
ପୁନେ : ମହାରାଷ୍ଟ୍ରରେ ସଂକ୍ରମଣ ଉପରମୁହାଁ ହୋଇଥିବାରୁ ରାଜ୍ୟ ସରକାର ସଂକ୍ରମଣ ବଢ଼ୁଥିବା ଜିଲ୍ଲାମାନଙ୍କରେ କଡ଼ାକଡ଼ି ଲକ୍ଡାଉନ୍ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ମହାରାଷ୍ଟ୍ରରେ ୧୫,୮୨୩ ନୂଆ ମାମଲା ଚିହ୍ନଟ ହୋଇଛି। ରାଜ୍ୟର ୮ ଜିଲ୍ଲାରେ ସଂକ୍ରମଣ ଲଗାତାର ବୃଦ୍ଧି ହେବାରୁ ଲକ୍ଡାଉନ୍ ଲାଗୁ ହୋଇଛି। ସରକାର ଏହି ଜିଲ୍ଲାମାନଙ୍କରେ କୋଭିଡ୍ ନିୟମ କଡ଼ାକଡ଼ି କରିଛନ୍ତି। ପୁନେରେ ରାତି ୧୧ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ହୋଇଥିବା ବେଳେ ଅକୋଲାରେ କଡ଼ାକଡ଼ି ଲକ୍ଡାଉନ୍ ପାଳନ ହେଉଛି। ଅକୋଲାରେ ଆଜି ସନ୍ଧ୍ୟା ୮ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି ହେବ। ମାର୍ଚ୍ଚ ୧୨ରୁ ୨୨ ପର୍ଯ୍ୟନ୍ତ ପାନ୍ଭେଲ୍ରେ ନାଇଟ୍ କର୍ଫ୍ୟୁ ଜାରି ହେବ। ସେହିପରି ପାରଭଣି ଜିଲ୍ଲାରେ ଆଜି ରାତି ୧୨ଟାରୁ ଆସନ୍ତା ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି ହୋଇଛି। ଉକ୍ତ ଜିଲ୍ଲାମାନଙ୍କରେ ସ୍କୁଲ୍, କଲେଜ୍ ବନ୍ଦ ରହିଛି।
ଆଜି ଦେଶର ସର୍ବାଧିକ ସକ୍ରିୟ ମାମଲା ପୁନେରେ ରହିଛି। ପୁନେରେ ହୋଟେଲ୍ ଏବଂ ରେସ୍ତୋରାଁଗୁଡ଼ିକ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ। ତେବେ କେବଳ ୫୦ ପ୍ରତିଶତ ବସିବା କ୍ଷମତା ରହିବ। ରାତି ୧୧ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ। ବାହାଘର ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୫୦ ଜଣଙ୍କୁ ରହିବାପାଇଁ ଅନୁମତି ମିଳିବ। ଗତକାଲି ନାଗପୁରରେ ଲକ୍ଡାଉନ୍ ଜାରି ହୋଇଥିବା ବେଳେ ପୂର୍ବରୁ ଅମରାବତୀରେ ଲକ୍ଡାଉନ୍ ଜାରି ହୋଇଥିଲା। ଇତି ମଧ୍ୟରେ ପଲଘର ଜିଲ୍ଲାର ଏକ ଆଦିବାସୀ ସ୍କୁଲ୍ରେ ୪୪ ଛାତ୍ର ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କୁ କ୍ବାରାଣ୍ଟିନ୍ରେ ରଖାଯାଇଛି। ମୁମ୍ବାଇରେ ଗତ ୨ ମାସ ମଧ୍ୟରେ ଯେଉଁ ପଜିଟିଭ୍ ମାମଲା ଆସିଛି ସେଥିରୁ ୯୦ ପ୍ରତିଶତ ଆପାର୍ଟମେଣ୍ଟ୍ ବିଲ୍ଡିଂରୁ ଚିହ୍ନଟ ହୋଇଛି। କେବଳ ୧୦ ପ୍ରତିଶତ ମାମଲା ବସ୍ତିରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୨୫ରୁ ଅଧିକ ଅବରୋଧ ଅଂଚଳ ପାଇଁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଗ୍ରହଣ କରାଯାଇଛି।
The post ମହାରାଷ୍ଟ୍ରରେ ସଂକ୍ରମଣ ଉପରମୁହାଁ, ୮ ଜିଲ୍ଲାରେ ଲକ୍ଡାଉନ୍ first appeared on Sambad.
from କରୋନା – Sambad https://ift.tt/3qGHCwr
0 Comments