ନୂଆଦିଲ୍ଲୀ: ସିଙ୍ଗାପୁରରେ ଗୋଟାଏ ନୂଆ କୋଭିଡ୍‌ ଷ୍ଟ୍ରେନ୍‌ ବାହାରିଛି ଏବଂ ତାହା ପିଲାମାନଙ୍କ ପାଇଁ ବିପଜ୍ଜନକ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଦେଇଥିବା ମନ୍ତବ୍ୟକୁ ସିଙ୍ଗାପୁର ଅସ୍ବୀକାର କରିବା ସହ ଭାରତ ଉପରେ ଉତ୍‌କ୍ଷିପ୍ତ ହୋଇଛି। ସିଙ୍ଗାପୁରର ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି ଯେ, କେଜ୍ରିୱାଲ୍‌ଙ୍କ ଉକ୍ତିର କୌଣସି ସତ୍ୟତା ନାହିଁ।

ଗଣମାଧ୍ୟମରେ ପ୍ରକାଶିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପଢ଼ି ସିଙ୍ଗାପୁର ଏମିତ ମନ୍ତବ୍ୟ ଦେବାରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର୍‌ ଏସ୍‌ ଜୟଶଙ୍କର କଥାକୁ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାରତ ତରଫରୁ କୁହନ୍ତି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦାୟିତ୍ବହୀନ ମନ୍ତବ୍ୟ ଦେଉଥିବା ବ୍ୟକ୍ତିମାନେ ଭଲଭାବେ ଜାଣିବା ଉଚିତ ଯେ, ଏହାଦ୍ବାରା ଆମ ଦୀର୍ଘ ଦିନର ସମ୍ପର୍କ କ୍ଷତିଗ୍ରସ୍ତ ହୋଇପାରେ।

ପିଲାଙ୍କ ପାଇଁ ବିପଜ୍ଜନକ ଏକ ଜାତିର ନୂଆ କରୋନଭାଇରସ୍‌ ଷ୍ଟ୍ରେନ୍‌ ସଂକ୍ରମଣ ବ୍ୟାପୁଛି କହି, ସିଙ୍ଗାପୁରକୁ ସମସ୍ତ ବିମାନ ଯାତାୟାତ ବନ୍ଦ କରିବା ଦେବା ପାଇଁ ମଙ୍ଗଳବାର ଦିନ କେଜ୍ରିୱାଲ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର୍‌ର ପ୍ରତି ଉତ୍ତର ଦେଇ ସିଙ୍ଗାପୁରର ସ୍ବାସ୍ଥ୍ୟମନ୍ତ୍ରାଳୟ ଲେଖିଥିଲା, କୌଣସି ‘ସିଙ୍ଗାପୁରୀ ଭେରିଆଣ୍ଟ୍‌’ ନାହିଁ, ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ ଥିବା ମନ୍ତବ୍ୟ ମଧ୍ୟ ସତ୍ୟ ନୁହେଁ।

Image Courtesy of The Print

ସିଙ୍ଗାପୁର ସ୍ବାସ୍ଥ୍ୟମନ୍ତ୍ରାଳୟ ଆହୁରି ମଧ୍ୟ ଲେଖିଥିଲା ଯେ, ଗତ ସପ୍ତାହରେ ଅନେକ କୋଭିଡ୍‌-୧୯ ମାମଲାରେ ଚିହ୍ନଟ ହୋଇଥିବା ଅଧିକାଂଶ ଭୂତାଣୁ ହେଉଛନ୍ତି ଭାରତୀୟ ପ୍ରଜାତି ‘ବି.୧.୬୧୭.୨’। ଏ ଭୂତାଣୁର ସୃଷ୍ଟି ଭାରତରେ।

ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ ଭିଭିଆନ୍‌ ବାଳକୃଷ୍ଣ ମଧ୍ୟ କେଜ୍ରିୱାଲ୍‌ଙ୍କ ମନ୍ତବ୍ୟର ପ୍ରତି ଉତ୍ତର ଦେଇ ଲେଖିଛନ୍ତି, ‘ସିଙ୍ଗାପୁର ଭେରିଆଣ୍ଟ୍‌’ ବୋଲି କିଛି ନାହିଁ। ରାଜନେତାମାନେ ବାସ୍ତବ ତଥ୍ୟ ପ୍ରତି ବିଶ୍ବସ୍ତ ହେବା ଆବଶ୍ୟକ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ଅରିନ୍ଦମ ବାଗ୍‌ଚି ମଧ୍ୟ ଲେଖିଛନ୍ତି ଯେ, ‘ସିଙ୍ଗାପୁର ଭେରିଆଣ୍ଟ୍‌’ ସଂକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌ ବିଷୟରେ ପ୍ରତିବାଦ ଜଣାଇବାକୁ ସିଙ୍ଗାପୁର ସରକାର ଆଜି ଆମ ହାଇକମିସନର୍‌ଙ୍କୁ ଡକାଇଥିଲେ। ହାଇକମିସନର୍ ସ୍ପଷ୍ଟିକରଣ ଦେଇ କହିଥିଲେ କି, ‘କୋଭିଡ୍ ଭେରିଆଣ୍ଟ୍‌’ କିଂବା ବେସାମରିକ ବିମାନ ଚଳାଚଳ ନୀତି ସଂକ୍ରାନ୍ତରେ ଘୋଷଣା କରିବା କର୍ତ୍ତୃତ୍ବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ନାହିଁ।

The post ‘କୋଭିଡ୍‌ ଭେରିଆଣ୍ଟ୍‌’ ସଂକ୍ରାନ୍ତ କେଜ୍ରିୱାଲ୍‌ଙ୍କ ଦାବି ଯୋଗୁଁ ସିଙ୍ଗାପୁର ଉତ୍‌କ୍ଷିପ୍ତ; ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଲା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାରତ ତରଫରୁ କୁହନ୍ତି ନାହିଁ first appeared on Sambad.

from କରୋନା | Sambad https://ift.tt/3bEQqOH