
ଲଣ୍ଡନ : ଅନେକ ରାଷ୍ଟ୍ରରେ ଦେଶବାସୀଙ୍କ ଗଣଟିକାକରଣ ପାଇଁ ଆବଶ୍ୟକ ପରିମାଣର ଟିକା ଅଭାବ ଯୋଗୁଁ ଆଗ୍ରହୀ ହିତାଧିକାରୀମାନେ ଉତ୍କଣ୍ଠାର ସହିତ ସେମାନଙ୍କ ପାଳିକୁ ଅପେକ୍ଷା କରି ରହିଛନ୍ତି। ତେବେ ଏଭଳି ସମସ୍ୟାର ସମାଧାନ ପାଇଁ ସରକାର ଟିକାର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନକୁ ବଢ଼ାଇ ଚାଲିଛନ୍ତି। ଏ ପ୍ରକାର ବିବାଦୀୟ ନିଷ୍ପତ୍ତି ପାଇଁ ସରକାରଙ୍କୁ କଟୁ ସମାମଲୋଚନାର ଶିକାର ହେବାକୁ ପଡୁଥିଲା ବେଳେ ଏବେ ବିଜ୍ଞାନସମ୍ମତ ତଥ୍ୟ ପରିସ୍ଥିତିକୁ ସମ୍ଭାଳିନେଇଛି।
ଟିକାର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନ ବଢ଼ାଇବା ଦ୍ବାରା ଉପଲବ୍ଧ ଥିବା ସୀମିତ ପରିମାଣର ଟିକାକୁ ବିକ୍ଷିପ୍ତ ଭାବରେ ଯୋଗାଣ ତ କରାଯାଇପାରୁଛି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ହେଲା, ଏଭଳି ବିଳମ୍ବିତ ଦ୍ବିତୀୟ ମାତ୍ରା ହିଁ ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଶରୀରରେ ବିପୁଳ ଆଣ୍ଟିବଡି ବିକଶିତ କରିପାରୁଛି ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ଏପରିକି ପ୍ରଥମ ମାତ୍ରା ଟିକା ନେବା ପରେ ଦ୍ବିତୀୟ ମାତ୍ରା ନେବା ପାଇଁ ପୂର୍ବନିର୍ଦ୍ଧାରିତ ସମୟ ଅବଧିକୁ ଅଧିକରୁ ଅଧିକ ସମୟ ଯାଏ ବଢ଼ାଇବା ଦ୍ବାରା ୩୦୦ ପ୍ରତିଶତ ଯାଏ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇପାରୁଛି ବୋଲି ଜନ୍ସ ହପ୍କିନ୍ସ ସ୍କଲ୍ ଅଫ୍ ପବ୍ଳିକ୍ ହେଲ୍ଥ ଅଧୀନ ସ୍ବାସ୍ଥ୍ୟ ସୁରକ୍ଷା କେନ୍ଦ୍ର ଦ୍ବାରା ପରିଚାଳିତ ଗବେଷଣାରୁ ଜଣାଯାଇଛି। ଏହାକୁ ଭିତ୍ତି କରି ଗତବର୍ଷ କୌଣସି ମତେ ସଂକ୍ରମଣକୁ ନିୟନ୍ତ୍ରିତ କରିପାରିଥିବା ସିଙ୍ଗାପୁର ପରି କ୍ଷୁଦ୍ର ଦେଶ ନିକଟରେ କିଛି ଅଞ୍ଚଳରେ ଦେଖାଦେଇଥିବା ସଦ୍ୟ ସଂକ୍ରମଣ ପରିପ୍ରେକ୍ଷୀରେ ସରକାର ତିନିରୁ ଚାରି ସପ୍ତାହ ରହିଥିବା ଟିକାର ଦ୍ବିତୀୟ ମାତ୍ରା ଅବଧିକୁ ଛଅରୁ ଆଠ ସପ୍ତାହ ଯାଏ ବଢ଼ାଇ ଦେଇଛନ୍ତି। ଫଳରେ ଆଗାମୀ ଅଗଷ୍ଟ ସୁଦ୍ଧା ଦେଶର ସମସ୍ତ ନାଗରିକ ଅନ୍ତତଃ ଟିକାର ପ୍ରଥମ ମାତ୍ରା ନେଇଯାଇପାରିବେ ବୋଲି ସରକାର ଆଶା ରଖିଛନ୍ତି। ସେହିପରି ଭାରତରେ ମଧ୍ୟ ଏହି ଅବଧିକୁ ୧୨ରୁ ୧୬ ସପ୍ତାହ ଯାଏ ସରକାର ବଢ଼ାଇ ଦେଇଛନ୍ତି।
ଏହି ନୂତନ ଗବେଷଣାର ନିର୍ଯାସ ଅନୁଯାୟୀ, ଟିକାର ପ୍ରଥମ ମାତ୍ରା ନେଲା ପରେ ହିଁ ଶରୀରରେ ଭୂତାଣୁବିରୋଧୀ ଆଣ୍ଟିବଡି ବିକଶିତ ହୋଇଥାଏ। ତେବେ ପ୍ରତିକ୍ରିୟା ପରିପକ୍ବ ହେବାକୁ ଯେତେ ଅଧିକ ସମୟ ଲାଗିବ, ଦ୍ବିତୀୟ ମାତ୍ରାର ପ୍ରତିକ୍ରିୟା ସେତେ କ୍ଷିପ୍ର ହୋଇପାରିବ। ସବୁ ପ୍ରକାର ଟିକା ପାଇଁ ଏହା ପ୍ରଯୁଜ୍ୟ ବୋଲି ବରିଷ୍ଠ ଗବେଷକ ଗିଗି ଗ୍ରୋଭେଲ୍ କହିଛନ୍ତି।
The post ଟିକାର ଦ୍ୱିତୀୟ ମାତ୍ରା ବିଳମ୍ବିତ ହେଲେ ୩ଗୁଣା ଅଧିକ ଆଣ୍ଟିବଡି ସୃଷ୍ଟି first appeared on Sambad.from କରୋନା | Sambad https://ift.tt/3bGBBv9
0 Comments