
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ‘ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ (ସିଡିସି) କୋହଳ କରିଥିବା କୋଭିଡ୍ କଟକଣା ଅବୈଜ୍ଞାନିକ ଏବଂ ଏଠାରେ ସେସବୁ ହଟାଇବା ସମ୍ଭବ ନୁହେଁ ବୋଲି ଭାରତୀୟ ବିଶେଷଜ୍ଞମାନେ କହିଛନ୍ତି।
ଟିକା ସମ୍ପୂର୍ଣ୍ଣ କରିଥିବା ବା ଆବଶ୍ୟକ ମୁତାବକ ଟିକା ଡୋଜ୍ ନେଇସାରିଥିବା ବ୍ୟକ୍ତିବିଶେଷ ମାସ୍କ୍ ନ ପିନ୍ଧି ସର୍ବସାଧାରଣ ସ୍ଥାନରେ ବିଚରଣ କରିପାରିବେ ବୋଲି ଗତ ସପ୍ତାହରେ ‘ସିଡିସି’ ଘୋଷଣା କରିବା ପରେ ସମଗ୍ର ବିଶ୍ବ ଆଲୋଡ଼ିତ ହୋଇଯାଇଥିଲା। ‘ମାସ୍କ’ କଟକଣା ଉଠାଇଦେବା ଲାଗି ବିଶ୍ବର ବାକି ସବୁ ଦେଶ ମଧ୍ୟ ବିଚାର କରିବାକୁ ଲାଗିଲେ।
କିନ୍ତୁ, ‘ସିଡିସି’ ୱେବ୍ସାଇଟ୍ ତଥ୍ୟାନୁସାରେ, ମେ ୧୭ ତାରିଖ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାର ୧୮ ବର୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟାର ମାତ୍ର ୪୭.୪% ‘ସମ୍ପୂର୍ଣ୍ଣ ଟିକା’ ନେଇଛନ୍ତି। ତେଣୁ, ଭାରତୀୟ ବିଶେଷଜ୍ଞ ଓ ଡାକ୍ତରମାନେ କହୁଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ‘ସିଡିସି’ର ନୀତି ‘ବୈଜ୍ଞାନିକ ନୀତି ଆଧାରିତ’ ନୁହେଁ।
‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ର ଅଧ୍ୟକ୍ଷ ଡାକ୍ତର ଜେ.ଏ. ଜୟଲାଲ୍ କହିଛନ୍ତି, କଥିତ ଅଛି, ଅନ୍ୟୂନ ୭୦% ଜନତାଙ୍କ ଶରୀରରେ ‘ଆଣ୍ଟିବଡି’ ସୃଷ୍ଟି ହେଲେ ‘ହର୍ଡ ଇମ୍ୟୁନିଟି’ ଆସେ। ତେଣୁ, ବର୍ତ୍ତମାନ ପରିସ୍ଥିତିରେ ଭାରତରେ କଟକଣା କୋହଳ କରିବା ସମ୍ଭବ ନୁହେଁ। ଯୁକ୍ତରାଷ୍ଟ୍ର ଆମେରିକା ‘ହର୍ଡ ଇମ୍ୟୁନିଟି’ ହାସଲ କରିଥିବାର କୌଣସି ବୈଜ୍ଞାନିକ ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପ୍ରତି ଭାରତରେ ସଂକ୍ରମଣ ହେଉଥିବା ‘ଭୂତାଣୁ ଷ୍ଟ୍ରେନ୍’ ଖୁବ୍ ମାରାତ୍ମକ। ୭୦ ରୁ ୮୦ ପ୍ରତିଶତ ଫଳପ୍ରଦ ହେଉଥିବା ଟିକା ସାମ୍ପ୍ରତିକ ସଂକ୍ରମଣ କ୍ଷେତ୍ରରେ ମାତ୍ର ୪୦ ରୁ ୫୦ ପ୍ରତିଶତ ଫଳପ୍ରଦ ହେଉଛି। ଦୁଇ ଡୋଜ୍ ନେଲେ ମଧ୍ୟ ଏହା ନୂତନ ପ୍ରଜାତିର ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଇ ନ ପାରେ।
ସେହିପରି, ଦିଲ୍ଲୀସ୍ଥିତ ଗଙ୍ଗାରାମ ହସ୍ପିଟାଲ୍ର ଟିକାକରଣ ବିଭାଗର ମୁଖ୍ୟ ଡାକ୍ତର ଚାନ୍ଦ ୱାତ୍ତାଲ୍ ମଧ୍ୟ କହିଛନ୍ତି ଯେ, ଆମେରିକାର ଅବସ୍ଥାକୁ ଭାରତର ଅବସ୍ଥା ସହ ତୁଳନା କରି ହେବନାହିଁ। ଉଭୟ ଦେଶର ଜନସଂଖ୍ୟା ଏବଂ ଟିକାକରଣର ବ୍ୟାପକତା ମଧ୍ୟରେ ତାରତମ୍ୟ ରହିଛି। ପରିସ୍ଥିତି ତୁଳନୀୟ ନୁହେଁ। ସେମାନେ ଯାହା କରୁଥାଇ ପାରନ୍ତି, କିନ୍ତୁ ଆମର ସଂକ୍ରମଣ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ତେଣୁ, କଟକଣା କୋହଳ କରିବା ସମ୍ଭବ ନୁହେଁ। ଭାରତବାସୀ ‘ଡବଲ୍ ମାସ୍କ’ ପିନ୍ଧିବା ଓ ‘ସାମାଜିକ ଦୂରତ୍ବ’ ବଜାୟ ରଖିବା ଉଚିତ।
The post ଆମେରିକା ‘ସିଡିସି’ର କୋଭିଡ୍ କଟକଣା କୋହଳ ଅବୈଜ୍ଞାନିକ, ଏଠାରେ ସମ୍ଭବ ନୁହେଁ: ଭାରତୀୟ ବିଶେଷଜ୍ଞ first appeared on Sambad.from କରୋନା | Sambad https://ift.tt/3hyDf5K
0 Comments