ଜରୁରୀକାଳୀନ ବ୍ୟବହାର ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମୋଦନ ପାଇଲା ଚୀନ୍‌ର ‘ସାଇନୋଫାର୍ମ’ କୋଭିଡ୍‌-୧୯ ଟିକା

ଭେନିଭା: ଶୁକ୍ରବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚୀନ୍‌ ଉତ୍ପାଦିତ କୋଭିଡ୍‌-୧୯ ନିରୋଧୀ ଟିକା ‘ସାଇନୋଫାର୍ମ’କୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମୋଦନ କରିଛି। ବ୍ୟବହାର ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି ପାଇବାରେ ଏହା ହେଉଛି ଚୀନ୍‌ର ପ୍ରଥମ କୋଭିଡ୍‌-୧୯ ଟିକା।

ବିଶ୍ବର ଅନେକ ଦେଶରେ ଦିଆଯାଉଥିବା ଦୁଇ ଡୋଜ୍‌ବିଶିଷ୍ଟ ଟିକା ‘ସାଇନୋଫାର୍ମ’କୁ ଜାତିସଂଘ‌ର ସ୍ବାସ୍ଥ୍ୟ ଏଜେନ୍‌ସି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସ୍ବୀକୃତି ଦେବା ପରେ ତାହାର ମୁଖ୍ୟ ଡାକ୍ତର ଟେଡ୍‌ରସ୍‌ ଅଧାନୋମ୍‌ ଗେବ୍ରେସିୟସ୍‌ ସାମ୍ବାଦିକ ସମ୍ମିଳନୀରେ କହିଲେ, ଆଜି ଅପରାହ୍ଣରେ ବେଜିଙ୍ଗ୍‌ର କୋଭିଡ୍‌-୧୯ ଟିକା ‘ସାଇନୋଫାର୍ମ’କୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ କରିଛି। ନିରାପତ୍ତା, ଫଳପ୍ରଦତା ଏବଂ ମାନକ ଦୃଷ୍ଟିରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସମ୍ମତି ପାଇବାରେ ଏହା ହେଉଛି ୬ଷ୍ଠ ଟିକା।

Image Courtesy of India Today

ସୂଚନାଯୋଗ୍ୟ, ସମ୍ପ୍ରତି ବିଶ୍ବର ୪୫ଟି ଦେଶ ଓ ସାର୍ବଭୌମ ଅଞ୍ଚଳରେ ପ୍ରାପ୍ତ ବୟସ୍କମାନଙ୍କୁ ପ୍ରାୟ ୬୫ ନିୟୁତ ଡୋଜ୍‌ ‘ସାଇନୋଫାର୍ମ’ ଦିଆଯାଇ ସାରିଥିବା କଥା ମେଡିକାଲ୍‌ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମଞ୍ଜୁରି ପାଇ ନ ଥିବାରୁ ଅନେକ ଦେଶ ଏହାକୁ ବ୍ୟବହାର କରିବା ପାଇଁ ଦ୍ବିଧା ବୋଧ କରୁଥିଲେ।

ଆଷ୍ଟ୍ରାଜେନିକା, ଫାଇଜର୍, ମଡର୍ଣ୍ଣା, ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଆଦି ଟିକା ଜରୁରୀକାଳୀନ ବ୍ୟବହାର ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମୋଦନ ପାଇ ସାରିଥିଲେ ମଧ୍ୟ ତଥ୍ୟାବଳୀ ସଂକ୍ରାନ୍ତ ସମସ୍ୟା ହେତୁ ଚୀନ୍‌ର ଏହି ଟିକା କ୍ଷେତ୍ରରେ ଅନୁମୋଦନ ମିଳିବାରେ ବିଳମ୍ବ ଘଟିଥିଲା। ‘ଚାଇନା ନ୍ୟାସ୍‌ନାଲ୍‌ ବାୟୋଟେକ୍‌ ଗ୍ରୁପ୍‌’ର ମାଲିକାନାରେ ଥିବା ‘ବେଜିଙ୍ଗ୍ ବାୟୋ-ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜିକାଲ୍‌ ପ୍ରଡକ୍ଟ୍‌ସ୍‌ କୋ ଲିମିଟେଡ୍‌’ଦ୍ବାରା ଉତ୍ପାଦିତ ‘ସାଇନୋଫାର୍ମ’ ଟିକା କରୋନାଭାଇରସ୍‌ ସଂକ୍ରମଣ ବିପକ୍ଷରେ ୭୯% ଫଳପ୍ରଦ ବୋଲି କୁହାଯାଉଛି।

The post ଜରୁରୀକାଳୀନ ବ୍ୟବହାର ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମୋଦନ ପାଇଲା ଚୀନ୍‌ର ‘ସାଇନୋଫାର୍ମ’ କୋଭିଡ୍‌-୧୯ ଟିକା first appeared on Sambad.

from କରୋନା | Sambad https://ift.tt/3tvZ9Zw

Post a Comment

0 Comments