
ବିଏମ୍ସି ସହ ପ୍ରଦୀପ ସେବା ଟ୍ରଷ୍ଟର ଏମ୍ଓୟୁ
ମେ’ ୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ପଟିଆ ଶ୍ମଶାନ
ଭୁବନେଶ୍ବର : ରାଜଧାନୀର ବିଭିନ୍ନ ସ୍ଥାନରେ ଶ୍ମଶାନ ଥିଲେ ବି ବିଏମ୍ସି ଏହାର ସଦୁପଯୋଗ କରିପାରୁନଥିବା ନେଇ ସମ୍ବାଦରେ ଲଗାତାର ଖବର ପ୍ରକାଶ ପାଇଥିଲା। ଏହାପରେ ବିଏମ୍ସି କମିସନର ସଞ୍ଜୟ ସିଂହ ଆଜି ତୁରନ୍ତ ଦୁଇଟି ଶ୍ମଶାନକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିସନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଏମ୍ସି ପକ୍ଷରୁ ଆସନ୍ତା ସପ୍ତାହରୁ ଭରତପୁର ଶ୍ମଶାନକୁ କାର୍ଯ୍ୟକ୍ଷମ କରାଯିବ। ଏଥିପାଇଁ ପ୍ରଦୀପ ସେବା ଟ୍ରଷ୍ଟ ସହ ବିଏମ୍ସି ଏମ୍ଓୟୁ ସ୍ବାକ୍ଷର କରିଛି। ମେ’ ୨୫ ସୁଦ୍ଧା ପଟିଆସ୍ଥିତ ଶ୍ମଶାନ କାର୍ଯ୍ୟକ୍ଷମ ହେବ।

ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ଭରତପୁର ମଶାଣି ପ୍ରାୟ ଦେଢ଼ କୋଟି ଟଙ୍କାରେ ନିର୍ମାଣ ହୋଇଥିଲେ ହେଁ ଏହାର ଉଚିତ୍ ବ୍ୟବହାର ହୋଇପାରୁନଥିଲା। ଏହାର ପରିଚାଳନା କରିବା ପାଇଁ ପ୍ରଦୀପ ସେବା ଟ୍ରଷ୍ଟ ନାମକ ଏକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏହି ସଂସ୍ଥା ଦୁଇରୁ ତିନି ଦିନ ମଧ୍ୟରେ କାମ ଆରମ୍ଭ କରିବ। ଏଠାରେ ଏକସଙ୍ଗେ ୮ଜଣଙ୍କର ଶବଦାହ ହୋଇପାରିବା ବ୍ୟବସ୍ଥା କରାଯାଇଛି। ୨୪ଘଣ୍ଟା ଏହି ଶ୍ମଶାନରେ ଶବଦାହ ହେବାର ବ୍ୟବସ୍ଥା କରାଯିବ। ଉଭୟ କୋଭିଡ୍ ଓ ଅଣକୋଭିଡ୍ ଆକ୍ରାନ୍ତଙ୍କର ଏଠାରେ ଶବଦାହ ହେବ। ସରକାରୀ ନିୟମାବଳୀ ଅନୁସାରେ ସମସ୍ତଙ୍କର ଏଠାରେ ଶବଦାହ ହେବ। ଶ୍ମଶାନ ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ସମସ୍ତଙ୍କର ରେଜିଷ୍ଟରରେ ନାମ ପଞ୍ଜୀକରଣ କରିବ। ପ୍ରତି ଶବଦାହ ପାଇଁ ସଂସ୍ଥା ୨୫୦୦ଟଙ୍କା ନେବ। ଏଥିରେ କାଠ ଓ ପୋଡ଼ିବା ବ୍ୟବସ୍ଥା କରିବ। ସେହିପରି ଶ୍ମଶାନରେ ପୂଜା ସମାଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ସଂସ୍ଥା ଯୋଗାଇବ। ଏହାକୁ ଧାର୍ଯ୍ୟ ମୂଲ୍ୟରେ ଯୋଗାଇବ। ବର୍ଷକ ପାଇଁ ସଂସ୍ଥା ସହ ଚୁକ୍ତି ହୋଇଛି। ଯଦି ଏହାଠାରୁ ଅଧିକ ଟଙ୍କା ନିଏ ବା କୌଣସି ପ୍ରକାରର ଅବ୍ୟବସ୍ଥା କରେ, ତେବେ ଚୁକ୍ତି ବାତିଲ୍ କରିଦିଆଯିବ ବୋଲି କୁହାଯାଇଛି।
ପ୍ରତି ମାସରେ ସଂସ୍ଥା ପକ୍ଷରୁ କେତେ ଶବ ସତ୍କାର କରାଗଲା, ସେନେଇ ବିଏମ୍ସିକୁ ରିପୋର୍ଟ ଦିଆଯିବ। ବିଏମ୍ସି ପକ୍ଷରୁ ଆଜି ଡେପୁଟି କମିସନର୍ ଶ୍ରୀମନ୍ତ ମିଶ୍ର ଓ ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠାନର ସମ୍ପାଦିକା ମଧୁସ୍ମିତା ପୃଷ୍ଟି ଚୁକ୍ତି ସ୍ବାକ୍ଷର କରିଛନ୍ତି। ସେହିପରି ଆଜି ବିଏମ୍ସି କମିସନର ୱାର୍ଡ-୨ରେ ନିର୍ମାଣ ହେଉଥିବା ଶ୍ମଶାନକୁ ବୁଲି ଦେଖିଛନ୍ତି। ଶ୍ମଶାନକୁ ମେ’ ୨୫ ତାରିଖ ସୁଦ୍ଧା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଏକ ଗ୍ୟାସ୍ ଚୁଲା ଲାଗିଥିବା ବେଳେ ଏହି ଶ୍ମଶାନରେ ଉଭୟ କୋଭିଡ୍ ଓ ଅଣକୋଭିଡ୍ ଆକ୍ରାନ୍ତଙ୍କ ଶବ ସତ୍କାର ହେବ। ଏବେ ସ୍ବର୍ଗଦ୍ବାର ବନ୍ଦ ହୋଇଥିବାରୁ ରାଜଧାନୀର ବିଭିନ୍ନ ଶ୍ମଶାନରେ ମୃତକଙ୍କ ଭିଡ଼ ଜମୁଛି। ତେଣୁ ଅଗ୍ରାଧିକାର ଭିତ୍ତିରେ ଶ୍ମଶାନଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।
The post ସତ୍ୟନଗର ଶ୍ମଶାନ ବୋଝ କମିବ, ଭରତପୁର ଶ୍ମଶାନରେ ହେବ କୋଭିଡ୍ ଆକ୍ରାନ୍ତଙ୍କ ଶବଦାହ first appeared on Sambad.from କରୋନା | Sambad https://ift.tt/2RmSxzR
0 Comments