ରାୟଗଡ଼ା: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ନବବଧୂର ମୃତ୍ୟୁକୁ ନେଇ ରାୟଗଡାରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ନବବଧୁର ମୃତ୍ୟୁ ହୋଇଥିବା ଅଭିଯୋଗରେ ନାଇଡୁପେଟା ଗ୍ରାମବାସୀ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ୩ ଘଣ୍ଟାର ଆନ୍ଦୋଳନ ପରେ ଘଟଣାର ତଦନ୍ତ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି।

ନାଇଡୁପେଟାର ଜି. ତ୍ରିବେଣୀ (୨୧) ମେ ୨୧ ତାରିଖରେ ବିବାହ କରିଥିଲେ। ୨୬ ତାରିଖରେ ଅସୁସ୍ଥତା ଅନୁଭବ କରିବା ପରେ କୋଭିଡ ସ୍ୱାବ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ରାତିରେ  ତ୍ରିବେଣୀଙ୍କୁ ଜେକେପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ହିମୋଗ୍ଲୋବିନ କମ ଥିବା ଜଣା ପଡିଥିଲା। ଆବଶ୍ୟକ ରକ୍ତ ପ୍ରଦାନ ପରେ ମଧ୍ୟ ତ୍ରିବେଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇନଥିଲା। ଫଳରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ମେଡିକାଲରେ ଠିକ ଚିକିତ୍ସା ହେଉନଥିବା ଅଭିଯୋଗ କରିଥିଲେ। ପ୍ରତିବାଦରେ ଗାଁ ଦେଇ ଯାଇଥିବା ଜାତୀୟ ରାଜପଥକୁ ଲୋକେ ଅବରୋଧ କରିଥିଲେ। ଖବର ପାଇ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମା ଶଙ୍କର ବେହେରା, ଚାନ୍ଦିଲି ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ମେଡିକାଲରେ ଉତ୍ତମ ଚିକିତ୍ସା ଦିଗରେ ଧ୍ୟାନ ଦିଆଯିବା ସହ ନବବଧୂ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ପରେ   ମଧ୍ୟାହ୍ନ ୧୨ ଟାରେ ରାସ୍ତାରୋକ ହଟିଥିଲା।

The post କରୋନାରେ ଆଖି ବୁଜିଲେ ନବବଧୂ: ନାଇଡୁପେଟାରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ first appeared on Sambad.

from କରୋନା | Sambad https://ift.tt/3p1WaHG