ନୂଆଦିଲ୍ଲୀ: ଆସନ୍ତା ସପ୍ତାହ ପ୍ରାରମ୍ଭରୁ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ‘୨-ଡିଜି’ ଔଷଧର ଶୁଭାରମ୍ଭ କରାଯିବ ବୋଲି ଶୁକ୍ରବାର ଦିନ ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ର (ଡିଆର୍‌ଡିଓ) ଅଧିକାରୀମାନେ ସୂଚନା ଦେଇଛନ୍ତି। ପ୍ରଥମ ବ୍ୟାଚ୍‌ରେ ଏହି ଔଷଧ ୧୦,୦୦୦ ଡୋଜ୍‌ ଉତ୍ପାଦନ କରାଯାଉଛି।

ସେମାନେ କହିଛନ୍ତି କି, ଆଗକୁ ବ୍ୟବହାର କରାଯିବା ନିମନ୍ତେ ଏହି ଔଷଧର ଉତ୍ପାଦନ ବୃଦ୍ଧି କରିବା ଲାଗି ଔଷଧ ଉତ୍ପାଦନକାରୀମାନେ ତତ୍ପର ହୋଇ ଉଠିଛନ୍ତି। ଡକ୍ଟର୍‌ ଅନନ୍ତ ନାରାୟଣ ଭଟ୍ଟଙ୍କ ସମେତ ‘ଡିଆର୍‌ଡିଓ’ର ଦଳେ ବୈଜ୍ଞାନିକ ଏହି ଔଷଧ ପ୍ରସ୍ତୁତ କରିଛନ୍ତି।

Image Courtesy of ANI

ଶୁକ୍ରବାର ଦିନ କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର ‘ଡିଆର୍‌ଡିଓ’ କ୍ୟାମ୍ପସ୍‌କୁ ଯାଇଥିଲେ। ସେଠାରେ ବୈଜ୍ଞାନିକମାନେ ତାଙ୍କୁ ‘୨-ଡିଜି’ ଔଷଧର ଉପାଦେୟତା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ।

ଏହି ଔଷଧର ‘ମଲିକ୍ୟୁଲ୍‌’ ଚିକିତ୍ସାଧୀନ କୋଭିଡ୍-୧୯ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଅମ୍ଳଜାନ ନିର୍ଭରଶୀଳତା ହ୍ରାସ କରାଉଥିବା କଥା ନୈଦାନିକ ପରୀକ୍ଷଣରୁ ଜଣାପଡ଼ିଛି ବ‌ୋଲି ବୈଜ୍ଞାନିକମାନେ କହିଛନ୍ତି।

‘୨-ଡିଜି’ (୨-ଡିଅକ୍ସି-ଡି ଗ୍ଲୁକୋଜ୍‌) ଔଷଧକୁ ‘ଡିଆର୍‌ଡିଓ’ର ପରୀକ୍ଷାଗାର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିଆର୍‌ ମେଡିସିନ୍‌ ଆଣ୍ଡ୍‌ ଆଲାଏଡ୍‌ ସାଇନ୍‌ସେସ୍‌’ (ଆଇଏନ୍‌ଏମ୍‌ଏଏସ୍‌) ହାଇଦ୍ରାବାଦର ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ ସହ ମିଳିତଭାବେ ପ୍ରସ୍ତୁତ କରିଛି।

The post ଆଗାମୀ ସପ୍ତାହରୁ ମିଳିବ ‘ଡିଆର୍‌ଡିଓ’ ପ୍ରସ୍ତୁତ କୋଭିଡ୍‌-୧୯ ନିରୋଧୀ ଔଷଧ ‘୨-ଡିଜି’ first appeared on Sambad.

from କରୋନା | Sambad https://ift.tt/3yg5DPR