ଭୁବନେଶ୍ବର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି ପକ୍ଷରୁ ସମସ୍ତ ଗୁରୁତର ଆକ୍ରାନ୍ତଙ୍କୁ ଯେପରି ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିହେବ, ସେଥିପାଇଁ ଆମ୍ବୁଲାନ୍ସ ସେବାକୁ ବ୍ୟବସ୍ଥିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ବିଏମ୍‌ସି ନିକଟରେ କୋଭିଡ୍‌ ପରିଚାଳନା ପାଇଁ ୬୪ଟି ଆମ୍ବୁଲାନ୍ସ ଥିବା ବେଳେ ୪୦ଟିରେ ଜିପିଏସ୍‌ ଲାଗିଛି। ତେଣୁ ବାକି ୨୪ଟିରେ ତୁରନ୍ତ ଜିପିଏସ୍‌ ଲଗାଇବାକୁ କମିସନର୍‌ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଲୋକ ୧୯୨୯ କଲ୍‌ ସେଣ୍ଟର୍‌ରେ ଫୋନ୍‌ କରି ଆମ୍ବୁଲାନ୍ସ ପାଇବା ପରେ ଯେପରି ତାଙ୍କ ନିକଟରେ ଆମ୍ବୁଲାନ୍ସ ତୁରନ୍ତ ପହଞ୍ଚିବ, ସେଥିପାଇଁ ଏହାକୁ ଟ୍ରାକିଂ କରାଯିବ। ଯେପରି ଆମେ ଟ୍ୟାକ୍ସି ବୁକିଂ କଲେ, ଏହାକୁ ଟ୍ରାକିଂ କରାଯାଇପାରୁଛି ସେହିପରି ଆମ୍ବୁଲାନ୍ସକୁ ଟ୍ରାକିଂ କରାଯିବ।

ଏହାବାଦ୍ ପ୍ରତି ଜୋନ୍‌ରେ ଏବେ ତିନିଟି ଲେଖାଏଁ ଆମ୍ବୁଲାନ୍ସ ଥିବା ବେଳେ ଏହାକୁ ୧୦କୁ ବଢ଼ାଯିବ। ପ୍ରତି ଜୋନ୍‌କୁ ଆଉ ୭ଟି ଲେଖାଏଁ ଆମ୍ବୁଲାନ୍ସ ଦିଆଯିବ। ଏହାଦ୍ବାରା ଜୋନାଲ ଡେପୁଟି କମିସନର ଓ ରାପିଡ୍ ରେସ୍ପନ୍ସ ଟିମ୍ ବା ୧୯୨୯ କଲ୍‌ ସେଣ୍ଟରରୁ ଆମ୍ବୁଲାନ୍ସକୁ ତୁରନ୍ତ ଆକ୍ରାନ୍ତଙ୍କ ପାଖରେ ପହଞ୍ଚାଇ ଦିଆଯିବ। ଜୋନାଲ ଡେପୁଟି କମିସନରମାନେ ବି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦେଖି ସେମାନଙ୍କୁ ହସ୍ପିଟାଲ, କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର କରିପାରିବେ। ବାକି ୩୪ଟି ଆମ୍ବୁଲାନ୍ସ କ୍ୟାପିଟାଲ ହସ୍ପିଟାଲରେ ରହିବ। ଏହାକୁ କେନ୍ଦ୍ରୀୟ ପରିଚାଳନା କରାଯିବ। ଆମ୍ବୁଲାନ୍ସ ସେବା ପରିଚାଳନା ପାଇଁ ପ୍ରତି ଜୋନ୍‌ ସ୍ତରରେ ‌ଜଣେ ଓଆରଏସ୍‌ ଅଧିକାରୀ, ଜଣେ ଏଏସ୍‌ଓ, ଜଣେ ଡିଇଓ ଅଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଥିବା ଆମ୍ବୁଲାନ୍ସ ପାଇଁ ଜଣେ ଓଏଏସ୍‌ ଅଧିକାରୀ, ଏଏସ୍‌ଓ, ଆୟୁଷ ଡାକ୍ତର, ଡିଇଓ ପ୍ରମୁଖ ଅଛନ୍ତି।

The post ସବୁ ଆମ୍ବୁଲାନ୍ସରେ ଜିପିଏସ୍, ପ୍ରତି ଜୋନ୍‌ରେ ରହିବ ୧୦ଟି ଲେଖାଏଁ ଆମ୍ବୁଲାନ୍ସ first appeared on Sambad.

from କରୋନା | Sambad https://ift.tt/3hmReeS