ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲକୁ ଅଧିକାଂଶ ଅନେକ ସନ୍ଦିଗ୍ଧ କୋଭିଡ୍‌ ଆକ୍ରାନ୍ତ ରୋଗୀ ଆସୁଛନ୍ତି। କାଜୁଆଲଟିକୁ ପହଞ୍ଚିବା ସମୟରେ କାହାର ମୃତ୍ୟୁ ହୋଇଯାଉଛି ତ ଆଉ କିଏ ଚିକିତ୍ସାରେ ଥିବା ବେଳେ ରିପୋର୍ଟ ଆସିବା ପୂର୍ବରୁ ମୃତ୍ୟୁ ହୋଇଯାଉଛି। ହେଲେ ଏହି ବ୍ୟକ୍ତିମାନେ ପୂର୍ବରୁ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ରହିଥିବା ପରିବାର ଲୋକ କହୁଛନ୍ତି। ଏଭଳି ବ୍ୟକ୍ତିଙ୍କ କରୋନା ପରୀକ୍ଷା କରିବା ଲାଗି ଗତବର୍ଷ ରାଜ୍ୟ ସରକାର ସବୁ ହସ୍ପିଟାଲକୁ ଚିଠି ଜାରି କରିଥିଲେ। ଏ ଦୃଷ୍ଟିରୁ ଏଭଳି ମୃତକଙ୍କୁ ନେଇ କର୍ମଚାରୀଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏସବୁ ବ୍ୟକ୍ତିଙ୍କ ମୃତ ଶରୀର ପରିବାରଲୋକଙ୍କୁ ହସ୍ତାନ୍ତର କରା ନଯାଇ ବିଏମ୍‌ସି ପକ୍ଷରୁ କୋଭିଡ୍ ନିୟମ ଅନୁସାରେ ସତ୍ୟନଗର ଶ୍ମାଶନରେ ଶବଦାହ କରାଯାଉଥିବା ସୂଚନା ମିଳିଛି। ହେଲେ ଏଭଳି ବ୍ୟକ୍ତିଙ୍କ କୋଭିଡରେ ମୃତ୍ୟୁ ନେଇ କୌଣସି ସରକାରୀ ରେକର୍ଡରେ ସ୍ଥାନ ପାଉନାହିଁ। ଯଦି ନମୁନା ପରୀକ୍ଷା କରାଯାଉ ନାହିଁ, ତାହାଲେ କାହିଁକି ମୃତକଙ୍କ ପରିବାରକୁ ହସ୍ତାନ୍ତର କରାଯାଉନାହିଁ ବୋଲି ପ୍ରଶ୍ନ ଉଠିଛି।

ରାଜ୍ୟରେ ଏବେ କରୋନା ସଂକ୍ରମଣର ଦ୍ବିତୀୟ ଲହର ତୀବ୍ରତର ହେବାରେ ଲାଗିଛି। ଦୈନିକ ସଂକ୍ରମଣ ୬ରୁ ୮ହଜାର ଭିତରେ ରହୁଥିବା ବେଳେ ଖୋର୍ଧା ଜିଲ୍ଲା ହଟ୍‌ସ୍ପଟ୍‌ ପାଲଟିଛି। ଖୋର୍ଧା ଜିଲ୍ଲାର ଭୁବନେଶ୍ବରର ସଂକ୍ରମଣରେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଭୁବନେଶ୍ବର ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ପହଞ୍ଚି ସାରିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କହିସାରିଛନ୍ତି। ଏଭଳି ପରିସ୍ଥିତିରେ ଥଣ୍ଡା ଓ ଜ୍ବରରେ ପୀଡ଼ିତ ଥିବା ଅନେକ ଲୋକ କ୍ୟାପିଟାଲ ହସ୍ପିଟାଲକୁ ଆସିବା ସମୟରେ ହିଁ ମୃତ୍ୟୁ ହୋଇଯାଉଛି। ମାତ୍ର ଏଭଳି ସନ୍ଦେହଜନକ ଅବସ୍ଥାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାରଣ କରାଯାଇଛି। ତେଣୁ ବିଏମ୍‌ସିକୁ ଯୋଗାଯୋଗ କରାଯିବା ପରେ ଶବ ସତ୍କାର ‌କରାଯାଉଛି।

କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସନ୍ଦିଗ୍ଧ ରିସିଭ୍‌ଡ ଡେଡ୍‌ ବ୍ୟକ୍ତିଙ୍କ ପରିବାରଲୋକଙ୍କୁ ମଧ୍ୟ ବିକଳ୍ପ ଚୟନ କରିବାର ସୁବିଧା ଦିଆଯାଉଛି। ଏମଏଲସି ବା ମେଡିକାଲ ଲିଗାଲ କେସ୍ ପାଇଁ ଶବ ବ୍ୟବଚ୍ଛେଦ ଜରୁରୀ ଥିବା ବେଳେ ମର୍ଗରେ ଶବକୁ ରଖାଯାଉଛି। ମାତ୍ର ଅନ୍ୟ ମୃତକଙ୍କଠାରୁ ପୃଥକ୍‌ ରଖାଯାଉଛି। ମୃତକଙ୍କ ପରିବାରଲୋକଙ୍କ କୋଭିଡ୍‌ ପରୀକ୍ଷା ପାଇଁ ପୂର୍ବରୁ ଯେଉଁଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଉଥିଲା, ଏବେ ତାହା ଦେଖିବାକୁ ମିଳୁ ନଥିବା ଜଣାପଡ଼ିଛି। ହେଲେ ପ୍ରତ୍ୟେକ ଦିନ ଏଭଳି ରୋଗୀ ହସ୍ପିଟାଲକୁ ଆସୁଥିବା ବେଳେ ସେମାନଙ୍କ ସହ ‌ପରିବାରବର୍ଗ ମଧ୍ୟ ଆସୁଛନ୍ତି। ନିଜକୁ ସୁରକ୍ଷିତ ରଖିବା ଲାଗି ଯଥାସମ୍ଭବ ଚେଷ୍ଟା କରୁଥିଲେ ହେଁ ମନରେ ଏହାକୁ ନେଇ ଭୟ ସୃଷ୍ଟି ହୋଇଥିବା ଜଣେ କର୍ମଚାରୀ କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ରାଜ୍ୟରେ ଦ୍ରୁତ ସଂକ୍ରମଣ ଆରମ୍ଭ ହେବାଠାରୁ ପ୍ରତ୍ୟେକ ଦିନ ଏଭଳି ରୋଗୀ ହସ୍ପିଟାଲକୁ ଆସୁଛନ୍ତି। ହେଲେ ଯେହେତୁ ସେମାନଙ୍କ ନମୁନା ପରୀକ୍ଷା କରାଯିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି, ଏ ଦୃଷ୍ଟିରୁ ବିଏମ୍‌ସି ଜରିଆରେ ସତ୍କାର କରାଯାଉଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ଚିକିତ୍ସା ଅବସ୍ଥାରେ କୌଣସି ରୋଗୀ ପଜିଟିଭ୍ ଚିହ୍ନଟ ହୁଅନ୍ତି ଓ ପରବର୍ତ୍ତୀ ସମୟରେ ହସ୍ପିଟାଲରେ ମୃତ୍ୟୁ ହୋଇଯାଏ, ତାହାଲେ ହସ୍ପିଟାଲ କର୍ତ୍ତୃପକ୍ଷ ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେବା ଦରକାର। ତାହାଲେ ଯାଇ ସଂପୃକ୍ତ ମୃତ୍ୟୁଟି କୋଭିଡ୍‌ ମୃତ୍ୟୁରେ ପଞ୍ଜୀକୃତ ହୋଇପାରିବ। ତେବେ ଯେଉଁ ସନ୍ଦିଗ୍ଧ କୋଭିଡ୍‌ ମୃତକ ହସ୍ପିଟାଲକୁ ଆସୁଛନ୍ତି, ସେମାନଙ୍କର ପ୍ରୋଟୋକଲ ଅନୁଯାୟୀ ସତ୍କାର କରିବା ଲାଗି କୁହାଯାଇଛି। ଏ ସମୟରେ କର୍ମଚାରୀମାନେ ସବୁପ୍ରକାର ଗାଇଡଲାଇନ୍ ମାନିବା ଲାଗି କୁହାଯାଇଥିବା ଅଧିକାରୀଜଣକ ସୂଚନା ଦେଇଛନ୍ତି।

The post କ୍ୟାପିଟାଲ ହସ୍ପିଟାଲରେ ବଢ଼ୁଛି ସନ୍ଦିଗ୍ଧ କୋଭିଡ୍‌ ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/3e7TggJ