
ଏବେ ସୁଦ୍ଧା ୧୧କର୍ମଚାରୀ ଆକ୍ରାନ୍ତ
୫୦ରୁ ଅଧିକ ଅନ୍ତେବାସୀ ଥଣ୍ଡା, ଜ୍ବରରେ ସଂକ୍ରମିତ
କେବେ ହେବ କୋଭିଡ୍ ପରୀକ୍ଷା?
ବିଭାଗ କହୁଛି ଚିଠି ଲେଖାଯାଇଛି, ବିଏମ୍ସି କହୁଛି ଆମେ ପାଇନୁ
ଭୁବନେଶ୍ବର : ଝାରପଡ଼ା ଜେଲର ସ୍ଥିତି ଧୀରେ ଧୀରେ ସଙ୍ଗିନ ହେବାରେ ଲାଗିଛି। ଅଧୀକ୍ଷକ, ଜେଲରଙ୍କୁ ମିଶାଇ ୧୧ ଜଣ କର୍ମଚାରୀ ପଜିଟିଭ୍ ବାହାରି ସାରିଛନ୍ତି। ଖାଲି ସେତିକି ନୁହେଁ, କୋଭିଡ ପଜିଟିଭ୍ ବାହାରିଥିବା ଜଣେ କଏଦୀଙ୍କ ଗତକାଲି କଟକ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରାୟ ୫୦ରୁ ଅଧିକ କଏଦୀ ମଧ୍ୟ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇଥିବା ବେଳେ କୋଭିଡ୍ ଲକ୍ଷଣ ଥିବା କୁହାଯାଉଛି। ସମସ୍ତ କଏଦୀଙ୍କର କୋଭିଡ୍ ପରୀକ୍ଷା ପାଇଁ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଥିଲେ ମଧ୍ୟ ଏଯାଏ ହୋଇପାରିନାହିଁ। ଚାରି ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଯେଉଁଥିପାଇଁ ଶତାଧିକ କଏଦୀଙ୍କ ଜୀବନ ବାଜିରେ ଲାଗିଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ, କୋଭିଡରେ ପ୍ରାଣ ହରାଇଥିବା କଏଦୀଙ୍କ ନାଁ ତିରୁପତି ମହାନ୍ତି ବୋଲି ଜଣାପଡ଼ିଛି। ଘର ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ। ଏକ ନିଶା କାରବାର ମାମଲାରେ ସେ ଜେଲରେ ଥିଲେ। ଗତ କିଛି ଦିନ ହେଲା ତାଙ୍କୁ ଜ୍ବର ହେଉଥିଲା। ୫ଦିନ ତଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ ଏମ୍ସ ଓ ସେଠାରୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କୋଭିଡ୍ ପଜିଟିଭ୍ ବାହାରିଥିଲା ଓ ମୃତ୍ୟୁ ହୋଇଥିଲା।
ଜେଲର ୧୧ଜଣ କର୍ମଚାରୀ କରୋନା ପଜିଟିଭ୍ ବାହାରି ସାରିଥିବା ବେଳେ ଜଣେ କଏଦୀଙ୍କର ମୃତ୍ୟୁ ମଧ୍ୟ ହେଲାଣି। ସେହିପରି ଗତ କିଛି ଦିନ ମଧ୍ୟରେ ଜାମିନରେ ମୁକୁଳିଥିବା କେତେକ ଅଭିଯୁକ୍ତଙ୍କର ମଧ୍ୟ ପଜିଟିଭ୍ ବାହାରିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇସାରିଛି, ଜେଲ ଭିତରେ ସଂକ୍ରମଣ ବ୍ୟାପି ସାରିଛି। ନଚେତ୍ ଏମାନେ କେମିତି ପଜିଟିଭ୍ ବାହାରୁଛନ୍ତି? କ୍ଷମତାଠାରୁ ଯଥେଷ୍ଟ ଅଧିକ କଏଦୀ ରହୁଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ଅଧିକ ରହିଛି। କର୍ମଚାରୀ ପଜିଟିଭ୍ ବାହାରିବା ଘଟଣା ୫ଦିନ ବିତି ଯାଇଥିଲେ ମଧ୍ୟ କାହିଁକି ଜରୁରୀକାଳୀନ ଭିତ୍ତିରେ କୋଭଡ୍ ପରୀକ୍ଷା କରାଯାଉନାହିଁ? ଏକାଧିକ କଏଦୀ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ଥିବା କୁହାଯାଉଛି। ଯଦି ସ୍ଥିତି ବେକାବୁ ହୁଏ, ତାହେଲେ ଏଥିପାଇଁ କିଏ ଦାୟୀ ରହିବ?
ଅନ୍ୟପକ୍ଷରେ ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି, ମୃତ କଏଦୀ ତିରୁପତି ମହାନ୍ତି ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନିଥର କୋଭିଡ୍ ପରୀକ୍ଷା କରାଯାଇଥିଲେ ମଧ୍ୟ ନେଗେଟିଭ୍ ବାହାରିଥିଲା। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ହୋଇ ଏସ୍ସିବିରେ ଚିକିତ୍ସାଧୀନ ଥିବା ବେଳେ କୋଭିଡ୍ ପଜିଟିଭ୍ ବାହାରିଥିଲା। କୋଭିଡ୍ ଵାର୍ଡରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି କଏଦୀଙ୍କର କୋଭିଡ୍ ପରୀକ୍ଷା ପାଇଁ ବିଏମ୍ସିକୁ ଚିଠି ଲେଖାଯାଇଛି। କିନ୍ତୁ ବିଏମସି ଡେପୁଟି କମିସନର ଶୁଭେନ୍ଦୁ ସାହୁ କହିଛନ୍ତି, ଜେଲ ପକ୍ଷରୁ କେବଳ କଏଦୀଙ୍କ ଟିକାକରଣ ପାଇଁ ଚିଠି ଲେଖା ଯାଇଥିଲା। କଏଦୀଙ୍କୁ ଟିକା ଦିଆଯାଇଛି। କୋଭିଡ୍ ପରୀକ୍ଷା ପାଇଁ କୌଣସି ଚିଠି ଆସିନାହିଁ। ଚିଠି ଆସିଲେ, ପରୀକ୍ଷା କରିବାରେ କୌଣସି ଅସୁବିଧା ନାହିଁ।
The post କୋଭିଡ୍ରେ ଚାଲିଗଲା କଏଦୀଙ୍କ ପ୍ରାଣ, ବାଜିରେ ଲାଗିଛି ଝାରପଡ଼ା ଜେଲ କଏଦୀଙ୍କ ଜୀବନ first appeared on Sambad.from କରୋନା | Sambad https://ift.tt/3ycQ2ka
0 Comments