ଅହମଦାବାଦ: ସାମାନ୍ୟ ଆକ୍ରାନ୍ତ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ପ୍ରସ୍ତୁତ କରିଥିବା ‘ଆଣ୍ଟିବଡି କକ୍‌ଟେଲ୍‌’ର ମାନବୀୟ ପରୀକ୍ଷା ନିମନ୍ତେ ‘ଜାଇଡସ୍‌ କାଡିଲା’ ‘ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍ ଇଣ୍ଡିଆ’ଙ୍କୁ ଅନୁମୋଦନ ପାଇଁ ଆବେଦନ କରିଛି।

ପୂର୍ବରୁ ପ୍ରାଣୀଙ୍କ ଦେହରେ ପ୍ରୟୋଗ କରାଯାଇଥିବା ଏହି ‘କକ୍‌ଟେଲ୍‌’ରେ ଥିବା ‘ଟ୍ରିଟ୍‌ମେଣ୍ଟ୍‌ କ୍ୟାଣ୍ଡିଡେଟ୍‌’ ‘ଜେଡ୍‌ଆର୍‌ସି-୩୩୦୮’ ଫୁସ୍‌ଫୁସ୍‌ ନଷ୍ଟ ହେବାର ଆଶଙ୍କା ହ୍ରାସ କରିଥିବା ଜଣାପଡ଼ିଥିଲା। ତେଣୁ, ଏହା ନିରାପଦ ଏବଂ ଏହାର ପ୍ରଭାବ ସହ୍ୟଯୋଗ୍ୟ ବୋଲି କମ୍ପାନି ଜଣାଇଛି। ସଂକ୍ରମଣର ପ୍ରାରମ୍ଭିକ ଏବଂ ବିଳମ୍ବିତ ପର୍ଯ୍ୟାୟରେ ଥିବା ଆକ୍ରାନ୍ତମାନଙ୍କ ଶରୀରରେ ଏହି ‘କକ୍‌ଟେଲ୍‌’ ପରୀକ୍ଷା ନିମନ୍ତେ କମ୍ପାନି ‘ରେଗୁଲେଟରି’ଙ୍କ ଅନୁମୋଦନ ଲୋଡ଼ିଛି।

Image Courtesy of Reuters

ଏହି ଚିକିତ୍ସା ହେଉଛି ଦୁଇଟି ‘ମନୋକ୍ଲୋନାଲ୍‌ ଆଣ୍ଟିବଡି’ର ଏକ ମିଶ୍ରଣ ବା ‘କକ୍‌ଟେଲ୍‌’। ସଂକ୍ରମଣ ପ୍ରତିରୋଧ କରିବା ଲାଗି ଶରୀର ସୃଷ୍ଟି କରୁଥିବା ‘ଆଣ୍ଟିବଡି’ ବା ରୋଗପ୍ରତିରୋଧକ ଶକ୍ତିକୁ ଏହା ଅନୁକରଣ କରି କାର୍ଯ୍ୟ କରିଥାଏ।

‘ଜାଇଡସ୍‌ କାଡିଲା’ର ପରିଚାଳନା ନିର୍ଦେଶକ ଶାର୍ବିଲ୍‌ ପଟେଲ୍‌ କହିଛନ୍ତି, ଏଭଳି ସନ୍ଧିକ୍ଷଣରେ କୋଭିଡ୍‌ ଦମନ ଲାଗି ନିରାପଦ ଏବଂ ଅଧିକ ଫଳପ୍ରଦାୟକ ଚିକିତ୍ସା ଅନ୍ବେଷଣ କରିବା ନିତାନ୍ତ ଆବଶ୍ୟକ।

‘ଭାଇର୍‌ ବାୟୋଲୋଜି’, ‘ଗ୍ଲାସ୍କୋସ୍ମିଥ୍‌କ୍ଲାଇନ୍‌’, ‘ରିଜେନେରନ୍‌ ଫାର୍ମାସ୍ୟିୁଟିକାଲ୍‌ସ୍’ ଏବଂ ‘ଏଲି ଲିଲି’ଦ୍ବାରା ପ୍ରସ୍ତୁତ ଏହି ପ୍ରକାରର ଚିକିତ୍ସାକୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ଅନୁମତି ଦେଇଛି।

The post କୋଭିଡ୍‌-୧୯ ‘ଆଣ୍ଟିବଡି କକ୍‌ଟେଲ୍‌’ର ମାନବୀୟ ପରୀକ୍ଷା ନିମନ୍ତେ ଅନୁମୋଦନ ଲୋଡ଼ିଲା ‘ଜାଇଡସ୍‌ କାଡିଲା’ first appeared on Sambad.

from କରୋନା | Sambad https://ift.tt/3yJ47Go