
ଲରମ୍ଭା : କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାରୁ କେହି ପାଖ ମାଡ଼ିଲେନି। ଶେଷରେ ବିଡିଓଙ୍କ ଉଦ୍ୟମରେ ଶବ ସତ୍କାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଅଞ୍ଚଳରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ପାଟଣାଗଡ଼ ବ୍ଲକ୍ ବନେଇମୁଣ୍ତା ପଂଚାୟତ ଦଲଦଲି ଗାଁର ଜଣଙ୍କ ଘରେ ଗତ ୩ ବର୍ଷ ହେଲା ଅର୍ଜୁନ କୁମୁଡିଆ (୪୫), ତାଙ୍କ ସ୍ତ୍ରୀ ଲୁଭା କୁମୁଡିଆ (୩୫) ୧୨ ବର୍ଷର ଝିଅକୁ ନେଇ ରହି ଆସୁଥିଲେ। ସେ ପଦ୍ମପୁର ବ୍ଲକ୍ ବାମନଡିହି ଗାଁର ବାସିନ୍ଦା ଅଟନ୍ତି। ଗତ ୮ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେ ଚିକିତ୍ସିତ ହେଉଥିବା ୱାର୍ଡରେ ୨ ଦିନ ମଧ୍ୟରେ ୬ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେବା ଦେଖି ଭୟରେ ସୋମବାର ସକାଳ ୮ଟାରେ ଏକ ଆମ୍ବୁଲାନ୍ସ ଯୋଗେ ସ୍ତ୍ରୀ ଓ ଝିଅ ସହିତ ଗାଁରେ ପହଂଚିଥିଲେ। ସକାଳ ୯ ଟା ବେଳକୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା ଏବଂ ସାଢ଼େ ୯ଟାରେ ତାଙ୍କର ମୃତ୍ୟୁ ହୋଇଥିଲା।
ମୃତ୍ୟୁ ପରେ ଦଲଦଲି ଗାଁର ଆଶା ଓ ଅଙ୍ଗନୱାଡ଼ି କର୍ମୀ କୋଭିଡ୍ ଦାୟିତ୍ବରେ ଥିବା ପାଟଣାଗଡ଼ର ମନୋଜ ଆଚାର୍ଯ୍ୟକୁ ଜଣାଇଥିଲେ। ଏହାପରେ ପାଟଣାଗଡ଼ ବିଡିଓ ନୀଳମାଧବ ସୁନା ଓ ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ତା ଏବଂ ବନେଇମୁଣ୍ତା ସରପଂଚ ପବିତ୍ର ନାଏକ, ଖୁଣ୍ଟସମଲେଇ ସମିତିସଭ୍ୟ ଜୟନ୍ତ କୁମ୍ଭାର ସହ ଅନ୍ୟ କର୍ମଚାରୀମାନେ ଦଲଦଲି ଗାଁରେ ପହଂଚି ଅର୍ଜୁନଙ୍କ ମୃତଦେହକୁ ଆମ୍ବୁଲାନ୍ସ ମାଧ୍ୟମରେ ଦଲଦଲି ଗାଁ ସୀମାରେ ଥିବା ବାଞ୍ଜିପତରା ପାଖକୁ ନେଇ ଦାହ ସତ୍କାର କରିଥିଲେ। ମୃତ ଅର୍ଜୁନଙ୍କ ପରିବାର ନିହାତି ଗରିବ ହୋଇଥିବାରୁ ବ୍ଲକ୍ ପ୍ରଶାସନ ପକ୍ଷରୁ ସହାୟତାର ବ୍ୟବସ୍ଥା କରାଯିବ ବୋଲି ବିଡିଓ ଶ୍ରୀ ସୁନା ଆଶ୍ବାସନା ଦେଇଥିଲେ।
The post କରୋନାରେ ମୃତ୍ୟୁ ହେଲା ବୋଲି କେହି ପାଖ ମାଡ଼ିଲେନି, ବିଡିଓଙ୍କ ଉଦ୍ୟମରେ ଶବ ସତ୍କାର first appeared on Sambad.from କରୋନା | Sambad https://ift.tt/3pav6Gy
0 Comments