ତ୍ବରାନ୍ବିତ ହେଲା ଟିକାକରଣ
ମହାରାଷ୍ଟ୍ରରେ ଦିନକରେ ୮୦ ହଜାର ଟିକା ନେଇଛନ୍ତି

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ପୁଣି ୟୁ-ଟର୍ଣ୍ଣ ନେଇଛି। ଦୁଇ ମାସ ତଳେ ଖୁବ୍‌ଶୀଘ୍ର କରୋନାରୁ ସଂପୂର୍ଣ୍ଣ ମୁକ୍ତି ମିଳିବ ବୋଲି ଲୋକେ ଧରି ନେଇଥିବା ବେଳେ ଏବେ ପରିସ୍ଥିତି ଓଲଟି ଯାଇଛି। ସମଗ୍ର ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ମଧ୍ୟ ଦୈନିକ ସଂକ୍ରମଣ ମାମଲା ଉଦ୍‌ବେଗଜନକ ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୩,୨୮୫ ମାମଲା ସାମ୍ନାକୁ ଆସିଛି। ଏଥିରୁ ସର୍ବାଧିକ ସଂକ୍ରମଣ ମାମଲା ମହାରାଷ୍ଟ୍ର, କେରଳ ଏବଂ ପଂଜାବରୁ ଆସିଛି। ବିଗତ ୭୮ ଦିନ ମଧ୍ୟରେ ଏହା ସର୍ବାଧିକ ସଂକ୍ରମଣ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୧୩,୦୮,୮୪୬କୁ ବୃଦ୍ଧି ପାଇଥିବାବେଳେ ୧,୫୮,୩୦୬ ଜଣଙ୍କ ମୃତ୍ୟୁ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସଂକ୍ରମଣ ବଢ଼ିବାରୁ ସକ୍ରିୟ ମାମଲା ମଧ୍ୟ ବଢ଼ିଛି। ଦେଶରେ ସକ୍ରିୟ ମାମଲା ଏବେ ୧,୯୭,୨୩୭ ରହିଛି। ସଂକ୍ରମଣ ବଢ଼ିବାରୁ ଦେଶରେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ମହାରାଷ୍ଟ୍ର ସଂକ୍ରମଣ ସ୍ଥିତି ଜଟିଳ ରୂପ ନେଇଥିବାରୁ ୮ଟି ଜିଲ୍ଲାରେ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଛି। ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୮୦,୭୦୫ ଜଣ କରୋନା ଟିକା ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୭୯,୭୪୮ ଜଣ ‌କୋଭିସିଲ୍ଡ ନେଇଥିବାବେଳେ ୯୫୭ ଜଣ କୋଭାକ୍ସିନ୍‌ ଟିକା ନେଇଛନ୍ତି। ରାଜ୍ୟରେ ମୋଟ୍‌ ୨୪,୩୪,୯୬୬ ଜଣଙ୍କ ଟିକାକରଣ ସରିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ।

ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇକୁ ଫଳପ୍ରଦ କରିବା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରାଯାଇଛି। ଆଜି ସୁଦ୍ଧା ୨ କୋଟି ୬୨ ଲକ୍ଷରୁ ଅଧିକ ଲୋକ ଟିକା ନେଇସାରିଲେଣି। ଆଜି ପର୍ଯ୍ୟନ୍ତ ମୋଟ୍‌୨୨.୪୯ କୋଟିରୁ ଅଧିକ ଲୋକଙ୍କ କରୋନା ପରୀକ୍ଷା କରାଯାଇଛି।

The post ଲେଉଟିଲା କରୋନା : କେନ୍ଦ୍ର ଓ ରାଜ୍ୟମାନଙ୍କର ଚିନ୍ତା ବଢ଼ିଲା, ଦୈନିକ ସଂକ୍ରମଣ ୨୩ ହଜାରରୁ ଅଧିକ first appeared on Sambad.



from କରୋନା – Sambad https://ift.tt/3rIfXg5