ଭୁବନେଶ୍ବର : ରାଜଧାନୀରେ ପୁଣିଥରେ ସଂକ୍ରମଣ ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ଭୁବନେଶ୍ବରୁ ୬୯୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ସଙ୍ଗରୋଧରୁ ୧୫୦ ଓ ଲୋକାଲ କଣ୍ଟାକ୍ଟସ୍‌ ୫୪୮ଜଣ ରହିଛନ୍ତି। ନୂଆପଲ୍ଲୀ ଓ ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ବାହାରିଛନ୍ତି। ଏଥି ସହିତ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ହଜାର ଟପିଛି।

କରୋନା ସଂକ୍ରମଣର ଦ୍ବିତୀୟ ଲହର ଭୁବନେଶ୍ବର ପାଇଁ ବେଶ୍ ଘାତକ ହୋଇଛି। ପ୍ରତ୍ୟେକ ଦିନ ସଂକ୍ରମଣରେ ନୂଆ ନୂଆ ରେକର୍ଡ ହେଉଛି। ଗତ କିଛି ଦିନ ହେବ ନୂଆପଲ୍ଲୀ ଓ ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ଜାରି ରହିଛି। ତେବେ ଏହା ପଛରେ କ’ଣ ନିର୍ଦ୍ଦିଷ୍ଟ କାରଣ ରହିଛି, ତାହା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ମାତ୍ର ଏହି ଦୁଇ ଅଞ୍ଚଳରେ ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲି ଗଲାଣି। ସେହିପରି ଚନ୍ଦ୍ରଶେଖରପୁର, ପଟିଆ ଅଞ୍ଚଳରେ ମଧ୍ୟ ବହୁ ସଂଖ୍ୟାରେ ଆକ୍ରାନ୍ତ ବାହାରୁଛନ୍ତି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂଖ୍ୟାକୁ ମିଶାଇ ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୮,୪୯୨କୁ ବୃଦ୍ଧି ପାଇଛି। ସେହିପରି ୩୧୬ଜଣ ଆକ୍ରାନ୍ତ ମଧ୍ୟ ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି। ରାଜଧାନୀରେ କରୋନାରେ ୨୫୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୪୧୭କୁ ବୃଦ୍ଧି ପାଇଛି।

The post ରାଜଧାନୀରେ ରେକର୍ଡ ସଂକ୍ରମଣ, ଦିନକରେ ୭୦୦ ନିକଟତର first appeared on Sambad.

from କରୋନା | Sambad https://ift.tt/32MD9i4