ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଆଉ ସପ୍ତାହକ ପାଇଁ ‘ଲକ୍‌ଡାଉନ୍‌’ ବଢ଼ାଇ ଦିଆଯାଇଛି। ଯଦି ଦୈନିକ କୋଭିଡ୍‌ ସଂଖ୍ୟା ହ୍ରାସ ପାଏ, ‘ଅନ୍‌ଲକିଙ୍ଗ୍‌’ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି।

‘ପଜିଟିଭ୍‌’ ହାର ହ୍ରାସ କରିବା ପାଇଁ ଦିଲ୍ଲୀ ଉଦ୍ୟମ ଚଳାଉଥିବା ଉପରେ ଗୁରୁତ୍ବାରୋପ କରି ସ‌େ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପାଇଁ ମେ ୩୧ ତାରିଖ ଭୋର୍‌ ୫ଟା ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ଜାରି ରହିବ ଏବଂ ‘ଅନ୍‌ଲକ୍‌’ ପ୍ରକ୍ରିୟା ମଧ୍ୟ ମନ୍ଥର ହେବ।

କୋଭିଡ୍‌ ସଂକ୍ରମଣ ମାମଲା ଊର୍ଦ୍ଧ୍ବମୁଖୀ ହୋଇ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଅକ୍ଷମ କରିପକାଇବା ସହ ଅନେକଙ୍କର ମୃତ୍ୟୁର କାରଣ ହେବାରୁ ଗତ ମାସରେ ଦିଲ୍ଲୀରେ ‘ଲକ୍‌ଡାଉନ୍‌’ ଘୋଷିତ ହୋଇଥିଲା।

Image Courtesy of News18

ସ୍ମରଣଯୋଗ୍ୟ, ଦିଲ୍ଲୀରେ ଅକ୍ସିଜେନ୍‌, ଶଯ୍ୟା ଏବଂ ଔଷଧ ଅଭାବ ହେବାରୁ ରୋଗୀମାନଙ୍କ ପରିବାରବର୍ଗ ବାରଆଡ଼େ ବୁଲିଲେ। ଶ୍ମଶାନରେ ଶବସଂଖ୍ୟା ଅସ୍ବାଭାବିକ ଭାବେ ବଢ଼ି ଫୁଟ୍‌ପାଥ୍‌ ଓ କାର୍ ପାର୍କ ପର୍ଯ୍ୟନ୍ତ ମାଡ଼ି ଆସିବା ଫଟୋ ବିଶ୍ବର ବିଭିନ୍ନ ଖବରକାଗଜ ପ୍ରମୁଖ ଖବର ହୋଇ ଛାପାହେଲା।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି, ଏବେ ଆମର ପ୍ରାଥମିକତା ହେଉଛି ଯଥାସମ୍ଭବ କମ୍‌ ସମୟ ମଧ୍ୟରେ ଲୋକମାନଙ୍କୁ ଟିକା ଦେବା। ଦିଲ୍ଲୀରେ ତିନି ମାସ ମଧ୍ୟରେ ସମସ୍ତଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରିଛୁ, କିନ୍ତୁ ଟିକା ନାହିଁ। ଠିକ୍‌ ସମୟରେ ସ‌ମସ୍ତେ ଟିକା ନେଇ ପାରିଲେ ଆମେ ହୁଏ ତ କୋଭିଡ୍‌ର ତୃତୀୟ ପ୍ରବାହ ଏଡ଼ାଇ ପାରନ୍ତେ।

କେନ୍ଦ୍ର ସରକାର ଓ ବିଦେଶୀ କମ୍ପାନିଗୁଡ଼ିକରୁ ସର୍ବାଧିକସଂଖ୍ୟକ ଟିକା ଆଣିବା ପାଇଁ ଦିଲ୍ଲୀ ସରକାର ଉଦ୍ୟମ କରୁଛନ୍ତି। ଏହାଛଡ଼ା, ପିଲାମାନଙ୍କୁ ଆକ୍ରାନ୍ତ କରିବ ବୋଲି ବିଶେଷଜ୍ଞମାନେ କହୁଥିବା ସମ୍ଭାବ୍ୟ ତୃତୀୟ ପ୍ରବାହକୁ ମୁକାବିଲା କରିବା ଲାଗି ମଧ୍ୟ ପ୍ରସ୍ତୁତି ଚାଲିଛି।

The post ପୁଣି ବଢ଼ିଲା ଦିଲ୍ଲୀ ‘ଲକ୍‌ଡାଉନ୍‌’; କେଜ୍ରିୱାଲ୍‌ କହିଲେ ଯଦି ସଂକ୍ରମଣ କମେ, ‘ଅନ୍‌ଲକ୍’ ପ୍ରକ୍ରିୟା ଆରମ୍ଭ ହେବ first appeared on Sambad.

from କରୋନା | Sambad https://ift.tt/3wmRluY