
୬ ଡାକ୍ତରଙ୍କୁ ଦିଆଗଲା ଜିଲ୍ଲା ଦାୟିତ୍ବ
ଏପ୍ରିଲ୍ ୩୦ ଯାଏ ବଢ଼ିଲା ଟେଷ୍ଟିଂ ଅବଧି
ମେ’ ୧୫ ସୁଦ୍ଧା ବରିଷ୍ଠ ନାଗରିକ ଟିକାକରଣ ସରିବ
ଭୁବନେଶ୍ବର : ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ଥିଲେ ବି ଦେଶର କିଛି ରାଜ୍ୟ ଏବେ ଚିନ୍ତା ବଢ଼ାଇ େଦଇଛନ୍ତି। ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହି ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ବିଭାଗର ଜଣେ ସ୍ବତନ୍ତ୍ର ସଚିବଙ୍କ ସହ ୬ ଡାକ୍ତରଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି। ପୂର୍ବରୁ କୋଭିଡ୍ ଟେଷ୍ଟିଂ ମାର୍ଚ୍ଚ ୩୧ ଯାଏ ଚାଲିବ ବୋଲି ଘୋଷଣା ହୋଇଥିଲା। ତେବେ ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ଟେଷ୍ଟିଂ ଅବଧି ଏପ୍ରିଲ୍ ୩୦ ଯାଏ ବଢ଼ାଇ ଦିଆଯାଇଛି।
ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ଦେଶରେ ଦୈନିକ କରୋନା ସଂକ୍ରମଣ ୮ ହଜାରକୁ ଖସି ଆସିଥିଲାବେଳେ ଏବେ ପୁଣି ୨୩ ହଜାରକୁ ବୃଦ୍ଧି ପାଇଛି। ଓଡ଼ିଶାରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ। ବାହାର ରାଜ୍ୟରୁ ଆସୁଥିବା କରୋନା ସଂକ୍ରମିତଙ୍କ ପାଇଁ ଯେପରି ଏଠାକାର ଲୋକ ସଂକ୍ରମିତ ନ ହୁଅନ୍ତି, ସେଥି ପ୍ରତି ଆମେ ଗୁରୁତ୍ବ ଦେଉଛୁ। ଆର୍ଏମ୍ଆର୍ସି, ଆଇଏଲ୍ଏସ୍ର ବିଶେଷଜ୍ଞ ଓ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଯାତାୟତରେ ପ୍ରତିବନ୍ଧକ ଲଗାଯିବା ନେଇ ଆଲୋଚନା କରାଯାଉଛି। ତେବେ ବର୍ତ୍ତମାନ ମହାରାଷ୍ଟ୍ର ଓ େକରଳ ସମେତ ୫ଟି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି। ଯଦି ଆବଶ୍ୟକ ପଡ଼େ, ତେବେ ଅନ୍ୟ ରାଜ୍ୟକୁ ମଧ୍ୟ ଏହି କାଟାଗୋରିରେ ଯୋଡ଼ାଯିବ। ବିମାନବନ୍ଦର ଓ ରେଳଷ୍ଟେସନରେ ଯାଞ୍ଚ ହେଉଛି। ଲକ୍ଷଣ ଥିଲେ ଟେଷ୍ଟ କରାଯାଉଛି। ଜିଲ୍ଲାଗୁଡ଼ିକରେ ମଧ୍ୟ ଟେଷ୍ଟିଂ ବଢ଼ାଇବାକୁ ଗୁରୁତ୍ୱ ଦିଆଯାଉଛି। ଜଣେ ସ୍ବତନ୍ତ୍ର ସଚିବଙ୍କ ତତ୍ତ୍ବାବଧାନରେ ୬ ଜଣ ଡାକ୍ତର ଜିଲ୍ଲାଗୁଡ଼ିକରେ ଟେଷ୍ଟିଂ କାର୍ଯ୍ୟ ତଦାରଖ କରିବେ।
ରାଜ୍ୟରେ ଦିନକୁ ଏକ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏଥିପାଇଁ ଜିଲ୍ଲା ୱାରି ଦୈନିକ ଟାର୍ଗେଟ୍ ଦିଆଯାଇଛି। ଏହି ବରିଷ୍ଠ ନାଗରିକ ଟିକାକରଣ ଅଭିଯାନ ମେ’ ୧୫ ସୁଦ୍ଧା ସରିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି।
ଆଜି ରାଜ୍ୟରେ ମୋଟ୍ ୭୭,୦୯୪ ଜଣ ଟିକା ନେଇଛନ୍ତି। ତାହା ମଧ୍ୟରୁ ୩୯୩ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିଲା ବେଳେ ୫୬୯୮ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ୯୪୧ ଜଣ ଆଗଧାଡ଼ିର କରୋନା ଯୋଦ୍ଧା ପ୍ରଥମ ଡୋଜ୍ ଓ ୨୦୭୫୩ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ବରିଷ୍ଠ ନାଗରିକ ଟିକାକରଣ ଅଭିଯାନରେ ଆଜି ଦ୍ବାଦଶ ଦିନରେ ୪୭,୧୭୯ ଜଣଙ୍କୁ ଟିକା ଦିଆଯାଇଛି। ଆଜି ସୁଦ୍ଧା ମୋଟ୍ ୩,୦୦,୫୮୯ ଜଣ ବରିଷ୍ଠ ନାଗରିକ ଟିକା ନେଇସାରିଲେଣି। ଏହା ବାଦ୍ ଜଟିଳ ରୋଗ ବା କୋ-ମର୍ବିଡ୍ ଥିବା ୪୫ ବର୍ଷରୁ ଅଧିକ ବୟସର ୨୯୪୦ ଜଣ ଆଜି ଟିକା ନେଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ୧୦,୯୪,୯୫୨ ଡୋଜ୍ ଟିକା ଦିଆସରିଛି।
ଅପରପକ୍ଷରେ, ଆଜି ରାଜ୍ୟରେ ୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।
The post ରାଜ୍ୟରେ ପୁଣି କରୋନା ଟେଷ୍ଟିଂ ବଢ଼ିବ first appeared on Sambad.
from କରୋନା – Sambad https://ift.tt/3tfNdvi
0 Comments