ନୂଆଦିଲ୍ଲୀ : ଦେଶରେ ବୁଧବାର ସୁଦ୍ଧା ଘାତକ ‘ବ୍ଲାକ ଫଙ୍ଗସ୍‌’ ବା ମ୍ୟୁକୋର୍ମାଇକୋସିସ୍‌ରେ ୫,୫୦୦ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏପରିକି ଏଥିରେ ୧୨୬ ଜଣଙ୍କର ଜୀବନ ଯାଇଥିବା ସୂଚନା ରହିଛି। ସେମାନଙ୍କ ଭିତରୁ କେବଳ ମହାରାଷ୍ଟ୍ରରେ ହିଁ ସର୍ବାଧିକ ୯୦ ଜଣ ମୃତକ ରହିଛନ୍ତି। ତାହା ପଛକୁ ହରିଆଣାରେ ୧୪ ଓ ଉତ୍ତରପ୍ରଦେଶରେ ୮ ଜଣଙ୍କର ଜୀବନ ଗଲାଣି। ଅପରପକ୍ଷେ, ଅନେକ ରାଜ୍ୟରେ ଏହି ଘାତକ ରୋଗର ଉପଶମ ପାଇଁ ବ୍ୟବହୃତ ଲିପୋସୋମାଲ ଆମ୍ଫୋଟେରିସିନ୍‌ ବି ନାମକ ଭୂତାଣୁ ବିରୋଧୀ ଔଷଧର ଉତ୍କଟ ଅଭାବ ରହିଥିବା ଚିନ୍ତାର କାରଣ ହୋଇଛି।

ସମ୍ପ୍ରତି କୋଭିଡ୍‌ ପୀଡ଼ିତଙ୍କ ଠାରେ ଏହି ମ୍ୟୁକୋର୍ମାଇକୋସିସ୍‌ର ଲକ୍ଷଣ ବେଶୀ ବେଶୀ ଦେଖାଯାଉଥିବାରୁ ଏହାର ପ୍ରତିକାର କରିନପାରିବା ଆଶଙ୍କାରେ ବିଭିନ୍ନ ରାଜ୍ୟ ସରକାର ବିବ୍ରତ ହୋଇପଡ଼ିଛନ୍ତି। ଶୁକ୍ରବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କ ପାଇଁ ପରାମର୍ଶାବଳୀ ଜାରି ହୋଇଛି। ହସ୍ପିଟାଲଗୁଡ଼ିକରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ କମିଟି ଗଠନ ସହିତ ନୋଡାଲ ଅଫିସର ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି।

ଏହି ନୂତନ ମହାମାରୀ ଯୋଗୁଁ ବିଭିନ୍ନ ରାଜ୍ୟରେ ଯଦିଓ ମୃତ୍ୟୁସଂଖ୍ୟା ସେତେ ଅଧିକ ନୁହେଁ, ତେବେ ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଗୁଜରାଟ ସରକାର ଏହାକୁ ମହାମାରୀ ଭାବେ ଘୋଷଣା କରିଛନ୍ତି। ସେହିପରି ପଞ୍ଜାବ, ହରିଆଣା, କର୍ଣ୍ଣାଟକ, ତାମିଲନାଡୁ ଓ ତେଲେଙ୍ଗାନା ଆଦି ରାଜ୍ୟ ମଧ୍ୟ ପୂର୍ବରୁ ବ୍ଲାକ୍‌ ଫଙ୍ଗସକୁ ମହାମାରୀ ଆଇନରେ ଅଧିସୂଚୀତ କରିଛନ୍ତି। ଅତି କମ୍‌ରେ ଦେଶର ୧୦ଟି ରାଜ୍ୟରେ ଏହାର ମୁକାବିଲା ପାଇଁ ସଂପୃକ୍ତ ଭୂତାଣୁ ବିରୋଧୀ ଔଷଧ ନାହିଁ ଅଥବା ସରିଗଲାଣି। ସର୍ବାଧିକ ୧,୫୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ମହାରାଷ୍ଟ୍ରରେ ମାତ୍ର ୧୦ ପ୍ରତିଶତଙ୍କ ପାଇଁ ଏହି ଔଷଧ ଉପଲବ୍‌ଧ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି। ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ରାଜ୍ୟମାନେ କୌଣସି ମତେ ପ୍ରଚୁର ପରିମାଣର ଔଷଧ ମହଜୁଦ ରଖିବାକୁ ଆଶା ବାନ୍ଧି ରହିଛନ୍ତି।

The post ‘ବ୍ଲାକ୍‌ ଫଙ୍ଗସ୍‌’ରେ ରାଜ୍ୟମାନେ ନୟାନ୍ତ, ମହାରାଷ୍ଟ୍ର ଅଧିକ କ୍ଷତିଗ୍ରସ୍ତ first appeared on Sambad.

from କରୋନା | Sambad https://ift.tt/3oHzb4O