ନୂଆଦିଲ୍ଲୀ : ଚଳିତ ବର୍ଷ ପ୍ରାରମ୍ଭରେ ଭାରତରେ କୋଭିଡ୍‌ ସଂକ୍ରମଣ ପ୍ରାୟ ସୀମିତ ହୋଇ ଆସିଥିଲା ବେଳେ କେଉଁ ପରିସ୍ଥିତିରେ ତାହା ଏପରି ଅଣାୟତ୍ତ ହୋଇପଡ଼ିଲା, ତାହା ଭିନ୍ନ କଥା; ତେବେ ଭାରତର ଏହି ସଂକଟ ଏବେ ବିଶ୍ବ ସମସ୍ୟା ଭାବେ ଉଭା ହୋଇଛି, ଏଥିରେ ଦ୍ବିମତ ନାହିଁ। ଗତବର୍ଷ ମହାମାରୀ କୋଭିଡ୍‌ ଆବିର୍ଭାବର ପ୍ରାରମ୍ଭିକ ବେଳେ ଭାରତ ଅଚାନକ ସଟ୍‌ଡାଉନ୍‌ ପରି କଠୋର ପରିସ୍ଥିତିକୁ ଆପଣାଇଥିଲା ଏବଂ ପରେ ତରବର ହୋଇ ମଧ୍ୟ ସବୁ ଖୋଲି ଦେଇଥିଲା। ଗତବର୍ଷ ମାର୍ଚ୍ଚ ବେଳକୁ ଦେଶରେ ସଂକ୍ରମଣ ମାତ୍ରା ସେତେ ଅଧିକ ନଥାଇ ସୁଦ୍ଧା ମାତ୍ର ୪ ଘଣ୍ଟା ଆଗରୁ ଲୋକଙ୍କୁ ନୋଟିସ୍‌ ଦେଇ ସରକାର ଲକ୍‌ଡାଉନ୍‌ ଜାରିକଲେ। କୋଟି କୋଟି ଶ୍ରମଜୀବୀ, ବିଶେଷ କରି ଦିନ ମଜୁରିଆ, ଦାଦନ ଶ୍ରମିକ, ଖାଦ୍ୟ ଓ ଆଶ୍ରୟ ବିହୁନେ ତ୍ରାହି ତ୍ରାହି ଡାକ ଦେବାକୁ ଲାଗିଲେ। ଅପରପକ୍ଷେ, ମହାମାରୀ ତାହାର ସଂକ୍ରମଣକୁ ବଳବତ୍ତର ରଖିଥିବା ଅବସରରେ ଅର୍ଥନୈତିକ ଦୁର୍ବିପାକର ମୁକାବିଲା ପାଇଁ ସରକାର ସାରା ଦେଶକୁ ପୁର୍ବ ପରି ଖୋଲାମେଲା କରିବାକୁ ବାଧ୍ୟ ହେଲେ। ସମ୍ପ୍ରତି ଭାରତରେ ଯାହା ଦେଖାଯାଉଛି, ଗତବର୍ଷ ମହାମାରୀର ପ୍ରାରମ୍ଭିକ ଅବସ୍ଥାରେ ଆମେରିକାରେ ଅନୁରୂପ ସ୍ଥିତି ଉପୁଜିଥିଲା। ଏବେ ଭାରତର ବିଭିନ୍ନ ରାଜ୍ୟରେ ନିଜର ସୀମିତ ସମ୍ବଳ ରହିବା ହିଁ ପରିସ୍ଥିତିକୁ ଅଧିକ ଗମ୍ଭୀର କରିଦେଇଛି।

ଭାରତରେ ଏବେ ନୂତନ ପ୍ରଜାତିର ରୂପାନ୍ତରିତ ଭୂତାଣୁ ଯେଭଳି କ୍ଷୀପ୍ର ସଂକ୍ରମଣ କରୁଛି ତାହା ସମଗ୍ର ବିଶ୍ବ ପାଇଁ ଚିନ୍ତତାର କାରଣ ପାଲଟିଛି। ଦେଶରେ ଜାରି ରହିଥିବା ଟିକାକରଣ ପ୍ରକ୍ରିୟା ମଧ୍ୟ ଅନୁରୂପ ଦୋଛକିରେ। ଟିକା ଅଭାବଜନିତ ସମସ୍ୟା ଏବେ ବଡ଼ ସଙ୍କଟ ହୋଇ ଦେଖାଦେଇଛି। ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଭାରତର ଏହି ଦୁର୍ବିପାକ ବେଳେ ସହାୟତା ଦେବାରେ ବିଳମ୍ବ କରିଦେଲେ। ଆମେରିକାର ବାଇଡେନ୍‌ ପ୍ରଶାସନ ଭାରତକୁ ଟିକା ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଲା, ମାତ୍ର ତାହା ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇପାରି ନାହିଁ। ଭାରତ ପାଇଁ ବାହାର ସହାୟତା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ଭାରତରେ ତିଆରି ହେଉଥିବା ଟିକା ପାଇବାକୁ ୮୦ରୁ ଅଧିକ ରାଷ୍ଟ୍ର ଅପେକ୍ଷା କରିଥିବା ବେଳେ ସେମାନେ ଏବେ ନିରାଶ ହୋଇଛନ୍ତି। କଞ୍ଚାମାଲ ଅଭାବରୁ ଟିକା ତିଆରି ମନ୍ଥର ହୋଇଯାଇଛି।

ଏବେ ଭାରତରେ ଟିକା ନେଇଥିବା ଲୋକେ ମଧ୍ୟ ପୁନଃସଂକ୍ରମିତ ହେଉଥିବା ନଜିର ଆସୁଛି। ତେଣୁ ଅମୁକ ପାଶ୍ଚାତ୍ୟ ଟିକା ମହୋଷଧି ବୋଲି ବିଚାରିବା ମୁର୍ଖାମି ହେବ। ବରଂ ଏହି ସାଂଘାତିକ ନୂତନ ପ୍ରଜାତି ଭୂତାଣୁ ବିରୋଧରେ ଲଢ଼େଇ ପାଇଁ କ’ଣ ପ୍ରଯୁଜ୍ୟ ତାହା ବିଶ୍ବସ୍ତରୀୟ ରାଷ୍ଟ୍ରନେତା ଓ ବୈଜ୍ଞାନିକମାନେ ବସି ବାହାର କରିବା ଜରୁରୀ ହୋଇପଡ଼ିଛି।

The post ଭାରତର କୋଭିଡ୍‌ ସଂକଟ ଏବେ ବିଶ୍ବ ସମସ୍ୟା ପାଲଟିଛି first appeared on Sambad.

from କରୋନା | Sambad https://ift.tt/3uwzJwr