
ମୁମ୍ବାଇ: କରୋନାଭାଇରସ୍ ବିସ୍ତାର ରୋକିବା ଲାଗି ଶୁକ୍ରବାର ଦିନ ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଆଉ ୧୫ ଦିନ ଲାଗି ରାଜ୍ୟରେ ଲକ୍ଡାଉନ୍ ଭଳି କଟକଣା ଘୋଷଣା କରିଛନ୍ତି।
ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଗୁରୁବାର ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ସରକାରୀ କର୍ତ୍ତୃପକ୍ଷମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥରର ପରିବର୍ଦ୍ଧିତ ଲକ୍ଡାଉନ୍ ପାଇଁ ନୂତନ ମାର୍ଗଦର୍ଶିକା ଜୁନ୍ ୧ ତାରିଖ ଦିନ ଘୋଷଣା କରାଯିବ।
ଏବେ ମଧ୍ୟ ଆକ୍ରାନ୍ତମାନଙ୍କ ସଂଖ୍ୟା ଏବଂ ପଜିଟିଭିଟି ହାର ଅଧିକ ଏବଂ ହସ୍ପିଟାଲ୍ ବେଡ୍ ମିଳିବାରେ ସମସ୍ୟା ଉପୁଜୁଥିବା ଅଞ୍ଚଳରେ କୌଣସି କଟକଣା କୋହଳ କରାଯିବ ନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
କିନ୍ତୁ, ଯେଉଁ ସବୁ ଅଞ୍ଚଳରେ ଅବସ୍ଥା ସୁଧୁରିଛି ସେଠାରେ କିଛି ମାତ୍ରାରେ କଟକଣା କୋହଳ କରାଯାଇ ପାରେ ବୋଲି ସେ ସୂଚନା ଦେଇଛନ୍ତି।
ପୂର୍ବରୁ ଗୁରୁବାର ଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମଧ୍ୟ କହିଥିଲେ ଯେ, ପର୍ଯ୍ୟାୟକ୍ରମେ ରାଜ୍ୟରୁ ଲକ୍ଡାଉନ୍ କଟକଣା କୋହଳ କରାଯିବ। ରାଜ୍ୟରେ ପଜିଟିଭିଟି ହାର ହ୍ରାସ ପାଉଥିଲେ ବି ଏ ସମୟରେ ସତର୍କତା ଅବଲମ୍ବନ କରାଯିବା ବାଞ୍ଛନୀୟ ବୋଲି ମୁଖ୍ୟମନ୍ତ୍ରୀଙ୍କର ମନେହେଉଥିବା କଥା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଥିଲା।
ମୁଖ୍ୟମନ୍ତ୍ରୀ କହିଥିଲେ, ୧୫ଟି ଜିଲ୍ଲାରୁ ୧୦ଟି ଜିଲ୍ଲାରେ ତଥାପି ପଜିଟିଭିଟି ହାର ଅଧିକ ରହିଛି। ଏହା ବ୍ୟତିରେକେ, ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଭୟ ବି ରହିଛି।
ସୂଚନାଯୋଗ୍ୟ, ଏପ୍ରିଲ୍ ମଧ୍ୟ ଭାଗରୁ ମହାରାଷ୍ଟ୍ର ଲକ୍ଡାଉନ୍ ସଦୃଶ କଟକଣା ଜାରି ଆରମ୍ଭ କରିଥିଲା।
The post ମହାରାଷ୍ଟ୍ରରେ ୧୫ ଦିନ ବଢ଼ିଲା ଲକ୍ଡାଉନ୍ ସଦୃଶ କଟକଣା; ଜୁନ୍ ପହିଲାରେ ନୂଆ ଗାଇଡ୍ଲାଇନ୍ first appeared on Sambad.from କରୋନା | Sambad https://ift.tt/3fSMtay
0 Comments