ଭୁବନେଶ୍ବର : ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଯଥାସମ୍ଭବ ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ବିଏମ୍‌ସି ଟାର୍ଗେଟ୍ ରଖିଛି। ଏଥିପାଇଁ ସୋମବାରଠାରୁ ଟେଷ୍ଟିଂ ବଢ଼ାଯିବ। ସେହିପରି ଏବେ ବହୁ ବରିଷ୍ଠ ନାଗରିକ (୬୦ବର୍ଷରୁ ଊର୍ଦ୍ଧ୍ବ) ଘରେ ଏକାକୀ ରହୁଥିବାରୁ ସେମାନେ କ‌ରୋନା ପରୀକ୍ଷା କରିବାକୁ ଆସି ପାରୁନାହାନ୍ତି। ତେଣୁ ସେମାନଙ୍କ ଘରକୁ ଯାଇ କୋଭିଡ୍‌ ପରୀକ୍ଷା କରାଯିବ ବୋଲି ବିଏମ୍‌ସି କମିସନର ସଞ୍ଜୟ ସିଂହ କହିଛନ୍ତି।

ବିଏମ୍‌ସି କମିସନର କହିଛନ୍ତି ‌‌ଯେ ବରିଷ୍ଠ ନାଗରିକମାନଙ୍କୁ ହାତପାହାନ୍ତାରେ କୋଭିଡ୍‌ ପରୀକ୍ଷା ଯୋଗାଇଦେବା ପାଇଁ ମୋବାଇଲ୍‌ ଟେଷ୍ଟିଂ ଭ୍ୟାନ୍ ବ୍ୟବସ୍ଥା ଆରମ୍ଭ ହେବ। ଯେଉଁମାନେ ବାହାରକୁ ଯାଇ ପାରୁନଥିବେ, ସେମାନେ ୧୯୨୯ ନମ୍ବରରେ ଫୋନ୍‌ କରି ତାଙ୍କ ନାମ ଓ ଠିକଣା ପଞ୍ଜୀକୃତ କରିପାରିବେ। ଏହାପରେ ତାଙ୍କ ଘରକୁ ମୋବାଇଲ୍ ଭ୍ୟାନ୍ ଯାଇ ସ୍ବାବ୍ ସଂଗ୍ରହ କରିବ।

ସୂଚନାଯୋଗ୍ୟ ଯେ କୋଭିଡ୍‌ର ପ୍ରଥମ ପର୍ଯ୍ୟାୟରେ ବିଏମ୍‌ସି ଏହି ସେବା ଆରମ୍ଭ କରି ବହୁତ ପ୍ରଶଂସା ସାଉଁଟିଥିଲା। ସେହିପରି ଯେଉଁ ବରିଷ୍ଠ ନାଗରିକମାନେ ବୟସାଧିକ ବା ଏକାକୀ ରହୁଥିବାରୁ ଟିକାଦାନ କେନ୍ଦ୍ରକୁ ଆସିପାରୁ ନାହାନ୍ତି, ସେମାନେ ବି ୧୯୨୯ ନମ୍ବରରେ ଫୋନ୍‌ କରି ନାମ ପଞ୍ଜୀକରଣ କରିପାରି‌ବେ। ଏହାପରେ ବିଏମ୍‌ସି ସେମାନଙ୍କ ଘରକୁ ଗାଡ଼ି ପଠାଇ ଟିକାଦାନ କେନ୍ଦ୍ରକୁ ଆଣିବ। ଟିକା ଦେଇ ସାରିବା ପରେ ଘ‌ରେ ନେଇ ଛାଡ଼ିବ। କମିସନର କହିଛନ୍ତି ଯେ ୧୯୨୯ କଲ୍‌ ସେଣ୍ଟର୍‌ରେ ପୂର୍ବରୁ ୨୫ଟି ଲାଇନ୍ ଥିବା ବେଳେ ଏବେ ଏହାକୁ ୩୦କୁ ବଢ଼ା ଯାଇଛି। ୨୪ ଘଣ୍ଟା ଡାକ୍ତରୀ ପରାମର୍ଶ ସହ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି। ତେଣୁ ଯେଉଁମାନେ ଟେଷ୍ଟିଂ, ଔଷଧ ଖାଇବା, ଟିକା ନେବା, ସଙ୍ଗରୋଧ ଚିକିତ୍ସା ସମ୍ବନ୍ଧୀୟ କୌଣସି ପରାମର୍ଶ ଚାହୁଛନ୍ତି, ସେମାନେ ୧୯୨୯ ନମ୍ବରରେ ଫୋନ୍‌ କରି ଏହାର ସୁବିଧା ଉଠାଇ ପାରିବେ। ଏହାବାଦ୍ ଯେଉଁମାନଙ୍କର ଆମ୍ବୁଲାନ୍ସ ଜନିତ ସେବା ବା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ହେବାକୁ ଚାହୁଛନ୍ତି, ସେମାନେ ତୁରନ୍ତ ୧୯୨୯ ନମ୍ବରରେ ଫୋନ୍ କରିପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

The post ଫୋକସ୍‌ରେ ବରିଷ୍ଠ ନାଗରିକ, ଘରକୁ ଯାଇ ‌ସ୍ବାବ୍ ସଂଗ୍ରହ କରିବ ଟିମ୍ first appeared on Sambad.

from କରୋନା | Sambad https://ift.tt/2Rlj0Oc