
ଭୁବନେଶ୍ବର : ବିଏମ୍ସି ପକ୍ଷରୁ ଆଜିଠାରୁ ପୁଣି ରାଜଧାନୀର ବିଭିନ୍ନ ସ୍ଥାନରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ସିଞ୍ଚନ କାମ ଆରମ୍ଭ ହୋଇଛି। ରାଜଧାନୀର ସମସ୍ତ ହାଟ, ବଜାର, ପ୍ରମୁଖ ଅଞ୍ଚଳକୁ ବିଶୋଧନ କରିବାକୁ ଥିବା ବେଳେ ଏବେ ହଟ୍ସ୍ପଟ୍ ଅଞ୍ଚଳଗୁଡ଼ିକୁ ବଛାଯାଇଛି। ରାଜଧାନୀର ଯେଉଁ ସବୁ ଅଞ୍ଚଳଗୁଡ଼ିକରୁ ପ୍ରତିଦିନ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଠାରେ ବିଏମ୍ସି ପକ୍ଷରୁ ବିଶୋଧନ ଆରମ୍ଭ ହୋଇଛି। ଗତବର୍ଷ ଅଗ୍ନିଶମ ବିଭାଗର ବହୁ ଗାଡ଼ି ଏହି ସୋଡିୟମ୍ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ସିଞ୍ଚନ ଯୋଗୁଁ ନଷ୍ଟ ହୋଇଯିବାରୁ ଏଥର ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ଗାଡ଼ି କିଣି ବିଶୋଧନ କାମ ଆରମ୍ଭ ହୋଇଛି।
ପ୍ରତି ଜୋନ୍କୁ ତିନିଟି ଲେଖାଏଁ ଗାଡ଼ି ଦିଆଯାଇଛି। ଏହିପରି ୯ଟି ଗାଡ଼ି ସାରା ରାଜଧାନୀରେ ବୁଲି ବିଶୋଧନ କରିବ। ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନ୍ ପକ୍ଷରୁ ଆଜି ସତ୍ୟନଗର ଶ୍ମଶାନରୁ ଆରମ୍ଭ ହୋଇଥିଲା ବିଶୋଧନ କାର୍ଯ୍ୟକ୍ରମ। ଏହାପରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ପୁରୁଣା ଭୁବନେଶ୍ବର ଅଞ୍ଚଳରେ ହୋଇଥିଲା। ୟୁନିଟ୍-୧ ଓ ୟୁନିଟ୍-୪ ହାଟରେ ଭିଡ଼ ଜମୁଥିବାରୁ ଏଠାରେ ବିଶୋଧନ କରାଯାଇଛି। ସେହିପରି ଉତ୍ତର ଜୋନ୍ରେ ପଟିଆ, ରସୁଲଗଡ଼, ଡମଣା ଗାଁ ଆଦି ଅଞ୍ଚଳରେ ବିଶୋଧନ କରାଯାଇଥିଲା। ଦକ୍ଷିଣ-ପଶ୍ଚିମ ଜୋନ୍ ପକ୍ଷରୁ ନୂଆପଲ୍ଲୀ, ସୂର୍ଯ୍ୟନଗର, ଆଇଆର୍ସି ଭିଲେଜ୍, ଜାଗମରା, ଡୁମଡୁମା ଆଦି ଅଞ୍ଚଳରେ ବିଶୋଧନ ହୋଇଥିଲା। ଆସନ୍ତାକାଲି ବରମୁଣ୍ଡା, ଖଣ୍ଡଗିରି, ନୂଆପଲ୍ଲୀ ଅଞ୍ଚଳରେ ବିଶୋଧନ ହେବ। ଏହି ସବୁ ଅଞ୍ଚଳ ଏବେ ରାଜଧାନୀର ହଟ୍ସ୍ପଟ୍ ପାଲଟିଥିବାରୁ ବିଏମ୍ସି ପକ୍ଷରୁ ଏଠାରେ ବିଶୋଧନ କରାଯାଇଛି। ଏଣିକି ପ୍ରତିଦିନ ସକାଳ ଓ ସଂଧ୍ୟାରେ ପାଳି କରି ବିଭିନ୍ନ ହାଟ, ବଜାର, ଜନଗହଳି ସ୍ଥାନ ଓଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନଗୁଡ଼ିକୁ ବିଶୋଧନ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
The post ହଟ୍ସ୍ପଟ୍ରେ ଆରମ୍ଭ ହେଲା ବିଶୋଧନ first appeared on Sambad.from କରୋନା | Sambad https://ift.tt/3uQLttD
0 Comments