ନୂଆଦିଲ୍ଲୀ: ସେମାନଙ୍କ ବାପା ବି ସ୍ବାମୀ ରାମଦେବଙ୍କୁ ଗିରଫ କରି ପାରିବେ ନାହିଁ। ସେମାନେ ‘ଗୁଣ୍ଡା ରାମଦେବ’ ‘ମହାଗୁଣ୍ଡା ରାମଦେବ’, ‘ରାମଦେବଙ୍କୁ ଗିରଫକର’ ଆଦି ‘ଟ୍ରେଣ୍ଡ୍‌’ କରୁଛନ୍ତି। ସେମାନେ କରନ୍ତୁ। ଆମ ଲୋକେ ଏଭଳି ‌‘ଟ୍ରେଣ୍ଡ୍‌’ ପ୍ରତି ଅଭ୍ୟସ୍ତ ହୋଇଯାଇଛନ୍ତି ଏବଂ ଆମ ‘ଟ୍ରେଣ୍ଡ୍‌’ ସର୍ବଦା ଶୀର୍ଷରେ ପହଞ୍ଚେ ବୋଲି ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରଣ ହେଉଥିବା ‘ରାମଦେବଙ୍କୁ ଗିରଫକର ଟ୍ରେଣ୍ଡ୍‌’ର ପ୍ରତ୍ୟୁତ୍ତର ଦେଇ ବୁଧବାର ଦିନ ଏକ ନୂଆ ଭିଡିଓରେ ରାମଦେବ କହିଛନ୍ତି।

କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ଏଲୋପାଥି ଔଷଧ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାମଦେବଙ୍କୁ ଗିରଫ କରିବା ଲାଗି କେତେକ ‘ଟୁଇଟର୍‌’ ବ୍ୟବହାରକାରୀ ସରକାରୀ କର୍ତ୍ତୃପକ୍ଷଙ୍କୁ କହିଥିଲେ।

Image Courtesy of Zee News

ସୂଚନାଯୋଗ୍ୟ, ରାମଦେବ ଚଳାଇଥିବା ବିଭ୍ରାନ୍ତିକର ପ୍ରଚାର ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉ ବୋଲି ନିବେଦନ କରି ‘ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ (ଆଇଏମ୍‌ଏ ) ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖିଛି। ଉକ୍ତ ପତ୍ରରେ ‘ଆଇଏମ୍‌ଏ’ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛି ଯେ, କୋଭିଡ୍ ଟିକାକରଣ ବିଷୟରେ ‘ଭୟ ବିସ୍ତାର’ କରାଉଥିବା ଅଭିଯୋଗରେ ‘ପତଞ୍ଜଳି ଉତ୍ପାଦ’ର ମାଲିକଙ୍କୁ ‘ବୁକ୍‌’ କରାଯାଉ।

ସବୁ ସର୍ବସାଧାରଣ ଉଦ୍‌ବୋଧନରେ ଟିକାକରଣର ମହତ୍ତ୍ବ ବଖାଣୁ ଥିବାରୁ ‘ଆଇଏମ୍‌ଏ’ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛି। ଆଗାମୀ ‘ମନ୍‌କି ବାତ୍‌’ ଅଧ୍ୟାୟରେ ଟିକାକରଣ ପ୍ରସଙ୍ଗରେ ପରାମର୍ଶ ଦେବା ଲାଗି ମଧ୍ୟ ‘ଆଇଏମ୍‌ଏ’ ପ୍ରଧାନମନ୍ତ୍ରୀଙ୍କୁ ଉକ୍ତ ପତ୍ରରେ ନିବେଦନ କରିଛି।

The post ତାଙ୍କ ବାପା ବି ସ୍ବାମୀ ରାମଦେବଙ୍କୁ ଗିରଫ କରିପାରିବେ ନାହିଁ: ରାମଦେବ first appeared on Sambad.

from କରୋନା | Sambad https://ift.tt/3fnDgYA