
ଭୁବନେଶ୍ବର : ମହାମାରୀ କରୋନା ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଏମିତି ପ୍ରହାର କରୁଛି ଯେ ଅଣ୍ଟା ସଳଖି ଛିଡ଼ା ହେବା ପୂର୍ବରୁ ନୂଆ ସମସ୍ୟାର ପାହାଡ଼ରେ ପୋତି ହୋଇଯାଉଛନ୍ତି। ଜୀବନ ଜିଇଁବା ପାଇଁ ଅତ୍ୟାବଶ୍ୟକ ମୌଳିକ ସୁବିଧା ମଧ୍ୟ ମିଳୁ ନାହିଁ। ତେବେ ଏଭଳି ଦୈନନ୍ଦିନ ସମସ୍ୟା ତଥା ଋଣଗ୍ରସ୍ତ ଜୀବନରୁ ମୁକୁଳିବା ପାଇଁ ଗତ କିଛି ମାସ ତଳେ ଫୁଲବାଣୀର ରାଜେନ୍ଦ୍ର ଦିଗାଲ୍(୫୭) କାମ କରିବାକୁ କେରଳର ଏର୍ଣ୍ଣାକୁଲମ୍ ଯାଇଥିଲେ। ହେଲେ ଭାଗ୍ୟର ବିଡ଼ମ୍ବନା, କାମ କରିବାକୁ ଯାଇ ସେଠାରୁ କମ୍ପାନିରୁ ବିତାଡ଼ିତ ହୋଇ ୧୦ଦିନ ହେବ ଘରେ ବସିଛନ୍ତି। ପାଖରେ ଟଙ୍କା ନଥିବା ବେଳେ କେରଳର ସ୍ଥାନୀୟ ପ୍ରଶାସନ ଲକ୍ଡାଉନ୍ ଘୋଷଣା କରିଥିବାରୁ ଓଡ଼ିଶାକୁ ମଧ୍ୟ ଫେରି ପାରୁନଥିବା କହିଛନ୍ତି।
ରାଜେନ୍ଦ୍ରଙ୍କ କହିବା ମୁତାବକ, ସେ ଫୁଲବାଣୀର ଟିକାବାଲି ଅଞ୍ଚଳରେ ରୁହନ୍ତି। ଗତ କିଛି ବର୍ଷ ତଳେ ଝିଅର ବାହାଘର କରିବାକୁ କିଛି ଟଙ୍କା ସୁଧ ଆକାରରେ ମହାଜନ ପାଖରୁ ଆଣିଥିଲେ। ଗତବର୍ଷ କରୋନା ଯୋଗୁଁ ଟିକାବାଲିରେ କାମ ମିଳିଲା ନାହିଁ। ଯାହା ସଂଚୟ କରିଥିଲେ, ସେତିକିରେ ଗତବର୍ଷ ଚଳିଲେ। ହେଲେ ମହାଜନକୁ ମାସେ, ଦି’ ମାସ ଏଭଳି ୮ମାସ ପର୍ଯ୍ୟନ୍ତ ଟଙ୍କା ନାହିଁ ବୋଲି କହି ଭୁଲାଇ ରଖିଥିଲେ। ହେଲେ ମହାଜନ ଶେଷରେ ଟଙ୍କା ନଦେଲେ ପୈତୃକ ଜମିକୁ ନେଇଯିବ ବୋଲି କହିବାରୁ ସେ ବାଧ୍ୟ ହୋଇ କେରଳର ଏକ କାଠ କମ୍ପାନିରେ କାମ କରିବାକୁ ଯାଇଥିଲେ। ଦି’ ମାସ କମ୍ପାନିରେ କାମ କରିବା ପରେ ଏବେ କରୋନା ପାଇଁ ବେପାର ମାନ୍ଦା ହେବାରୁ ମାଲିକ କାମ କରିପାରୁନାହଁ ବୋଲି କହି କମ୍ପାନିରୁ ତଡ଼ିଦେଲା। ଦି’ମାସର କାମ ଭିତରେ ଯେତିକି ପଇସା ପାଇଲେ ଅର୍ଦ୍ଧାଧିକ ଟଙ୍କା ମହାଜନକୁ ଦେଇଥିବାରୁ କେମିତି ଏବେ ଘରକୁ ଆସିବେ ତାଙ୍କ ପାଇଁ ସମସ୍ୟା ଛିଡ଼ା କରିଛି।
ଏଭଳି ଦୁଃସମୟରେ ତାଙ୍କୁ ସେଠାରେ ଖାଇବା, ରହିବା ପାଇଁ କେହି ସାହା ହେଉ ନଥିବାରୁ ସେ ରାଜ୍ୟକୁ ଫେରିବାକୁ ଚାହୁଛନ୍ତି। ମାତ୍ର ଲକ୍ଡାଉନ୍ ପାଇଁ ଘରକୁ ଫେରିପାରୁନଥିବାରୁ ସେ ଏଠାରେ ତାଙ୍କ ଝିଅ ଓ ସଂପର୍କୀୟଙ୍କ ଜରିଆରେ ରାଜ୍ୟକୁ ଫେରିବା ପାଇଁ ପ୍ରଶାସନକୁ ନେହୁରା ହୋଇଛନ୍ତି। କେହି ସହୃଦୟ ବ୍ୟକ୍ତି ତାଙ୍କ ୮୮୯୫୦୩୦୨୭୪ ନମ୍ବରରେ ଯୋଗାଯୋଗ କରି ଘରକୁ ଫେରିବାରେ ସହଯୋଗ କରିବାକୁ ରାଜେନ୍ଦ୍ର ନିବେଦନ କରିଛନ୍ତି।
The post ରୋଜଗାର ଆଶାରେ କେରଳ ଯାଇ ଫସିଲେ, ଲକ୍ଡାଉନ ପାଇଁ ଘରକୁ ଫେରିପାରୁନାହାନ୍ତି ରାଜେନ୍ଦ୍ର first appeared on Sambad.from କରୋନା | Sambad https://ift.tt/3fnHgak
0 Comments