ଚୀନ୍‌ ପରୀକ୍ଷାଗାରରୁ ହିଁ କରୋନାଭୂତାଣୁର ଉତ୍ପତ୍ତି ଓ ଲିକ୍‌!

ଲଣ୍ଡନ : ବିଶ୍ବରେ ଛାଇଯାଇଥିବା ମହାମାରୀ କୋଭିଡ୍‌-୧୯ର ବିଭୀଷିକା ପାଇଁ ଦାୟୀ ଅଭିନବ କରୋନାଭୂତାଣୁ ସାର୍ସ-କୋଭ-୨ର ଉତ୍ପତ୍ତି ସମ୍ପର୍କରେ ଏଯାଏ କିଛି ଠୋସ ପ୍ରମାଣ ମିଳିପାରିନାହିଁ। ତେବେ ଏହି ଘାତକ ଭୂତାଣୁ ଚୀନ୍‌ର ଉହାନ ସହର ସ୍ଥିତ ଏକ ଜୈବ ବିଜ୍ଞାନାଗାରରେ ହିଁ ସୃଷ୍ଟି ହୋଇ ସମଗ୍ର ବିଶ୍ବରେ ଆତଙ୍କ ଚଳାଇଛି ବୋଲି ଖ୍ୟାତନାମା ବିଜ୍ଞାନ ଲେଖକ ତଥା ସଂପାଦକ ନିକୋଲାସ ୱେଡ୍‌ ମତବ୍ୟକ୍ତ କରିଛନ୍ତି । ୨୦୧୯ ଶେଷ ଭାଗ ଆଡ଼କୁ ଚୀନ୍‌ରେ ଆବିର୍ଭୂତ ଏହି ମହାମାରୀ ଅଦ୍ୟାବଧି ପାଖାପାଖି ୩୪ ଲକ୍ଷ ଲୋକଙ୍କର ଜୀବନ ନେଇସାରିଲାଣି। ସେହିପରି ଏହାର ପ୍ରଭାବରେ ବିଶ୍ବ ହଜାର ହଜାର କୋଟି ଡଲାରର ଆୟ ହରାଇବା ସହ କୋଟି କୋଟି ଲୋକଙ୍କ ଦୈନନ୍ଦିନ ଜୀବନକୁ ଦୁର୍ବିଷହ କରିଦେଇଛି। ତେଣୁ ଏଭଳି ମହାମାରୀର ପ୍ରକୃତ ଉତ୍ପତ୍ତିସ୍ଥଳ ବାହାର କରିବା ପାଇଁ ଅଧିକରୁ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ନିକୋଲାସ୍‌ ଏକ ବିସ୍ତୃତ ଲେଖା ‘ବୁଲେଟିନ୍‌ ଅଫ୍‌ ଦି ଏଟୋମିକ୍‌ ସାଇଷ୍ଟିଷ୍ଟ୍‌ସ’ରେ ପ୍ରକାଶ କରିଛନ୍ତି।

ଉହାନ ବିଜ୍ଞାନାଗାରରେ ଆକସ୍ମିକ କିମ୍ବା ଯୋଜନାବଦ୍ଧ ପ୍ରୟାସରୁ ଏହି ଭୂତାଣୁର ଉତ୍ପତ୍ତି ହୋଇଥାଇ ପାରେ ଏବଂ ସେଠାରୁ ଏହା କୌଣସି ପ୍ରକାରେ ଲିକ୍‌ ହେବାପରେ ସମଗ୍ର ବିଶ୍ବ ଏହାର କବଳିତ ହୋଇଛି ବୋଲି ନିକୋଲାସ୍‌ କହିଛନ୍ତି। ଗତ ଜାନୁଆରି ଓ ଫେବ୍ରୁଆରିରେ ଚୀନ୍‌ ଓ ହୁ’ ବୈଜ୍ଞାନିକମାନଙ୍କର ଏକ ମିଳିତ ଦଳ ଚୀନ୍‌ର ଉହାନ ସହରରେ ଦୀର୍ଘ ୪ ସପ୍ତାହ କାଳ ଅନୁଧ୍ୟାନ କରି ଏହି କରୋନାଭୂତାଣୁ ସମ୍ଭବତଃ ବାଦୁଡ଼ି ଦେହରୁ ଅନ୍ୟ କୌଣସି ଜୀବ ମାଧ୍ୟମରେ ମନୁଷ୍ୟ ଶରୀରକୁ ପରିବାହିତ ହୋଇଛି ବୋଲି ଫଳାଫଳ ଶୁଣାଇଥିଲେ। ଅପରପକ୍ଷେ, କୌଣସି ବିଜ୍ଞାନାଗାରରୁ ଏପରି ସଂକ୍ରମଣ ବ୍ୟାପିଥିବା ତତ୍ତ୍ବକୁ ସେମାନେ ଅଗ୍ରାହ୍ୟ କରିଦେଇଛନ୍ତି। ମାତ୍ର ଏପରି ନିର୍ଯାସରେ ପହଞ୍ଚିବା ଲାଗି ଆମକୁ ଅଧିକରୁ ଅଧିକ ପ୍ରମାଣସିଦ୍ଧ ତଥ୍ୟର ଆବଶ୍ୟକତା ରହିଛି ବୋଲି ନିକୋଲାସ୍‌ଙ୍କ ସମେତ ଅନେକ ବୈଜ୍ଞାନିକ ସ୍ପଷ୍ଟ ମତ ରଖିଛନ୍ତି।

ଗତବର୍ଷ ମହାମାରୀ କୋଭିଡ୍‌ର ପ୍ରାଦୁର୍ଭାବ ଆରମ୍ଭ ବେଳେ କିଛି ଚୀନ୍‌ ଡାକ୍ତର, ବୈଜ୍ଞାନିକ, ସାମ୍ବାଦିକ ଓ ନାଗରିକ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଏପରି ବିଜ୍ଞାନାଗାରରୁ ଭୂତାଣୁ ଉତ୍ପନ୍ନ ତତ୍ତ୍ବ ସମ୍ପର୍କରେ ପ୍ରଘଟ କରିଥିଲେ ଏବଂ ଏବେ ବିଶ୍ବବ୍ୟାପୀ ଭୂତାଣୁ ବିଜ୍ଞାନୀମାନେ ଚୀନ୍‌ର ଉହାନ୍‌ ଲ୍ୟାବ୍‌କୁ ହିଁ ଏହାର ଉତ୍ପତ୍ତି ପାଇଁ ସନ୍ଦେହ କରୁଛନ୍ତି।

The post ଚୀନ୍‌ ପରୀକ୍ଷାଗାରରୁ ହିଁ କରୋନାଭୂତାଣୁର ଉତ୍ପତ୍ତି ଓ ଲିକ୍‌! first appeared on Sambad.

from କରୋନା | Sambad https://ift.tt/344a9Dp

Post a Comment

0 Comments