ନୂଆଦିଲ୍ଲୀ: ଏ ବର୍ଷ ଶେଷ ସୁଦ୍ଧା ୧୮ ବର୍ଷରୁ ଊର୍ଦ୍ଧ୍ବ ଯୋଗ୍ୟ ବିବେଚିତ ସମସ୍ତ ନାଗରିକଙ୍କୁ କୋଭିଡ୍‌-୧୯ ନିରୋଧୀ ଟିକା ଦେଇ ପାରିବାର ଆତ୍ମବିଶ୍ବାସ ଥିବା କଥା ସୋମବାର ଦିନ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

ଦେଶରେ କୋଭିଡ୍‌-୧୯ ପରିଚାଳନା ସଂକ୍ରାନ୍ତ ଏକ ‘ସୁଓ ମୋଟୋ’ ମାମଲା ଶୁଣାଣି ସମୟରେ, ସରକାର ସମସ୍ତ ଯୋଗ୍ୟ ବିବେଚିତ ନାଗରିକମାନଙ୍କୁ ଟିକା ଦେବା ପାଇଁ କରିଥିବା ଯୋଜନା ପ୍ରସଙ୍ଗ ବୁଝାଇ ଦେବା ସହ ଦାବି କରିଛନ୍ତି ଯେ, ଚାହିଦାକୁ ଚାହିଁ ସ୍ବଦେଶ ଟିକା ଉତ୍ପାଦନ ଯଥେଷ୍ଟ ହେବ।

ପ୍ରସଙ୍ଗକୁ ସ୍ପଷ୍ଟ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର୍‌‌ ଜେନେରାଲ୍‌ ତୁଷାର ମେହେଟା କହିଲେ ଯେ, ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’, ‘ଭାରତ ବାୟୋଟେକ୍‌’ ଏବଂ ‘ଡକ୍ଟର୍‌ ରେଡିସ୍‌ ଲ୍ୟାବ୍‌’ ଭଳି ସ୍ବଦେଶୀ ଟିକା ଉତ୍ପାଦନକାରୀଙ୍କ ଉତ୍ପାଦନ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଦେବା ପାଇଁ ଯଥେଷ୍ଟ ହେବ।

Image Courtesy of Free Press Journal

ଉତ୍କଟ ଟିକା ସଙ୍କଟ ଯୋଗୁଁ କେତେକ ରାଜ୍ୟ ‘ଗ୍ଲୋବାଲ୍‌ ଟେଣ୍ଡର୍‌’ ଜାରି କରିଥିବା ରିପୋର୍ଟ ମିଳିବା ପରେ ସୁପ୍ରିମ୍‌ କୋର୍ଟ ଆଜି ଏହି ପ୍ରସଙ୍ଗ ଶୁଣାଣି କରିଥିଲେ। ସମ୍ପ୍ରତି ଦେଶରେ ଟିକା ଡୋଜ୍‌ ନିଃଶେଷ ହୋଇଯାଉଥିବାଜନିତ ସମସ୍ୟା ଉପରେ ଗୁରୁତ୍ବାରୋପ କରି ସୁପ୍ରିମ୍‌ କୋର୍ଟ କହିଲେ ଯେ, ସମଗ୍ର ଦେଶ ପାଇଁ ଟିକା ଯୋଗାଡ଼ କରିବା ଦାୟିତ୍ବ କେନ୍ଦ୍ର ସରକାର ବହନ କରିବା ଉଚିତ।

ଏ ପ୍ରସଙ୍ଗରେ ଖଣ୍ଡପୀଠ ମେହେଟାଙ୍କୁ କହିଲେ, ଜାତୀୟ ସଙ୍କଟ ବେଳେ କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ଟିକା ଖରିଦ କରିବା ଉଚିତ। ଅସୁବିଧା ସମୟରେ ରାଜ୍ୟମାନଙ୍କୁ ସୁରକ୍ଷା ଓ ସହାୟତା ବିନା ଏକା ଛାଡ଼ି ଦିଆଯାଉଛି। ଆମେ ବୈଶ୍ବିକ ସ୍ତରରେ ବୁଝାମଣା କରି ସମସ୍ତଙ୍କ ପାଇଁ ଟିକା ଖରିଦ କରିବୁ ବୋଲି ରାଜ୍ୟମାନଙ୍କୁ କହିଲେ କଥାଟା ସ୍ପଷ୍ଟ ହୋଇ ଯାଆନ୍ତା।

The post ଏବର୍ଷ ଶେଷ ସୁଦ୍ଧା ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦେଇ ପାରିବୁ ବୋଲି ଆତ୍ମବିଶ୍ବାସ ଅଛି: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର first appeared on Sambad.

from କରୋନା | Sambad https://ift.tt/34yrgxe