ଭୁବନେଶ୍ବର : ଚିନ୍ତା ବଢ଼ାଇଲାଣି କରୋନାର ଦ୍ବିତୀୟ ଲହର। ପୁଲିସ କର୍ମଚାରୀ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କଟକ-ଭୁବନେଶ୍ବର ଟୁଇନ୍ ସିଟିରେ ଗତ ଦୁଇ ମାସ ମଧ୍ୟରେ ପ୍ରାୟ ୨୧୦ଜଣ ପୁଲିସ ସଂକ୍ରମିତ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ୧୪ ଜଣ ଅଫିସର୍‌ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରାଜଧାନୀର ପ୍ରାୟ ସମସ୍ତ ଥାନାର ଜଣେ, ଦୁଇଜଣ, ଏପରିକି ଗୋଟିଏ ଗୋଟିଏ ଥାନାର ୪ଜଣ କର୍ମଚାରୀ ଆକ୍ରାନ୍ତ ହେଲେଣି। କରୋନା ଟିକାର ଦୁଇଟି ଡୋଜ୍ ନେଇ ସାରିଥିବା ପୁଲିସ କର୍ମଚାରୀ ଆକ୍ରାନ୍ତ ହେଉଥିଲେ ମଧ୍ୟ ଏବେ ସୁଦ୍ଧା କେହି ଗୁରୁତର ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ମନରେ ଛନକା ପଶିଛି। ଥାନାରେ ଯେମିତି ଲୋକଙ୍କ ଗହଳି ନ ହେବ, ତାହା ଉପରେ ନଜର ରଖାଯାଇଛି। ଅତି ଛୋଟ ଘଟଣାରେ ପୁଲିସକୁ ଯେମିତି ହସ୍ତକ୍ଷେପ କରିବାକୁ ନ ପଡ଼େ, ତା’ ଉପରେ ଗୁରୁତ୍ବ ଦିଆଯାଇଛି। ଡିସିପି ଓ ପୁଲିସ କର୍ମଚାରୀଙ୍କ କାର୍ଯ୍ୟାଳୟର କେତେକ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୬୩ ଜଣ ପୁଲିସ କର୍ମଚାରୀ ସୁସ୍ଥ ହୋଇସାରିଲେଣି ବୋଲି ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଅତି ଜରୁରି ନ ପଡ଼ିଲେ, ଥାନାକୁ ନ ଆସିବା ପାଇଁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। କେବଳ ଡାଏଲ୍-୧୦୦, ସ୍ଥାନୀୟ ଥାନାର ଲ୍ୟାଣ୍ଡ ଲାଇନ୍ ଓ ଆଇଆଇସିଙ୍କ ସିୟୁଜି ନମ୍ବରରେ ଫୋନ୍ କଲେ ପୁଲିସ ଘରୁ ଯାଇ ଅଭିଯୋଗ ଆଣିବ ବୋଲି କୁହାଯାଇଛି। ସେହିପରି ମୋବାଇଲ ହ୍ବାଟସଆପ୍ ଜରିଆରେ ବିବାହ ଏବଂ ଅନ୍ତ୍ୟେଷ୍ଟିକ୍ରିୟା ଅନୁମତି ମିଳି ପାରୁଛି। ଯେଉଁଥିରେ ପୂର୍ବ ଭଳି ଆଉ କେହି ଲାଇସେନ୍ସ ସେଲକୁ ମଧ୍ୟ ଆସୁ ନାହାନ୍ତି। ଆଗକୁ ଆହୁରି କିଛି ପଦକ୍ଷେପ ନିଆଯାଇପାରେ ବୋଲି ସୂଚନା ମିଳିଛି।

The post ଚିନ୍ତା ବଢ଼ାଇଲାଣି କରୋନା: ୨୧୦ ପୁଲିସ ସଂକ୍ରମିତ, ସଂକ୍ରମିତଙ୍କ ମଧ୍ୟ‌ରେ ୧୪ ଅଫିସର୍‌ first appeared on Sambad.

from କରୋନା | Sambad https://ift.tt/3bu8xXC