
ନୂଆଦିଲ୍ଲୀ: ଏବେ ଦୈନିକ ବିପୁଳସଂଖ୍ୟକ କୋଭିଡ୍-୧୯ ସଂକ୍ରମଣ ମାମଲା ଏବଂ ସେ ଜନିତ ମୃତ୍ୟୁ ଘଟଣାରେ ଉବୁଟୁବୁ ହେଉଥିବା ଭାରତକୁ ବିଶ୍ୱ ଏବଂ ବିଶେଷକରି ଧନିକ ରାଷ୍ଟ୍ରମାନେ ବିଫଳ କରାଇଛନ୍ତି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ ଡାକ୍ତରୀ ପରାମର୍ଶଦାତା ଡାକ୍ତର ଆନ୍ଥୋନି ଫାଉଚି କହିଛନ୍ତି।
ଗଣମାଧ୍ୟମ ‘ଦି ଗାର୍ଡିଆନ୍’ ସହ ଏକ ସାକ୍ଷାତ୍କାରରେ ଡାକ୍ତର ଫାଉଚି କହିଛନ୍ତି, ସମ୍ପ୍ରତି ଭାରତରେ ଘଟୁଥିବା ଏହି ମହାସଙ୍କଟକୁ ଟାଳିବାରେ ତାହାକୁ ସାହାଯ୍ୟ କରିବା ଲାଗି ବିଶ୍ୱ ରାଷ୍ଟ୍ରସମୂହ ଏକତ୍ର ହୋଇପାରିଲେ ନାହିଁ।
ଡାକ୍ତର ଫାଉଚି କହିଛନ୍ତି ଯେ, ଭାରତରେ ବ୍ୟାପିଚାଲିଥିବା ଏହି ଦୁଃଖଦାୟକ ଘଟଣାକୁ ପ୍ରତିରୋଧ କରିବା ଲାଗି ମିଳିତ ଉଦ୍ୟମ ସକାଶ ସମଗ୍ର ବିଶ୍ୱ ଏକଜୁଟ ହେବା ଉଚିତ ଥିଲା। ସମଗ୍ର ବିଶ୍ୱରେ ସମାନ ଭାବରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଯୋଗାଇବାରେ ବିଫଳ ହୋଇଥିବା ବିଶ୍ୱର ଧନିକ ରାଷ୍ଟ୍ରମାନଙ୍କୁ ମଧ୍ୟ ସେ ତୀବ୍ର ସମାଲୋଚନା କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ପରିସ୍ଥିତି ହେଉଛି ବୈଶ୍ୱିକ ଅସମାନତାର ଦୃଷ୍ଟାନ୍ତ। ଏହି ବୈଶ୍ୱିକ ମହାମାରୀକୁ ଠିକଣା ଭାବେ ମୁକାବିଲା କରିବାର ଏକମାତ୍ର ଉପାୟ ହେଉଛି ବୈଶ୍ୱିକ ମୁକାବିଲା। ବୈଶ୍ୱିକ ମୁକାବିଲାର ଅର୍ଥ ହେଉଛି ସମଗ୍ର ବିଶ୍ୱରେ ସମାନ ଭାବରେ ମୁକାବିଲା କରାଯିବା। ଦୁର୍ଯ୍ୟୋଗକୁ ତାହା ହୋଇ ପାରିନାହିଁ।
ସାମ୍ପ୍ରତିକ ବିଶ୍ୱ ପ୍ରତି କ୍ଷେତ୍ରରେ ପରସ୍ପର ସହ ସଂଯୁକ୍ତ। ତେଣୁ, ପରସ୍ପର ପ୍ରତି ଦେଶମାନଙ୍କର ଦାୟିତ୍ୱବୋଧ ରହିଛି। ବିଶେଷତଃ, ଯଦି କୌଣସି ଧନୀ ରାଷ୍ଟ୍ର ସମ୍ବଳ ଏବଂ ସାମର୍ଥ୍ୟ ନ ଥିବା ଦେଶମାନଙ୍କ ସହ କାରବାର କରୁଛି, ଏ ସମୟରେ ସେ ଉକ୍ତ ଦେଶମାନଙ୍କୁ ସହାୟତା ଯୋଗାଇ ଦେବା ଉଚିତ।
The post ଭାରତରେ ଦ୍ରୁତ କୋଭିଡ୍ ସଂକ୍ରମଣ ଘଟଣା: ବିଶ୍ୱ ଭାରତକୁ ବିଫଳ କରାଇଛି- ଡାକ୍ତର ଆନ୍ଥୋନି ଫାଉଚି first appeared on Sambad.from କରୋନା | Sambad https://ift.tt/3nttu9P
0 Comments