ବାଲିଅନ୍ତା : ବାଲିଅନ୍ତା ବ୍ଲକରେ କରୋନା ବେକାବୁ ହେବାରେ ଲାଗିଛି। ଗତ ୧୦ ତାରିଖଠାରୁ ଦୈନିକ ୨୦ରୁ ୨୨ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟାକେନ୍ଦ୍ରର ସୂଚନା ଅନୁଯାୟୀ, ସପ୍ତାହକ ମଧ୍ୟରେ ବ୍ଲକରେ ସଂକ୍ରମଣ ହାର ଶହେ ପ୍ରତିଶତ ଟପି ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୨ଜଣ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ପରୀକ୍ଷା କରାଇଥିବା ବେଳେ ସେମାନଙ୍କ ଭିତରୁ ୨୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ଡାକ୍ତର ନିର୍ଦ୍ଦେଶ ଦେଇଛନ୍ତି।

ବାଲିଅନ୍ତା ବ୍ଲକର ୧୬ଟି ପଞ୍ଚାୟତରୁ ଏବେ ସୁଦ୍ଧା ୪୭୭ ଜଣ ପଜିଟିଭ ଚିହ୍ନଟ ହୋଇସାରିଲେଣି। ସେମାନଙ୍କ ଭିତରୁ ଶତାଧିକ ବ୍ୟକ୍ତଙ୍କର ସଂଗରୋଧ ଅବଧି ଶେଷ ହୋଇଯାଇଥିବା ବେଳେ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ସେମାନେ କରୋନାମୁକ୍ତ ହୋଇଛନ୍ତି। ତେବ‌େ ଚିନ୍ତାର ବିଷୟ ହେଲା, ସଂକ୍ରମିତ ପରିବାରଲୋକଙ୍କ ମଧ୍ୟରୁ ଅନେକ ସନ୍ଦିଗ୍ଧ କୋଭିଡ୍‌ ପରୀକ୍ଷା କରାଉ ନଥିବାରୁ ସଂକ୍ରମଣ ବ୍ୟାପୁଥିବା ନଜରକୁ ଆସୁଛି।

ସେହିପରି କିଛି ଅମାନିଆ ସରକାରଙ୍କ ଗାଇଡଲାଇନ୍‌ ନିୟମ ମାନୁ ନଥିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା କୁହାଯାଉଛି। ସଂକ୍ରମିତ ଲୋକ ଗୃହ ସଂଗରୋଧ ନିୟମ ପାଳନ କରୁ ନାହାନ୍ତି। ପଜିଟିଭ ଚିହ୍ନଟ ବ୍ୟକ୍ତିମାନେ ଖୋଲାମେଲାରେ ବୁଲି ଅନ୍ୟମାନଙ୍କୁ ସଂକ୍ରମିତ କରାଉଛନ୍ତି। ଆର୍‌ଆର୍‌ଟି ଟିମ୍‌ ସେମାନଙ୍କୁ ସତର୍କ କରାଇବା ଦିଗରେ କୌଣସି ପଦକ୍ଷେପ ନେଉନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ଟଙ୍କପାଣି ଓ ଉମାଦେଇ ଗ୍ରାମରେ କିଛି ଅମାନିଆ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି। ସେମାନେ ଆବଦ୍ଧାଞ୍ଚଳରୁ ବାଉଁଶ ବାଡ଼ ଭାଙ୍ଗି ଫିଙ୍ଗି ଦେଉଛନ୍ତି। ଗାଁରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ହେଉନଥିବାରୁ ଏହା ସୁଯୋଗରେ ସେମାନେ କିଛି ମାନୁନାହାନ୍ତି। ପ୍ରଶାସନ ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଏଠାରେ ସଂକ୍ରମଣ ବିସ୍ଫୋରଣ ଭଳି ସମସ୍ୟା ଦେଖାଦେଇପାରେ।

The post ବାଲିଅନ୍ତାରେ କରୋନା ବେକାବୁ, ସପ୍ତାହକ ଭିତରେ ସଂକ୍ରମଣ ସର୍ବାଧିକ first appeared on Sambad.

from କରୋନା | Sambad https://ift.tt/2RkraXg