
ରାଉରକେଲା: କରୋନା ଆଜି ଜଣେ ପୂର୍ବତନ ଜାତୀୟ ହକି ଖେଳାଳିଙ୍କ ଜୀବନ ନେଇଛି। ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ଜାତୀୟ ହକି ଖେଳାଳି ସଞ୍ଜିବ ବାର୍ଲାଙ୍କ ରବିବାର ପରଲୋକ ଘଟିଛି। ସେ କିଛି ଦିନ ପୂର୍ବେ ଭାଇର ନିର୍ବନ୍ଧ ପାଇଁ ନିଜ ଗାଁ କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଲାଖୋଟୋଲିକୁ ଆସିଥିଲେ। ଏପ୍ରିଲ ୧୨ ତାରିଖରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ତା’ ପରଦିନ, ଅର୍ଥାତ ଏପ୍ରିଲ ୧୩ ତାରିଖରେ ରାଜଗାଙ୍ଗପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ନିଶ୍ବାସ ପ୍ରଶ୍ବାସ ନେବାରୁ ଅସୁବିଧା ହେବାରୁ ତାଙ୍କୁ ଏପ୍ରିଲ ୧୫ ତାରିଖରେ ରାଉରକେଲା ସ୍ଥିତ ଜୟ ପ୍ରକାଶ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ପ୍ରାୟ ସାଢ଼େ ୭ଟାରେ ତାଙ୍କର ମୃତ୍ୟୁ ହୋଇଛି। କୋଭିଡ୍ ନିୟମାବଳୀ ଅନୁସାରେ ବେଦବ୍ୟାସ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବିଡ଼ମ୍ବନା ଏହା ଯେ, ଆଜିଥିଲା ସଞ୍ଜୀବଙ୍କ ଦ୍ବିତୀୟ ବାର୍ଷିକୀ। ସଞ୍ଜୀବଙ୍କ ଅକାଳ ବିୟୋଗ ହକି ଖେଳାଳି ଓ ହକି ପ୍ରେମୀଙ୍କ ମହଲରେ ଶୋକ ଖେଳାଇଦେଇଛି।

ପ୍ରକାଶଥାଉକି, ସଞ୍ଜୀବ ୨୦୧୫ରୁ ୨୦୧୦ ମସିହା ଯାଏଁ ସେଲ୍ ହକି ଏକାଡେମୀର ଛାତ୍ର ଥିଲେ। ଏହି ସମୟରେ ସେ ଏକାଧିକ ଉପକନିଷ୍ଠ, କନିଷ୍ଠ ଜାତୀୟ ପ୍ରତିଯୋଗିତାରେ ଭାଗନେଇଥିଲେ। ୨୦୦୭ ମସିହାରେ ଗୁଣ୍ଟୁର(ଆନ୍ଧ୍ରପ୍ରଦେଶ) ଓ ୨୦୦୮ ମସିହାରେ ହାଇଦ୍ରାବାଦରେ ଅନୁଷ୍ଠିତ କନିଷ୍ଠ ଜାତୀୟ ପ୍ରତିଯୋଗିତାର ସ୍ବର୍ଣ୍ଣ ବିଜୟୀ ଦଳର ସଦସ୍ୟ ଥିଲେ। ୨୦୦୯-୧୦ରେ ପାକିସ୍ତାନ ଗସ୍ତ ପାଇଁ ଭାରତୀୟ କନିଷ୍ଠ ଦଳର କ୍ୟାମ୍ପ୍ରେ ସାମିଲ ହୋଇଥିଲେ। ତେବେ ଏହି ଗସ୍ତ ବାତିଲହେବାରୁ ଅନ୍ତର୍ଜାତୀୟ ପଦାର୍ପଣ କରିବାରୁ ବଞ୍ଚିତ ହୋଇଥିଲେ। ଜାତୀୟ ପ୍ରତିଯୋଗିତାରେ ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ ତାଙ୍କୁ ୨୦୧୧ ମସିହାରେ ପଶ୍ଚିମ ରେଳବାଇ ମୁମ୍ବାଇରେ ନିଯୁକ୍ତି ପାଇଥିଲେ। ୨୦୧୧ ପରଠାରୁ ସେ ରେଳବାଇ ଦଳର ପ୍ରତିନିଧି କରିଥିଲେ। ସଞ୍ଜୀବ ୨୦୧୯ ମେ’ ୨ ତାରିଖରେ ଝାରବେଡ଼ାର ମୂଳବାସିନ୍ଦା ତଥା ବ୍ୟାଙ୍କ୍ କର୍ମଚାରୀ ଅନନ୍ତୀ କେର୍କେଟାଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକମାତ୍ର ଝିଅ(୮ମାସ) ଅଛନ୍ତି।
The post କୋଭିଡ୍ ନେଲା ଜାତୀୟ ହକି ଖେଳାଳିଙ୍କ ଜୀବନ first appeared on Sambad.from କରୋନା | Sambad https://ift.tt/3vBOEpb
0 Comments