ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଗୋତଳବିନ୍ଧା, ହୀରାପୁର ଓ ମଝି ପାଣିକଟା ଗ୍ରାମ ୬ଦିନ ପାଇଁ ସିଲ୍‌ କରାଯାଇଛି। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନର ଅନୁରୋଧକ୍ରମେ ଉପଜିଲ୍ଲାପାଳ ଦେବବ୍ରତ ସାହୁ ୩ ତାରିଖ ସକାଳ ୭ଟାରୁ ୮ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ସିଲ୍‌ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଗାଁ ଭିତରକୁ କୌଣସି ଲୋକ ପଶି ପାରିବେ ନାହିଁ କି ଗ୍ରାମ ଭିତରର କୌଣସି ଲୋକ ବାହାରକୁ ଯାଇ ପାରିବେ ନାହିଁ। ସେହିପରି ଉପରୋକ୍ତ ଗ୍ରାମର ମୁଖ୍ୟ ରାସ୍ତା ଓ ଗଳି ରାସ୍ତାଗୁଡ଼ିକୁ ବାଉଁଶବାଡ଼ ବାନ୍ଧି ଅବରୋଧ କରାଯାଇଥିବା ସ୍ଥାନୀୟ ସରପଞ୍ଚ କହିଛନ୍ତି।

ଉପଜିଲ୍ଲାପାଳଙ୍କ ଦପ୍ତରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଦୁଇ ଦିନ ମଧ୍ୟରେ ଏହି ୩ଟି ଗ୍ରାମରେ ସଂକ୍ରମଣ ହାର ସର୍ବାଧିକ। ସତ୍ୟଭାମାପୁର ପଞ୍ଚାୟତ ଅଞ୍ଚଳରେ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା ବେଳେ ଉକ୍ତ ପଞ୍ଚାୟତ ଅଧୀନ ଗୋତଳବିନ୍ଧା ଗ୍ରାମରେ ୮ଜଣ ପଜିଟିଭ୍‌ ଚିହ୍ନଟ ହୋଇ ଗୃହ ସଂଗରୋଧରେ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ପୁରୋହିତପୁର ପଞ୍ଚାୟତ ଅଧୀନ ପାଣିକଟା ଗ୍ରାମରେ ନୂଆ ଓ ପୁରୁଣା ସଂକ୍ରମିତଙ୍କୁ ମିଶାଇ ୮ଜଣ, ଉକ୍ତ ପଞ୍ଚାୟତ ଅଧୀନ ବାରିଜଙ୍ଗ ଗ୍ରାମରେ ୭ଜଣ, ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ହୀରାପୁର ଗ୍ରାମରେ ୪ ଜଣ ପଜିଟିଭ୍‌ ଏବେ ଗୃହ ସଂଗରୋଧରେ ଚିକିତ୍ସାଧୀନ ଅଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ, ଏସବୁ ଅଞ୍ଚଳରେ କାରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ତେଣୁ ଆଉ ଅଧିକ ଲୋକ ସଂକ୍ରମିତ ନହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ବେଳେ ଗ୍ରାମ ବିଶୋଧନ ହୋଇନାହିଁ।

The post ବାଲିଅନ୍ତା: ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ୩ ଗାଁ ୬ ଦିନ ପାଇଁ ସିଲ୍‌ first appeared on Sambad.

from କରୋନା | Sambad https://ift.tt/339ujvj