
ଭୁବନେଶ୍ବର : ‘ବାବୁ, ବର୍ଷେ ହେଲା ଏଇ ମହାମାରୀ କରୋନା କନ୍ଦେଇଲାଣି। ଆଉ ଏମିତି କେତେଦିନ କନ୍ଦେଇବ କିଏ କହିବ! ପର ପାଖରେ ହାତ ପାତିବୁନି ବୋଲି ମନ ଥିଲେ କ’ଣ ହେବ, ଦଇବର ଇଚ୍ଛା ତ ଅଲଗା। ପୁଅ-ବୋହୂ ପଚାରିଲେ ନାହିଁ। ବୟସ ହେଲା, ସ୍ବାମୀ ଅଚଳ ହୋଇପଡ଼ିଲେ। ତଥାପି ଭିକ ମାଗି ନାହୁଁ। ଏଇ ଛୋଟିଆ ବେପାର ଆମ ବୁଢ଼ାବୁଢ଼ୀଙ୍କ ଭାତହାଣ୍ଡି ହୋଇପାରିଛି। କିନ୍ତୁ ଏଇ ରୋଗଟା ମୋ ଗରାଖ ଛଡ଼େଇ ନେଇଛି। ବର୍ଷେ ହେଲା ବହୁ ଟ୍ରେନ୍ ଚଳାଚଳ ବନ୍ଦ। ପୁଣି ହେଇ ବନ୍ଦ ହେଲାଣି। ତେଣୁ ବେପାର ବନ୍ଦ କହିଲେ ଚଳେ। ଏଥିରେ ଦଇବ ବାଧା ସାଧୁନି ତ କ’ଣ ବାବୁ! ଗତବର୍ଷ ତାଲାବନ୍ଦ ହେଲା ଯେ ବଡ଼ କଷ୍ଟରେ ବୁଢ଼ାବୁଢ଼ୀ ଚଳିଲୁ। ଏଥର ପୁଣି ସେମିତି ଅବସ୍ଥା। ମାଗିବାକୁ ମନ ନାହିଁ, ହେଲେ ପେଟ ପୋଡ଼ିଗଲେ, କ’ଣ ଆଉ କରିବୁ?’ ଲୁଗା କାନିରେ ଜକେଇ ଆସିଥିବା ଆଖି ଓ ଝାଳ ଲଟପଟ ମୁହଁକୁ ପୋଛି ଏମିତି କହୁଥିଲେ ୮୦ ବର୍ଷର ବୃଦ୍ଧା କେ.ମହାଲକ୍ଷ୍ମୀ।
ମାର୍ଷ୍ଟକ୍ୟାଣ୍ଟିନ୍ ଛକରୁ କିଛି ଦୂରରେ ରେଳଷ୍ଟେସନ ପାଖରେ କଦଳୀ ବୋଝଟିଏ ଧରି ବସିଥା’ନ୍ତି ଏହି ବୃଦ୍ଧା। ସକାଳ ୬ଟାରୁ ଆସନ୍ତି ଓ ସନ୍ଧ୍ୟା ହେଲେ ଷ୍ଟେସନ ନିକଟ ଫଳ ଗୋଦାମ ପାଖ ପଲିଥିନ୍ ଝୁମ୍ପୁଡ଼ି ଘରକୁ ଫେରିଯାନ୍ତି। ଦୀର୍ଘ ୨୦ ବର୍ଷ ହେଲାଣି ସେ ଏଠାରେ ବସି କଦଳୀ ବିକୁଛନ୍ତି। ତାଙ୍କ ଘର ଓଡ଼ିଶା ସୀମାନ୍ତ ଇଚ୍ଛାପୁରରେ। ଘରେ ପୁଅ-ବୋହୂ ପଚାରିଲେ ନାହିଁ। ତେଣୁ ଘରୁ ଗୋଡ଼ କାଢ଼ି ଆସୁ ଆସୁ ଭୁବନେଶ୍ବରରେ ପହଞ୍ଚିଲେ। ସେତେବଳେ ସ୍ବାମୀ କିଛି କାମ କରିପାରୁଥିଲେ। ଏଥିସହିତ ଫଳ ଗୋଦାମରୁ ଫଳ କିଣି ଫେରି ବେପାର କରିପାରୁଥିଲେ। ଯେତିକି ରୋଜଗାର ହେଉଥିଲା ପେଟ ଦି’ଟା ପାଇଁ କିଛି କମ୍ ହେଉନଥିଲା। ମାତ୍ର ପରେ ବୟସ ଯୋଗୁଁ ବୁଢ଼ା ଆଉ କାମ କରିପାରିଲେ ନାହିଁ। ତେଣୁ ମହାଲକ୍ଷ୍ମୀ ସ୍ବାମୀଙ୍କ ବେପାର ବୋଝକୁ କାନ୍ଧେଇଲେ। ସକାଳେ ଫଳଗୋଦାମରୁ କଦଳୀ ଧରି ସେ ଷ୍ଟେସନକୁ ଆସନ୍ତି ଓ ସଂଜ ସୁଦ୍ଧା ବୋଝର ସବୁ କଦଳୀ ପ୍ରାୟ ବିକ୍ରି ହୋଇଯାଏ। ମହାଜନକୁ ସୁଝିବା ପରେ ବି ଭଲ ଦି’ ପଇସା ବଞ୍ଚେ।
କିନ୍ତୁ ଗତବର୍ଷ ହଠାତ୍ ସବୁ କିଛି ଓଲଟପାଲଟ ହୋଇଯାଇଛି। ଗତବର୍ଷ ତାଲାବନ୍ଦ ପରଠାରୁ ବହୁ ଟ୍ରେନ୍ ବାତିଲ ହୋଇଯାଇଛି। ଗୋଟିଏ ବି ପାସେଞ୍ଜର ଟ୍ରେନ୍ ଚାଲି ନାହିଁ। ତେଣୁ ଗରାଖ କମି ଯାଇଛନ୍ତି। ଫଳରେ ଆଗ ଭଳି ଆଉ ବେପାର ନାହିଁ। ସେତେବେଳେ ଦୈନିକ ୮ଶହରୁ ହଜାରେ ଟଙ୍କାର କଦଳୀ ବିକ୍ରି ହେଉଥିଲା। ଏବେ ବର୍ଷେ ହେଲା ଟଙ୍କା ୨ ଶହ ୩ ଶହ ହେଲେ ବହୁତ ହେଲା ବୋଲି ବୁଝିବାକୁ ହେଉଛି। ତେଣୁ ସେଥିରୁ କି ଲାଭ ମିଳୁଥିବ, ଅନୁମାନ କରନ୍ତୁ ବୋଲି ଦୁଃଖରେ କହନ୍ତି ମହାଲକ୍ଷ୍ମୀ। ବର୍ଷେ ହେଲା କମ୍ ରୋଜଗାରରୁ ଦୁଇ ଜଣଙ୍କ ଖାଇବା ଖର୍ଚ୍ଚ ସହ ସ୍ବାମୀଙ୍କ ପାଇଁ ଔଷଧ କିଣିବା ତାଙ୍କ ପାଇଁ ବଡ଼ କଷ୍ଟ ହେଉଛି ବୋଲି ସେ କହିଛନ୍ତି। ତାଲାବନ୍ଦ ବେଳେ ସରକାର ଗଣ୍ଡାଏ ରାସନ୍ ସିନା ଯୋଗାଇ ଦେଉଛନ୍ତି, ସେତିକିରେ କ’ଣ ବଞ୍ଚିହେବ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଗତବର୍ଷ କଷ୍ଟ କଟି ଯାଇଥିଲା। ଏବେ ପୁଣି ସେହି କଷ୍ଟ ମାଡ଼ି ଆସିଲାଣି। ତେଣୁ ମନ ଭାଙ୍ଗିଗଲାଣି ବୋଲି ସେ କହିଛନ୍ତି। ପୁଣି ପରକୁ ହାତ ପାତିବାକୁ ପଡ଼ିବ ବୋଲି ଭାବିଲେ, ବଡ଼ କଷ୍ଟ ହେଉଛି। ଗତବର୍ଷ ପାଖରେ କିଛି ସଂଚିତ ଅର୍ଥ ଥିଲା, କିଛି ଦିନ ଚଳିଗଲା। କିନ୍ତୁ ଏଥର ତ ବେପାର ନାହିଁ। ତେଣୁ ପାଖରେ ପଇସାଟିଏ ସଞ୍ଚୟ କରିପାରିନାହିଁ। ୧୫ଦିନିଆ ତାଲାବନ୍ଦ ଯଦି ଆଗକୁ ବଢ଼ିବ, ତେବେ ତାଙ୍କ ସଂସାରରେ ନିଆଁ ଲାଗିଯିବ ବୋଲି ମହାଲକ୍ଷ୍ମୀ ଆଶଙ୍କା କରିଛନ୍ତି।
The post କରୋନା ଛାଟରେ ଛଟପଟ: ବର୍ଷେ ହେଲା କାନ୍ଦୁଛନ୍ତି କେ.ମହାଲକ୍ଷ୍ମୀ first appeared on Sambad.from କରୋନା | Sambad https://ift.tt/3h0EvOS
0 Comments