ୱାସିଂଟନ୍‌: ପ୍ରାଣୀ ଉତ୍ସରୁ କିଂବା ଅସାବଧାନତାବଶତଃ ପରୀକ୍ଷାଗାରରୁ ଚୀନ୍‌ରେ ପ୍ରଥମ କୋଭିଡ୍‌-୧୯ ଭୂତାଣୁ ପ୍ରକଟ ହୋଇଥିଲା, ଆଗାମୀ ୩ ମାସ ସୁଦ୍ଧା ସେ ସମ୍ବନ୍ଧୀୟ ରିପୋର୍ଟ ଦେବା ପାଇଁ ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ଏଜେନ୍‌ସିମାନଙ୍କୁ ଆଦେଶ ଦେଇଛନ୍ତି।

ହ୍ବାଇଟ୍‌ ହାଉସ୍‌ ରିଲିଜ୍ କରିଥିବା ଏକ ବିବୃତିରେ ବାଇଡେନ୍‌ କହିଛନ୍ତି, ଆମକୁ ନିର୍ଦ୍ଦିଷ୍ଟ ଉପସଂହାରର ନିକଟତର କରିବା ଲାଗି ଏଜେନ୍‌ସିମାନେ ସୂଚନା ସଂଗ୍ରହ ଓ ବିଶ୍ଳେଷଣ ଉଦ୍ୟମ ଚର୍ତୁଗୁଣ କରି ୯୦ ଦିନ ମଧ୍ୟରେ ମୋତେ ରିପୋର୍ଟ ଦେବା ଉଚିତ।

ବାଇଡେନ୍‌ଙ୍କ କହିବା ଅନୁସାରେ, ୩.୪ ନିୟୁତ ଜନତାଙ୍କ ଜୀବନ ନେଇ ବର୍ଷେରୁ ଅଧିକ ହେବ ବିଶ୍ବରେ ବିସ୍ତାର ଲାଭ କରୁଥିବା ଏହି ଭୂତାଣୁର ଦୁଇଟି ସମ୍ଭାବ୍ୟ ଉତ୍ସ ବିଷୟରେ ସମ୍ପ୍ରତି ଏଜେନ୍‌ସିମାନେ ଦ୍ବିମତ ପ୍ରକାଶ କରୁଛନ୍ତି।

ପ୍ରଥମ ଭୂତାଣୁଟି ‌କିଭଳି ପ୍ରକଟ ହେଲା? ଚୀନ୍‌ସ୍ଥିତ ଉହାନ୍ ଆମିଷ ବଜାରରେ କୌଣସି ପ୍ରାଣୀ ସଂସ୍ପର୍ଶଦ୍ବାରା ନା, ସେଠାରେ କଡ଼ା ନିରାପତ୍ତା ମଧ୍ୟରେ ଥିବା ଗବେଷଣାଗାରରୁ କରୋନାଭାଇରସ୍‌ ବାହାରି ଆସିବା ଯୋଗୁଁ ସମଗ୍ର ବିଶ୍ବ ସଂକ୍ରମିତ ହେଲା? ଏ ସଂକ୍ରାନ୍ତରେ ମତାନ୍ତର ତେଜି ଉଠିଥିବା କାରଣରୁ ବାଇଡେନ୍‌ ଉପରୋକ୍ତ ଆଦେଶ ଦେଇଥିବା କଥା କୁହାଯାଉଛି।

Image Courtesy of NDTV

ଏହାର ଉତ୍ତର ଉଭୟ ଚୀନ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ଲାଗି ପ୍ରଯୁଜ୍ୟ। ମହାମାରୀ ପାଇଁ ଦାୟୀ ନୁହେଁ ବୋଲି ଚୀନ୍‌ କହୁଥିବା ବେଳେ ବେଜିଙ୍ଗ୍‌କୁ ନିନ୍ଦା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକୀୟ ରାଜନୀତିର ‘ରିପବ୍ଲିକାନ୍‌ମାନେ’ ‘ଲ୍ୟାବ୍‌ ଥିଓରି’ ପ୍ରଚାର କରିଛନ୍ତି।

ମଣିଷ ସଂକ୍ରମିତ ପ୍ରାଣୀ ସଂସ୍ପର୍ଶରେ ଆସିବା ଯୋଗୁଁ ନା, ପରୀକ୍ଷାଗାରୁ ଏହି ଭୂତାଣୁ ବାହାରକୁ ଚାଲି ଆସିଛି? ଏ ଦୁଇଟି ପ୍ରସଙ୍ଗ ସମେତ ଏହି ଭୂତାଣୁର ଉତ୍ପତ୍ତି ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ପାଇଁ ମାର୍ଚ ମାସରେ ଆଦେଶ ଦେଇଥିବା କଥା ବାଇଡେନ୍‌ କହିଛନ୍ତି।

ଆଜି ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ଗୋଷ୍ଠୀ ଦୁଇଟି ସମ୍ଭାବ୍ୟ କାରଣ ଉପରେ ଅଟକି ରହିଥିବା କାରଣରୁ ଉପରୋକ୍ତ ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ଦେଇ ପାରି ନାହାନ୍ତି।

The post ୯୦ ଦିନ ମଧ୍ୟରେ କୋଭିଡ୍ ଉତ୍ପତ୍ତି ସମ୍ବନ୍ଧୀୟ ରିପୋର୍ଟ ଦେବା ପାଇଁ ଗୁଇନ୍ଦା ଏଜେନ୍‌ସିକୁ ଆଦେଶ ଦେଲେ ଜୋ ବାଇଡେନ୍‌ first appeared on Sambad.

from କରୋନା | Sambad https://ift.tt/34lvuZ1