ଖଣ୍ଡଗିରି : ପରିସଂଖ୍ୟାନ କହୁଛି, ଖୋର୍ଧା ଜିଲ୍ଲାରେ ଅଛନ୍ତି ରାଜ୍ୟର ସର୍ବାଧିକ କୋଭିଡ୍‌ ଆକ୍ରାନ୍ତ। ଅଥଚ ଏଠାରୁ ୧୦ କିଲୋମିଟର ଦୂର କିନ୍ତୁ ଚନ୍ଦକା ପଞ୍ଚାୟତରେ ଅଛନ୍ତି କେବଳ ୨ କୋଭିଡ୍‌ ଆକ୍ରାନ୍ତ। ସରକାରୀ କାଗଜପତ୍ରରେ ଏତେ କମ୍ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ଏହା ସହଜରେ ବିଶ୍ବାସ କରି ହେଉନାହିଁ। ପ୍ରକୃତରେ ଏହି ଅଞ୍ଚଳରେ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣରେ ଅଛି ନା ସଂକ୍ରମଣର ପ୍ରକୃତ ଚିତ୍ର ପଦାକୁ ଆସୁନାହିଁ, ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ନଗଣ୍ୟ ଆକ୍ରାନ୍ତ ସଂଖ୍ୟାକୁ ଦେଖି କେହି କେହି ଏହାକୁ ଆଶାର କିରଣ ବୋଲି ଅଭିହିତ କରୁଛନ୍ତି। କିନ୍ତୁ ପ୍ରକୃତ ସଂକ୍ରମଣ ଏହାଠାରୁ ଯଥେଷ୍ଟ ବେଶି ବୋଲି ସନ୍ଦେହ କରୁଥିବା ଲୋକେ ଏହା ସତର୍କ ଘଣ୍ଟି ବୋଲି ବିଚାର କରୁଛନ୍ତି।

ଚନ୍ଦକା ଭଳି ରାଜଧାନୀ ଉପକଣ୍ଠ ଇଲାକାରେ ଅନେକ ଲୋକଙ୍କ ପାଖରେ କରୋନା ଲକ୍ଷଣ ଥିଲେ ମଧ୍ୟ ଆବଶ୍ୟକ ପରୀକ୍ଷା ହେଉନଥିବା ଅଭିଯୋଗ ହୋଇଛି। କୋଭିଡ୍‌ ପରୀକ୍ଷା କରୁଥିବା ମେଣ୍ଢାଶାଳ ପିଏଚ୍‌ସିରେ ମଧ୍ୟ ଦୁଇ ଦିନ ହେଲା ପରୀକ୍ଷା ବନ୍ଦ ରହିଛି। ମେଣ୍ଡଶାଳ ପିଏଚ୍‌ସିର ଡାକ୍ତର ମୋହନ ହେମ୍ବ୍ରମ କହିଛନ୍ତି, ଅନ୍ୟ ଅଞ୍ଚଳ ଅପେକ୍ଷା ସ୍ଥାନୀୟ ଅଧିବାସୀ କୋଭିଡ୍‌ ଆକ୍ରାନ୍ତ ହୋଇନଥିଲେ ବି ଭବିଷ୍ୟତରେ ଯେ ସ୍ଥିତି ଖରାପ ହେବ ନାହିଁ, ତାହା କହି ହେବ ନାହିଁ। ତେବେ ଚନ୍ଦକା ସରପଞ୍ଚଙ୍କ ଅନୁସାରେ, ଏଠିକାର ଲୋକେ ବାହାରକୁ ଯାଉ ନାହାନ୍ତି କି ବାହାର ଲୋକ ଏଠିକୁ ଆସୁନଥିବାରୁ ଅନ୍ୟ ସ୍ଥାନ ଭଳି ଏଠିକାର ଅବସ୍ଥା ଜଟିଳ ହୋଇ ନାହିଁ। ତେବେ ଗତ ୧୫ ତାରିଖର ତଥ୍ୟ ଅନୁସାରେ, ପଞ୍ଚାୟତର ପଥରଗାଡ଼ିଆରେ ଜଣେ, ଅନ୍ଧାରୁଆରେ ଜଣେ କୋଭିଡ୍‌ ଆକ୍ରାନ୍ତ ଅଛନ୍ତି। ପୂର୍ବରୁ ଚନ୍ଦକାରେ ଜଣେ, ଶିମିଳିପାଟଣା ୬ଜଣ, କୁଜିମଲ ଗାଁରେ ୨ ଜଣ, ବାରମଣ ଗାଁରେ ୨ରୁ୩ ଜଣ କୋଭିଡ୍‌ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି।

ସରପଞ୍ଚଙ୍କ ଅନୁସାରେ, ପ୍ରଥମ ଲହରରେ ୫୫ ଜଣ କୋଭିଡ୍‌ ଆକ୍ରାନ୍ତ ହୋଇଥିଲେ। ଗତବର୍ଷ ଅନେକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଏଠିକୁ ଆସିଥିଲେ। ରାଜଧାନୀକୁ ଲୋକଙ୍କ ଯାତାୟାତ ଲାଗି ରହୁଥିଲା। ଏଥିଯୋଗୁଁ ସ୍ଥିତି ଏଭଳି ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଗତଥର ଭଳି କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। କିନ୍ତୁ କିଛି ସ୍ଥାନୀୟ ଅଧିବାସୀ ଭିନ୍ନ ମତ ରଖିଛନ୍ତି। ସେମାନଙ୍କ କହିବା ଅନୁସାରେ, ଏଠାରେ କମ କୋଭିଡ୍‌ ଆକ୍ରାନ୍ତ ଅଛନ୍ତି ସତ, କିନ୍ତୁ ଯେଉଁମାନେ ମେଣ୍ଢାଶାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରୁଛନ୍ତି ସେମାନଙ୍କ ରିପୋର୍ଟ ଜଣାପଡ଼ୁଛି। କିନ୍ତୁ ଯେଉଁମାନେ ଭୁବନେଶ୍ବରରେ କୋଭିଡ୍‌ ପରୀକ୍ଷା କରୁଛନ୍ତି ସେମାନଙ୍କ ତଥ୍ୟ ଜଣାପଡ଼ୁ ନାହିଁ। ଏହା ବ୍ୟତୀତ ପଞ୍ଚାୟତର ବିଭିନ୍ନ ଗାଁରେ ଅନେକ ଲୋକ ଜ୍ବରରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କୋଭିଡ୍ ପରୀକ୍ଷା ମଧ୍ୟ କରୁନାହାନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ନେଇ ବର୍ତ୍ତମାନ ଯେଉଁ ଚିତ୍ର ରହିଛି, ତାହା ଅସ୍ପଷ୍ଟ। ଅଧିକ ପରୀକ୍ଷା କରାଗଲେ ଅସଲ ଆକ୍ରାନ୍ତ କେତେ ତାହା ଜଣାପଡ଼ିବ।

The post ଉପକଣ୍ଠରେ ସଂକ୍ରମଣର ଚିତ୍ର ଅସ୍ପଷ୍ଟ first appeared on Sambad.

from କରୋନା | Sambad https://ift.tt/3fmHJK2