
ଲଣ୍ଡନ୍: ଭାରତର କୋଭିଡ୍-୧୯ ସଙ୍କଟ ମୁକାବିଲାରେ ସହାୟତାସ୍ବରୂପ ଶୁକ୍ରବାର ଦିନ ଇଂଲଣ୍ଡ୍ ୩ଟି ୧୮ ଟନ୍ ଓଜନବିଶିଷ୍ଟ ‘ଅକ୍ସିଜେନ୍ ଜେନେରେଟର୍’ ଏବଂ ୧୦୦୦ଟି ଭେଣ୍ଟିଲେଟର୍ ପଠାଇଛି। ଉତ୍ତର ଆୟର୍ଲାଣ୍ଡ୍ ବେଲ୍ଫାଷ୍ଟ୍ରୁ ଉପରୋକ୍ତ ସାମଗ୍ରୀ ସବୁ ବହନ କରି ବିଶ୍ବର ବୃହତ୍ତମ ପଣ୍ୟବାହୀ ବିମାନ ‘ଆଣ୍ଟୋନୋଭ୍ ୧୨୪’ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା କଥା ବ୍ରିଟିସ୍ ସରକାର କହିଛନ୍ତି।
ଏହି ସାମଗ୍ରୀ ଯୋଗାଣ ପାଇଁ ପାଣ୍ଠି ଯୋଗାଇ ଥିବା ‘ଦି ଫରେନ୍, କମନ୍ୱେଲ୍ଥ୍ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅଫିସ୍’ (ଏଫ୍ସିଡିଓ) କହିଛି, ଉକ୍ତ ବୃହଦ୍କାୟ ‘ଆଣ୍ଟୋନୋଭ୍ ୧୨୪’ ବିମାନରେ ଉପରୋକ୍ତ ଜୀବନ ରକ୍ଷାକାରୀ ଉପକରଣଗୁଡ଼ିକୁ ବୋଝେଇ କରିବା ଲାଗି ବିମାନ ବନ୍ଦରର କର୍ମଚାରୀମାନେ ରାତି ତମାମ କାର୍ଯ୍ୟ କରିଥିଲେ। ରବିବାର ସକାଳ ୮ ବେଳକୁ ବିମାନଟି ଦିଲ୍ଲୀରେ ଅବତରଣ କରିବ ବୋଲି ଆଶା କରାଯାଏ। ଏହା ପରେ ଭାରତୀୟ ରେଡ୍ କ୍ରସ୍ ଏହି ଉପକରଣଗୁଡ଼ିକୁ ଡାକ୍ତରଖାନାମାନଙ୍କୁ ପଠାଇବାରେ ସହଯୋଗ କରିବ।
ଉକ୍ତ ପ୍ରକାଣ୍ଡ ‘ଅକ୍ସିଜେନ୍ ଜେନେରେଟର୍’ ସବୁ ବୃହଦ୍କାୟ ପଣ୍ୟବାହୀ ବିମାନରେ ବୋଝେଇ ହେବା ବେଳେ ଉତ୍ତର ଆୟର୍ଲାଣ୍ଡ୍ର ସ୍ବାସ୍ଥ୍ୟମନ୍ତ୍ରୀ ରବିନ୍ ସ୍ବାନ୍ ମଧ୍ୟ ବେଲ୍ଫାଷ୍ଟ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ଉପସ୍ଥିତ ଥିଲେ।
୪୦ ଫୁଟିଆ ‘ଫ୍ରେଟ୍ କଣ୍ଟେନର୍’ ଆକୃତିର ଏହି ଅକ୍ସିଜେନ୍ ଜେନେରେଟର୍ ସବୁ ପ୍ରତି ମିନିଟ୍ରେ ୫୦୦ ଲିଟର୍ ଅକ୍ସିଜେନ୍ ପ୍ରସ୍ତୁତି କରି ପାରିବେ। ଏକ ସମୟରେ ୫୦ଜଣ ରୋଗୀଙ୍କ ପାଇଁ ସେତକ ଅକ୍ସିଜେନ୍ ଯଥେଷ୍ଟ ହେବ।
ଇଂଲଣ୍ଡ୍ର ବୈଦେଶିକ ସଚିବ ଡୋମିନିକ୍ ରାବ୍ କହିଛନ୍ତି, ଇଂଲଣ୍ଡ୍ ଉତ୍ତର ଆୟର୍ଲାଣ୍ଡ୍ରୁ ଭାରତକୁ ବିପୁଳ ଅକ୍ସିଜେନ୍ ପ୍ରସ୍ତୁତିକାରୀ ଜେନେରେଟର୍ ପଠାଇଛି। ସଙ୍କଟାପନ୍ନ କୋଭିଡ୍ ରୋଗୀମାନଙ୍କର ଚିକିତ୍ସା କରୁଥିବା ଭାରତର ଡାକ୍ତରଖାନାମାନଙ୍କୁ ଏହି ସବୁ ଜୀବନ ରକ୍ଷାକାରୀ ଉପକରଣ ସହାୟକ ହେବ।
ସେ ଆହୁରି ମଧ୍ୟ କହିଛନ୍ତି, ଏ ମହାମାରୀ ଦମନ କରିବା ଲାଗି ଇଂଲଣ୍ଡ୍ ଓ ଭାରତ ଏକତ୍ର ଉଦ୍ୟମ କରୁଛନ୍ତି। ଆମେ ସଭିଏଁ ସୁରକ୍ଷିତ ନ ହେବାଯାଏଁ କେହି ସୁରକ୍ଷିତ ନୁହନ୍ତି।
The post ଇଂଲଣ୍ଡ୍ରୁ ୩ଟି ଅକ୍ସିଜେନ୍ ପ୍ଲାଣ୍ଟ୍ ନେଇ ଭାରତକୁ ଆସୁଛି ବିଶ୍ବର ବୃହତ୍ତମ ପଣ୍ୟବାହୀ ବିମାନ first appeared on Sambad.from କରୋନା | Sambad https://ift.tt/3uwIvdE
0 Comments