ନୂଆଦିଲ୍ଲୀ : କୋଭିଡ୍‌ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର କଳାବଜାର ଦେଶରେ ବଢ଼ିବାରେ ଲାଗିଛି। ବିଶେଷ କରି ରେମ୍‌ଡେସଭିର ଇଂଜେକ୍ସନର ଚାହିଦା ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟରେ ଏହାର କଳାବଜାର ବଢ଼ୁଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରେ ରେମ୍‌ଡେସଭିର କଳାବଜାର ଏବେ ସମସ୍ୟା ବଢ଼ାଇଛି। ୫୫୦୦ ଟଙ୍କା ମୂଲ୍ୟ ଥିବା ଗୋଟିଏ ରେମ୍‌ଡେସଭିର ଇଂଜେକ୍ସନ ୪୦ରୁ ୭୦ ହଜାର ଟଙ୍କାରେ ବିକ୍ରି ହେଉଛି। ଜଣେ ଗୁରୁତର ରୋଗୀର ଚିକିତ୍ସା ପାଇଁ ୬ ଶିଶି ରେମ୍‌ଡେସଭିର ଦରକାର ହେଉଥିବା ବେଳେ ଏଥିପାଇଁ ଜଣଙ୍କୁ ଆବଶ୍ୟକ ଡୋଜ୍‌ କିଣିବାପାଇଁ ଲକ୍ଷାଧିକ ଟଙ୍କା ଦେବାକୁ ପଡ଼ୁଛି। ରେମ୍‌ଡେସଭିର କୋଭିଡ୍‌ ରୋଗରୁ ସୁସ୍ଥ ହେବା ପାଇଁ କୌଣସି ଅବର୍ଥ୍ୟ ଔଷଧ ନୁହେଁ ବୋଲି ଡାକ୍ତର ଓ ବୈଜ୍ଞାନିକମାନେ ସ୍ପଷ୍ଟ କରିସାରିଛନ୍ତି। ଗୁରୁଗ୍ରାମରେ ଜଣେ ବ୍ୟକ୍ତି ୭୦ ହଜାର ଟଙ୍କା ଦେଇ ଗୋଟିଏ ଇଂଜେକ୍ସନ କିଣିଥିବା ଜଣାପଡ଼ିବା ପରେ କେତେକ ସ୍ଥାନରେ ଚଢ଼ଉ କରାଯାଇଛି। କେତେକ ସହରରେ ବାସ୍ତବ ମୂଲ୍ୟଠାରୁ ୧୦ରୁ ୧୫ ଗୁଣା‌ ଅଧିକ ଦରରେ ମଧ୍ୟ ବିକ୍ରି ହେଉଛି। ଦିଲ୍ଲୀ, ମୁମ୍ବାଇରେ ଗୋଟିଏ ଶିଶି ରେମ୍‌ଡେସଭିର୍‌ ସର୍ବାଧିକ ୭୦ ହଜାର ଟଙ୍କାରେ ବିକ୍ରି ହେଉଥିବା ଖବର ରହିଛି।

ରେମ୍‌ଡେସଭିର ବ୍ଲାକ୍‌ ମାର୍କେଟିଂ ଅଭିଯୋଗରେ ଜୟପୁର ପୁଲିସ ଗତ ବୁଧବାର ୩ ଜଣଙ୍କୁ ଗିରଫ କରିଥିଲା ଏବଂ ଅନ୍ୟ ୩ ଜଣଙ୍କୁ ଅଟକ ରଖିଥିଲା। ମହାରାଷ୍ଟ୍ରରେ ମଧ୍ୟ କଳାବଜାର ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। କେତେକ ମେଡିସିନ୍‌ ଷ୍ଟୋର୍‌ ମାଲିକ ଏବଂ ଡାକ୍ତର ମଧ୍ୟ ରେମ୍‌ଡେସଭିର କଳାବଜାର ରୢାକେଟ୍‌ରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଲକ୍ଷ୍ନୌରୁ ରେମ୍‌ଡେସଭିର୍‌ କଳାବଜାର ଏବଂ ଗଚ୍ଛିତ କରି ରଖିବା ଅଭିଯୋଗରେ ୨ ଜଣ ଡାକ୍ତରଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି। ନଏଡ଼ା ପୁଲିସ ଗତ ବୁଧବାର ରେମ୍‌ଡେସଭିର କଳାବଜାରୀ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଉକ୍ତ ବ୍ୟକ୍ତିଠାରୁ ୧୦୫ଟି ରେମ୍‌ଡେସଭିର ଇଂଜେକସନ୍‌ ଏବଂ ୧.୫୪ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା।

The post ବିଭିନ୍ନ ରାଜ୍ୟରେ ‘ରେମ୍‌ଡେସଭିର’ କଳାବଜାର, ୩୦ରୁ ୭୦ ହଜାର ଟଙ୍କାରେ ବିକ୍ରି ହେଉଛି first appeared on Sambad.

from କରୋନା | Sambad https://ift.tt/2QknioJ