ବେଙ୍ଗାଲୁରୁ : ମହାମାରୀ କୋଭିଡ୍‌-୧୯ର ପ୍ରାଦୁର୍ଭାବ ବିରୋଧରେ ଏବେ ବି ବିଶ୍ବର ଅନେକ ରାଷ୍ଟ୍ର ଲଢ଼େଇ ଜାରି ରଖିଥିବା ବେଳେ ମୃତ୍ୟୁ ସଂଖ୍ୟା ପ୍ରକାଶକୁ ନେଇ ବିଭ୍ରାନ୍ତି ଦେଖିବାକୁ ମିଳିଛି । ଅନେକ ଦେଶରେ କୋଭିଡ୍‌ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ଠିକ୍‌ରେ ସେମାନଙ୍କ ପରିସଂଖ୍ୟାନରେ ପ୍ରଦର୍ଶିତ ହେଉନାହିଁ ବୋଲି ଓ୍ୱାସିଂଟନ ବିଶ୍ବବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହେଲ୍‌ଥ ମେଟ୍ରିକ୍‌ସ ଆଣ୍ଡ୍‌ ଇଭାଲ୍ୟୁସନ୍‌(ଆଇଏଚ୍‌ଏମ୍‌ଇ) ପକ୍ଷରୁ ଦାବି କରାଯାଇଛି।

ଉକ୍ତ ସଂସ୍ଥା ଦ୍ବାରା ସଂଘଟିତ ‘ପ୍ରକୃତ କୋଭିଡ୍‌ ମୃତକଙ୍କ ପରିଗଣନା’ ନାମକ ଅନୁଧ୍ୟାନ ଅନୁଯାୟୀ, ଭାରତ ଓ ଆମେରିକାରେ ସରକାରୀ ଭାବେ ଘୋଷିତ କୋଭିଡ୍‌ ମୃତକଙ୍କ ମଧ୍ୟରେ ୭.୭ ଲକ୍ଷ ସଂଖ୍ୟକ ପ୍ରକୃତ ମୃତକ ସ୍ଥାନ ପାଇନଥିବା କୁହାଯାଇଛି। ସେଥିରୁ ଆମେରିକା ତାଲିକାରେ ୩.୪ ଲକ୍ଷ ମୃତକ ଗାଏବ୍‌ ହୋଇଯାଇଥିବା ବେଳେ ଭାରତରେ ମଧ୍ୟ ୪.୩ ଲକ୍ଷ ମୃତକ ସରକାରୀ ତାଲିକାଭୁକ୍ତ ହୋଇନାହାନ୍ତି। ସେହିପରି ରୁଷିଆରେ ସର୍ବାଧିକ ୪.୮୪ ଲକ୍ଷ ମୃତକ ଲୋକଲୋଚନକୁ ଆସିନଥିବା କୁହାଯାଇଛି।

ସୂଚନା ଥାଉ କି, ଅଧିକ କୋଭିଡ୍‌ ମୃତ୍ୟୁକୁ ବହନ କରିଥିବା ବିଶ୍ବର ଶୀର୍ଷ ୬ଟି ଦେଶ ମଧ୍ୟରୁ ସେ ସଂକ୍ରାନ୍ତ ସୂଚନା ଦେବାରେ ୟୁକେ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଷଷ୍ଠ ସ୍ଥାନରେ ରୁଷିଆ ରହିଛି। ସେମାନଙ୍କ ମଧ୍ୟରେ ଭାରତ, ଆମେରିକା, ମେକ୍ସିକୋ, ବ୍ରାଜିଲ, ୟୁକେ ଓ ରୁଷିଆରେ ଘୋଷିତ କୋଭିଡ୍‌ ମୃତ୍ୟୁ ଯଥାକ୍ରମେ (୨,୨୧,୧୮୧), (୫,୭୪,୦୪୩), (୨,୧୭,୬୯୪), (୪,୦୮,୬୮୦), (୧,୫୦,୫୧୯) ଓ (୧,୦୯,୩୩୪) ରହିଥିବା ବେଳେ ପ୍ରକୃତ ମୃତ୍ୟୁ ଯଥାକ୍ରମେ (୬,୫୪,୩୯୫), (୯,୦୫,୨୮୯), (୬,୧୭,୧୨୭), (୫,୯୫,୯୦୩), (୨,୦୯,୬୬୧) ଓ (୫,୯୩,୬୧୦) ହୋଇଥିବ ବୋଲି ଆଇଏଚ୍‌ଏମ୍‌ଇ ପକ୍ଷରୁ ଆକଳନ କରାଯାଇଛି।

The post ଆମେରିକା ୩.୪ ଲକ୍ଷ, ଭାରତ ୪.୩ ଲକ୍ଷ କୋଭିଡ୍‌ ମୃତ୍ୟୁ ହିସାବ କରିନି: ସର୍ବେକ୍ଷଣ first appeared on Sambad.

from କରୋନା | Sambad https://ift.tt/2Qo03tQ