରାଯାଇଛି। ତେବେ କୌଣସି ଅନ୍ତର୍ଜାତୀୟ ପତ୍ରିକାରେ ଏହି ତଥ୍ୟ ପ୍ରକାଶ ପାଇନାହିଁ।

ତୃତୀୟ ପର୍ଯ୍ୟାୟ ଫଳାଫଳର ପ୍ରଥମ ଅନ୍ତରୀଣ ଆକଳନ ଗତ ମାର୍ଚ୍ଚରେ ଉପସ୍ଥାପନ କରାଯାଇଥିଲା। ଉକ୍ତ ଆକଳନରେ କୁହାଯାଇଥିଲା ‌ଯେ, କୋଭାକ୍ସିନ୍‌ କରୋନା ବିରୋଧରେ ସୁରକ୍ଷା ଦେବାରେ ୮୧ ପ୍ରତିଶତ ଫଳପ୍ରଦ। ସେହିପରି ସେ ‌ସମୟରେ ତଥ୍ୟ ଆକଳନରୁ ଏହା ଜଣାପଡ଼ିଥିଲା ଯେ, କୋଭାକ୍ସିନ୍‌ ଟିକା ନେଇଥିବା ବ୍ୟକ୍ତି ସଂକ୍ରମଣର ଶିକାର ହେଲେ ହସ୍ପିଟାଲ୍‌ ରହଣି ୧୦୦ ପ୍ରତିଶତ କମିଯାଉଛି। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଭାରତ ବାୟୋଟେକ୍‌କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଇୟୁଏଲ୍‌ (ଏମର୍ଜେନ୍ସି ୟୁଜ୍‌ ଲିଷ୍ଟିଙ୍ଗ୍‌) ପାଇବାରେ ସାହାଯ୍ୟ କରିବ। ଉଲ୍ଲେଖଯୋଗ୍ୟ, ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ଏହି ଟିକା ନିର୍ମାଣ ହୋଇଛି। ହାଇଦ୍ରାବାଦର ଭାରତ ବାୟୋଟେକ୍ ଓ ଆଇସିଏମ୍‌ଆର୍‌ ମିଳିତଭାବେ ଉକ୍ତ ଟିକାର ବିକାଶ କରିଛନ୍ତି।

The post ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ: କୋଭାକ୍ସିନ୍‌ ୭୭.୮% ଫଳପ୍ରଦ first appeared on Sambad.

from କରୋନା | Sambad https://ift.tt/3xJw5QZ